ଭୁବନେଶ୍ବର : ବଡ଼ଦିନ, ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ୨୫ ତାରିଖ ବଡ଼ଦିନ ସମେତ ୩୧ରୁ ୨ତାରିଖ ପର୍ଯ୍ୟନ୍ତ ୪ଦିନ ପାଇଁ ସମସ୍ତ ଉତ୍ସବ ପାଳନ ଉପରେ ସରକାର କଟକଣା ଲଗାଇଛନ୍ତି। ଜିରୋ ନାଇଟ୍ ସେଲିବ୍ରେସନ୍ଠାରୁ ଆରମ୍ଭ କରି ଭୋଜିଭାତକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣ ଯେପରି ନ ବ୍ୟାପିବ ତାହାକୁ ନେଇ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର ଶୁକ୍ରବାର ଦିନ ଏ ସଂପର୍କିତ ନିର୍ଦେଶନାମା ଜାରି କରିଛନ୍ତି।
ଆଜି ହେଉଛି ବଡ଼ଦିନ। ଚର୍ଚ୍ଚରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହେବାର ଆଶଙ୍କା ରହିଛି। ଗହଳିରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ୫୦ଜଣଙ୍କୁ ନେଇ କୋଭିଡ ନିୟମ ଅନୁଯାୟୀ ଚର୍ଚ୍ଚରେ ବଡ଼ଦିନ ପାଳନ କରିବାକୁ କୁହାଯାଇଛି। ଏହାସହ ସ୍ଥାନୀୟ ଜିଲ୍ଲା ପ୍ରଶାସନ କିମ୍ବା କମିସନର ଯଦି କିଛି କଟକଣା ଜାରି କରିଥାନ୍ତି ତାହାକୁ ମଧ୍ୟ ମାନିବାକୁ ପଡ଼ିବ। ସେହିପରି ନୂଆବର୍ଷର ସ୍ବାଗତ ପାଇଁ କ୍ଲବ୍, ହୋଟେଲ, ପାର୍କ, କନଭେନସନ୍ ହଲ ଇତ୍ୟାଦିରେ ହେଉଥିବା ସ୍ବାଗତ ଉତ୍ସବ, ଜିରୋ ନାଇଟ୍ ସେଲିବ୍ରେସନ୍ ପାଳନ ହୋଇପାରିବ ନାହିଁ। ସମସ୍ତ ପ୍ରକାର ମିଳିତ ଭୋଜି ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ସମସ୍ତ ପ୍ରକାର ଶୋଭାଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ବିବାହ ବାଦ୍ ଅନ୍ୟ ସମସ୍ତ ପ୍ରକାର ଉତ୍ସବ ଉପରେ ରୋକ୍ ଲଗାଯାଇଛି। ସେହିପରି କୋଭିଡ-୧୯ ପ୍ରୋଟୋକଲକୁ ମାନି ଶେଷକୃତ୍ୟ ସଂପନ୍ନ କରିବାକୁ ସରକାର ଅନୁମତି ଦେଇଛନ୍ତି। ଏସବୁ କାର୍ଯ୍ୟକ୍ରମରେ ଯେପରି ଲୋକଙ୍କ ଗହଳି ନ ହେବ ସେଥିପାଇଁ ନଜର ରଖିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି।
ଉଲ୍ଲେଖ ଯେ, ରାଜ୍ୟରେ ଏ ପର୍ଯ୍ୟନ୍ତ ୪ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏଥିରେ ରାଜଧାନୀର ୨ଜଣ ନାବାଳିକା ଥିବା ବେଳେ ଆଉ ୨ଜଣ ବ୍ୟକ୍ତି ଜଗତସିଂହପୁରରେ ଏଥିରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି।