ଚୌଦ୍ବାର ଜେଲ୍‌ରେ ନିର୍ଯାତନା! ୩ ବନ୍ଦୀଙ୍କ ଭିଡିଓ ଭାଇରାଲ୍‌, ୱାର୍ଡର ମାଗୁଛନ୍ତି ବଟି

ନିଶା, ମୋବାଇଲ ପାଇଁ ମୂଲଚାଲ

କଟକ-ମହାନଦୀବିହାର: ଚୌଦ୍ବାର ଜେଲ ଭିତରେ ଆରାମରେ ବ୍ୟବହାର ‌େହାଇପାରୁଛି ମୋବାଇଲ୍ ଫୋନ। ବ୍ରାଉନସୁଗାର, ଗଞ୍ଜେଇ ଆଉ ଟେନ ଟାବଲେଟ ମିଳିବାରେ କୌଣସି ସମସ୍ୟା ନାହିଁ। କିନ୍ତୁ ଏଥିପାଇଁ ଚଢା ମୂଲ୍ୟରେ ଟଙ୍କା ଦେବାକୁ ପଡିବ। ଆଉ ୱାର୍ଡରଙ୍କ ବିରୋଧରେ କୌଣସି କଥା କେଉଁଠି କହିବ ନାହିଁ। ଚୌଦ୍ବା‌ର ଜେଲରେ ସଜ୍ଜା କାଟୁଥିବା କଏଦୀ ଏ ସଂପର୍କରେ କହୁଥିବାର ଭିଡିଓ ଏବେ ଭାଇରାଲ ହୋଇଛି।

କଏଦୀଙ୍କ ଏ ଅଭିଯୋଗ କେତେ ସତ, କେତେ ମିଛ, ତାହା ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ଗୁରୁତ୍ବପୂର୍ଣ୍ଣ ହେଉଛି ଜେଲ ଭିତରେ ସଜ୍ଜା କାଟୁଥିବା କଏଦୀଙ୍କ ଏ କଥା ରେକର୍ଡିଂ ହୋଇ ‌ତାହାର ଭିଡିଓ ଭାଇରାଲ ହେଲା କେମିତି? ଅନ୍ୟପଟେ ଏ ଘଟଣା ଜେଲ ଭିତରେ ମୋବାଇଲ ଫୋନ ବ୍ୟବହାର ହେଉଥିବ ପ୍ରମାଣ କରୁଛି।

ଚୌଦ୍ବାର ଜେଲରେ ସଜ୍ଜା କାଟୁଥିବା ୩ ଜଣ କଏଦୀଙ୍କ ଏ ପ୍ରକାର ଭିଡିଓ ଏବେ ବିଶେଷ ଚର୍ଚ୍ଚାର ବିଷୟ ହୋଇଛି। ଅଲିଶା ବଜାର ମଙ୍ଗଳା ସାହି ଅଞ୍ଚଳର ବଂଶୀଧର ଜେଠି ୨୦୧୧ରେ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ତାଙ୍କ କହିବା ଅନୁଯାୟୀ ଜେଲ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଉ ନଥିବା କଏଦୀଙ୍କୁ ନିର୍ଯାତନା ମିଳୁଛି। ପୁଲିସ ଚଢଉ ସମୟରେ ମୁହଁ ଖୋଲିଲେ ହତ୍ୟା ଧମକ ଦିଆଯାଉଛି। ସେହିପରି ସାଲେପୁର ଗ୍ରାମରେ ବୋମା ମାଡ଼ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଭୋଗୁଥିବା ବିକାଶ ସାହୁଙ୍କୁ ଉଭୟ ଶାରୀରିକ ତଥା ମାନସିକ ନିର୍ଯାତନା ଦିଆଯାଉଥିବା ଏବଂ ଠିକରେ ଚିକିତ୍ସା କରାଯାଉ ନଥିବା ଅଭିଯୋଗ ହୋଇଛି।

୨୦୧୨ରେ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା କାଟୁଥିବା ସିଡିଏ ଅଞ୍ଚଳର ସେକ ଅନୱାର କରିଥିବା ଅଭିଯୋଗ ଅନୁଯାୟୀ ମୋବାଇଲ ଫୋନ ବ୍ୟବହାର ପାଇଁ ୫ ହଜାର ଟଙ୍କା ଏବଂ ଟେନ ଟାବଲେଟ ଷ୍ଟ୍ରିପ ୬ଶହ ଟଙ୍କାରେ ବିକ୍ରି ହେଉଛି। ପୁଲିସ ଚଢଉ ସମୟରେ ସମସ୍ତଙ୍କୁ ଚୁପ ରହିବାକୁ ଧମକ ଦିଆଯାଉଛି। ନିର୍ଦ୍ଦିଷ୍ଟ କଏଦୀଙ୍କୁ ସବୁ ସୁୁବିଧା ସୁଯୋଗ ମିଳୁଥିବା ବେଳେ ବିରୋଧ କରୁଥିବା କଏଦୀଙ୍କୁ ବଳପୂର୍ବକ ନିଶା ଇଞ୍ଜେକସନ ଦିଆଯାଉଛି।

୩ ଜଣ କଏଦୀଙ୍କ ଏଭଳି ଅଭିଯୋଗର ରେକର୍ଡିଂ ଭାଇରାଲ ହୋଇଥିବା ବେଳେ ଏହାର ସତ୍ୟାସତ୍ୟ ଅନୁଧ୍ୟାନ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଅବଶ୍ୟ ଅତୀତରେ ହୋଇଥିବା ଅନେକ ଚଢଉରେ ଜେଲ ଭିତରୁ ମୋବାଇଲ ଫୋନ, ନିଶା ସାମଗ୍ରୀ ଏବଂ ବିଭିନ୍ନ ଆପତ୍ତିଜନକ ସାମଗୀ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର