ଜଗତସିଂହପୁର: ବର୍ଷବର୍ଷ ଧରି ଚାଲିଥିବା କୋଟିକୋଟି ଟଙ୍କାର କ୍ରୋମାଇଟ୍‌ କେଳେଙ୍କାରୀ ଏବେ ସାମ୍ନାକୁ ଆସିଛି। ଯାଜପୁରରେ ଏହି କେଳେଙ୍କାରୀର ମଞ୍ଜି ପୋତା ଯାଇଥିବା ବେଳେ ବିଦେଶକୁ ଏହାର ଚେର ଲମ୍ବିଛି। ପାରାଦୀପ ପୁଲିସ କ୍ରୋମାଇଟ୍ ବୋଝେଇ ୪ଟି ଟ୍ରକ ଜବତ କରିବା ପରେ ଏହି କେଳେଙ୍କାରୀର ପର୍ଦ୍ଦାଫାସ୍ ହୋଇଛି। ଟ୍ରକ୍‌ରେ କ୍ରୋମାଇଟ୍‌ ବୋଝେଇ କରିବା ସମୟରେ ଯେଉଁ ମାନ ରହୁଛି ପାରାଦୀପରେ ପହଞ୍ଚିବା ପରେ ଏହାର ମାନ ବଦଳି ଯାଉଛି। ଫଳରେ ମାଟି ମିଶା ନିମ୍ନମାନର କ୍ରୋମାଇଟ୍‌ ଚାଲାଣ କାରବାର ଏବେ ସନ୍ଦେହଘେରକୁ ଆସିଛି। 

Advertisment

ସୂଚନା ଅନୁଯାୟୀ ଯାଜପୁର କାଳିଆପାଣିରୁ ଚାରିଟି ଟ୍ରକ୍‌ରେ (ଓଆର୦୪-ଇ-୫୯୮୧, ଓଆର୦୯-ଇ-୩୫୯୭, ଓଆର୦୯-ଏଫ୍-୯୦୩୫, ଓଆର୦୯-ସି-୪୪୮୮) କ୍ରୋମାଇଟ୍‌ ବୋଝେଇ କରାଯାଇ ପାରାଦୀପ ବନ୍ଦର ଆସୁଥିଲା। ଜାହାଜ ଯୋଗେ କ୍ରୋମାଇଟ୍‌ ଗୁଜରାଟ ଯିବାର ଥିଲା। କିନ୍ତୁ ପାରାଦୀପ ଆଦର୍ଶ ଥାନା ପୁଲିସକୁ ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଖବର ମିଳିଥିଲା ଯେ ଟ୍ରକରେ ମାଟି ମିଶା କ୍ରୋମାଇଟ୍‌ ଚାଲାଣ କରାଯାଇଛି। ପାରାଦୀପ ପୁଲିସ ଅଠରବାଙ୍କୀ ନିକଟରେ ଏହି ଟ୍ରକ୍‌ଗୁଡ଼ିକୁ ଅଟକାଇବା ସମୟରେ ଡ୍ରାଇଭରମାନେ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିଲେ। ଏଥିରେ ପୁଲିସର ସନ୍ଦେହ ଆହୁରି ବଢ଼ିଥିଲା। ଟ୍ରକ୍‌ ଜବତ ହେବା ପରଦିନ ଅର୍ଥାତ୍ ୧୨ ତାରିଖରେ ଖଣି ବିଭାଗର ପାରାଦୀପ ୟୁନିଟ ଅଧିକାରୀମାନେ ସିଲ୍ ଖୋଲି ନମୁନା ସଂଗ୍ରହ କରି ଜଗତପୁର ଠାରେ ଥିବା ଲାବୋରେଟୋରିକୁ ପଠାଇଥିଲେ। ଫଳରେ କ୍ରୋମାଇଟ୍‌ ଅତି ନିମ୍ନମାନର ଥିବା ଜଣାପଡ଼ିଥିଲା। ଯାହା ବିକ୍ରି ଉପଯୋଗୀ ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା। ଯେତେବେଳେ କ୍ରୋମାଇଟ ଉତ୍ତୋଳନ କରାଯାଇ ଟ୍ରକରେ ବୋଝେଇ କରାଯାଇଥିଲା ସେତେବେଳେ ଡ୍ରାଇଭରଙ୍କୁ ଖଣିଜ ଦ୍ରବ୍ୟ ଚାଲାଣ ପାଇଁ ଉଦ୍ଦିଷ୍ଟ ଟ୍ରାନଜିଟ୍ ପାସ(ଟିପି) ଦିଆ ଯାଇଥିଲା। ଟ୍ରାନଜିଟ୍ ପାସ୍ ଅନୁସାରେ କ୍ରୋମାଇଟ୍‌ର ମାନ ପ୍ରାୟ ୪୫ ପ୍ରତିଶତ ରହିବା କଥା। କିନ୍ତୁ ନମୁନା ପରୀକ୍ଷାରୁ ଜଣାପଡ଼ିଥିଲା ଜବତ କ୍ରୋମାଇଟର ମାନ ୨୨ରୁ ୨୮ ପ୍ରତିଶତ ରହିଛି। ଯାହା ଅତ୍ୟନ୍ତ ନିମ୍ନମାନର ବୋଲି ଖଣି ବିଭାଗ ପକ୍ଷରୁ କୁହାଯାଇଛି।

