କଟକ: ଇଣ୍ଟେଲିଜେନ୍ସ ଏନ୍ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଆଇଇଏମ୍ଏସ୍) ଧରାଇଦେଇଛି କ୍ରୋମାଇଟ୍ ଚୋରାଚାଲାଣ। ଓଡ଼ିଶା ଦେଇ ପାଖାପାଖି ୫୦୦ ଟନ୍ର କ୍ରୋମାଇଟ୍ ବିଜୟନଗରରୁ ହାୱଡ଼ା ଚୋରାଚାଲାଣ ହେଉଥିବା ବେଳେ ମଙ୍ଗୁଳିରେ ପରିବହନ ଅଧିକାରୀଙ୍କ ଦ୍ବାରା ଧରାପଡ଼ିଛି। ୫ଟି ଲରିରେ ଏହି ଚୋରାଚାଲାଣ ହେଉଥିବା ବେଳେ ଗୋଟିଏ ଲରିକୁ ଟାଙ୍ଗୀ ଥାନା ଓ ଅନ୍ୟ ୪ଟି ଲରିକୁ ନରାଜ ଫିଟ୍ନେସ୍ ସେଣ୍ଟରରେ ଜବତ କରି ରଖାଯାଇଛି। ତେବେ ସମସ୍ତ ଲରି ଡ୍ରାଇଭର୍ ଫେରାର୍ ହୋଇଯାଇଛନ୍ତି। ୫ଟି ଲରିରୁ ୫ ଲକ୍ଷ ୬୭ହଜାର ୧୦୦ ଟଙ୍କାର ଚାଲାଣ କଟାଯାଇଛି। ଜିଲ୍ଲା ଖଣି ବିଭାଗ ମଧ୍ୟ ଏହି ଯାଞ୍ଚରେ ସାମିଲ ହୋଇଛି।
ବିଜୟନଗରରୁ ହାୱଡ଼ା ଯାଉଥିଲା ୫୦୦ ଟନ୍ କ୍ରୋମାଇଟ୍
୫ ଲରି ଜବତ, ସାଢ଼େ ୫ ଲକ୍ଷ ଟଙ୍କା ଜରିମାନା
ସୂଚନା ଅନୁସାରେ, ସମସ୍ତ ଲରିଗୁଡ଼ିକ ଗତକାଲି ଓଡ଼ିଶା ସୀମାରେ ପ୍ରବେଶ କରିବା ପରେ ଗଞ୍ଜାମ ଆର୍ଟିଓ ପକ୍ଷରୁ ପ୍ରଥମେ ଗୋଟିଏ ଲରି (ଆର୍ଜେ୦୨ଜିବି୬୧୯୬)କୁ ଅଟକାଇ ହୁମା ଫାଣ୍ଡି ଜିମା ଦେଇଥିଲେ। କିନ୍ତୁ ରାତିରେ କୌଣସି ମତେ ଉକ୍ତ ଲରି ଚାଳକ ଫାଣ୍ଡିରୁ ଫେରାର୍ ହେବା ସହ ଲରିକୁ ନେଇ କୋଲକାତା ଅଭିମୁଖେ ବାହାରି ଯାଇଥିଲା। ଗଞ୍ଜାମ ଆର୍ଟିଓ ପକ୍ଷରୁ ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ନିର୍ଦ୍ଦେଶକ୍ରମେ ଆଇଇଏମ୍ଏସ୍କୁ ସକ୍ରିୟ କରାଯିବା ସହ ବିଭିନ୍ନ ଆର୍ଟିଓ ଅଧିକାରୀଙ୍କୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମଙ୍ଗୁଳିଠାରେ ଲରିଗୁଡ଼ିକ ଜାତୀୟ ରାଜପଥ କଡ଼ରେ ଠିଆ ହୋଇଥିବା ଜଣାପଡ଼ିବା ପରେ କଟକ ଆର୍ଟିଓ ପକ୍ଷରୁ ସେଠାରେ ଯାଞ୍ଚ କରାଯାଇଥିଲା। ସେଠାରେ ଫେରାର୍ ହୋଇଥିବା ଲରି ଚାଳକଙ୍କୁ ପଚରାଉଚରା କରିବା ସମୟରେ ଅନ୍ୟ ଲରି (ଆର୍ଜେ୦୨ଜିଡି୪୨୪୨, ଆର୍ଜେ୦୨ଜିଡି୦୨୪୨, ଆର୍ଜେ୧୧ଜିସି୬୧୬୦, ଆର୍ଜେ୦୨ଜିଡି୦୩୪୨)ର ଚାଳକମାନେ ମଧ୍ୟ ସେଠାରୁ ଖସିଯାଇଥିଲେ।
ଆଇଇଏମ୍ଏସ୍ କ୍ୟାମେରାରେ ଯାଞ୍ଚ ସମୟରେ ଏକ ଧଳାରଙ୍ଗର କାର୍ ଉକ୍ତ ଲରିଗୁଡ଼ିକୁ ଏସ୍କର୍ଟ କରି ନେଉଥିବା ଦେଖାଯାଇଛି। କଟକ ଆର୍ଟିଓ ପକ୍ଷରୁ ଯାଞ୍ଚ ବେଳେ ଲରିଗୁଡ଼ିକରେ ଓଭର୍ଲୋଡିଂ ହୋଇଥିବା ଜଣାପଡ଼ିଥିଲା। ଏହାବାଦ୍ ପ୍ରଦୂଷଣ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଚାଲାଣର ଅନୁମତିପତ୍ର ଇତ୍ୟାଦି ମିଳି ନଥିଲା। ପ୍ରତ୍ୟେକ ଲରି ପାଇଁ ୫୪ ଟନ୍ ପର୍ଯ୍ୟନ୍ତ ଲୋଡିଂ ଅନୁମତି ଥିବା ବେଳେ ପାଖାପାଖି ୪୫ ଟନ୍ ଲେଖାଏଁ ଓଭରଲୋଡିଂ ହୋଇଥିବା ଜଣାପଡ଼ିଥିଲା। ଲରିଗୁଡ଼ିକ ମେସର୍ସ ଭିଏନ୍ଆର୍ ମିନେରାଲ୍ସ କମ୍ପାନି ପାଇଁ ଏହି ଚାଲାଣ କରୁଥିଲେ। ଘଟଣା ସଂକ୍ରାନ୍ତରେ ଟାଙ୍ଗୀ ଥାନାରେ ଏତଲା ଦିଆଯାଇଛି। ଚାଲାଣ ହେଉଥିବା କ୍ରୋମାଇଟ୍ର ଯାଞ୍ଚ ପାଇଁ ଜିଲ୍ଲା ଖଣି ବିଭାଗକୁ ମଧ୍ୟ ଅବଗତ କରାଯାଇଥିବା ଆର୍ଟିଓ ବିରଞ୍ଚି ନାରାୟଣ ଅଧିକାରୀ ସୂଚନା ଦେଇଛନ୍ତି।