ପାରାଦୀପ ପୁଲିସ ୪ଟି ଟ୍ରକ୍‌ ଧରିବା ପରେ ସାମନାକୁ ଆସୁଛି ମହାଦୁର୍ନୀତି

ସବୁଠୁ ବଡ଼ କଥା ହେଲା ଖଣି ନିୟମ ଅନୁସାରେ, କ୍ରୋମାଇଟ୍‌ ଭଳି ମୂଲ୍ୟବାନ ସାମଗ୍ରୀ ଟ୍ରକରେ ବୋଝେଇ ହେବା ପରେ ଏଥିରେ ପାଲ ଘୋଡ଼ାଯାଇ ସିଲ୍ କରାଯାଏ। ସେଥିରେ ଷ୍ଟିଚିଂ କ୍ଲିପ୍ ଲଗାଯାଏ। ଯାହାକୁ ଟ୍ୟାମ୍ପରିଂ କରାଯାଇ ପାରିବ ନାହିଁ। କିନ୍ତୁ ଏହି କେଳେଙ୍କାରୀ କେମିତି ହେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖଣି ଅଧିକାରୀ ଓ ପୁଲିସର ସନ୍ଦେହ ଅନୁସାରେ, କ୍ରୋମାଇଟ ବୋଝେଇ କରାଯାଇ ଖଣି ନିକଟରୁ ଆସିବା ସମୟରେ ଏହାକୁ ସିଲ୍ କରାଯାଉ ନାହିଁ। ଅଧା ବାଟରେ ୫୦ ପ୍ରତିଶତରୁ ଅଧିକ କ୍ରୋମାଇଟ୍‌ ଖଲାସ କରାଯାଇ ଏଥିରେ ମାଟି ମିଶାଯିବା ପରେ ଟ୍ରକରେ ପାଲ ଘୋଡ଼ାଇ ସିଲ୍ କରି ଦିଆଯାଉଛି। କିନ୍ତୁ ଏହି କାମ କେଉଁଠାରେ ହେଉଛି ତାହାର ଠୋସ୍ ପ୍ରମାଣ ପୁଲିସକୁ ମିଳିପାରି ନାହିଁ। ଯାଜପୁରର ଜାରକା ନିକଟରେ ଏହି କେଳେଙ୍କାରୀ ହେଉଥିବା ପୁଲିସ ସନ୍ଦେହ କରୁଛି। ଏକ ଟନ୍ କ୍ରୋମାଇଟର ମୂଲ୍ୟ ୩୦ ହଜାର ଟଙ୍କା ହୋଇଥିବା ବେଳେ ଘଟଣାଦିନ ଚାରି ଟ୍ରକରେ ପ୍ରାୟ ୪୦ ଟନ୍ ପଦାର୍ଥ ଚାଲାଣ ହେଉଥିଲା। ତେଣୁ ଏହାର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ। ମାଫିଆମାନେ ଅଧା କ୍ରୋମାଇଟ ଲୁଟ୍ କରିଥିବା ବେଳେ ସେମାନେ ସିଧାସଳଖ ୪ଟି ଟ୍ରକରୁ ୬ ଲକ୍ଷ ଟଙ୍କା ମୁନାଫା କରିଥିବା ଆକଳନ କରାଯାଉଛି। ଏଭଳି ହିସାବରେ ମାଫିଆ କୋଟି କୋଟି ଟଙ୍କା ଲୁଟି ଚାଲିଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି। କିନ୍ତୁ ଏଥିରେ ଖଣି ବିଭାଗ ଭୂମିକାକୁ ନେଇ ସନ୍ଦେହ ବଢୁଛି। ଖଣି ବିଭାଗ ରିପୋର୍ଟ ପୁଲିସର ହସ୍ତଗତ ହେଲା ପରେ ଏ ନେଇ ମାମଲା ରୁଜୁ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଏହି ଘଟଣାରେ ଫେରାର ଡ୍ରାଇଭରଙ୍କୁ ଗିରଫ ସହ ଗାଡ଼ି ମାଲିକ ଓ ଖଣିଜ ଦ୍ରବ୍ୟ ଚାଲାଣ କରୁଥିବା ସଂସ୍ଥା କର୍ତ୍ତୃପକ୍ଷଙ୍କୁ ପୁଲିସ ନୋଟିସ୍ କରିବ।