ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଫାଙ୍କି ଚାଲିଛନ୍ତି ଯୁକ୍ତ୨ କଲେଜ : ଗଡ଼ୁଛି ବ‌କେୟା ବିଲ୍‌

୮୦୧ କଲେଜ ଦେଇନାହାନ୍ତି ଆଫିଲିଏସନ ଫି’, ୪୬୭ କଲେଜର ପରୀକ୍ଷା ‌କେନ୍ଦ୍ର ଖର୍ଚ୍ଚ ପ୍ରମାଣପତ୍ର ବାକି

ଭୁବନେଶ୍ବର : ଆସନ୍ତା ଜାନୁଆରି ୧୫ରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ଏଥିପାଇଁ ଚଳିତ ମାସଠାରୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମେ ଏକ୍ସ-ରେଗୁଲାର ଓ ପରେ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରାଯିବ। ହାତରେ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ଗୁଡ଼ିକ ୨୦୧୮ ପରୀକ୍ଷାରେ ବିଭିନ୍ନ ବାବଦରେ ଖର୍ଚ୍ଚ ହୋଇଥିବା ଅର୍ଥର ବିଲ୍‌ ଏ ପର୍ଯ୍ୟନ୍ତ ଦାଖଲ କରିନାହାନ୍ତି। ଯେଉଁଥିପାଇଁ ୨୦୧୮-୧୯ ଶିକ୍ଷାବର୍ଷରେ ନାମ ଲେଖା‌ଇଥିବା ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ପୂର୍ବରୁ ନାଲିଆଖି ଦେଖାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଆସନ୍ତା ୧୨ ତାରିଖ ସୁଦ୍ଧା ସମସ୍ତ ବକେୟା ଅର୍ଥ ଦାଖଲ କରିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି। ନ ହେଲେ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ବିଳମ୍ବ ହେଲେ କଲେଜ କର୍ତୃପକ୍ଷ ଦାୟୀ ରହିବେ ବୋଲି କୁହାଯାଇଛି।

ଏବେ ସୁଦ୍ଧା ପ୍ରାୟ ଅଳ୍ପ କିଛି କଲେଜ ସମସ୍ତ ତଥ୍ୟ ପରିଷଦ ନିକଟରେ ଦାଖଲ କରିସାରିଛନ୍ତି। ଆହୁରି ଅନେକ କଲେଜ ସେମାନଙ୍କ ଫି’ ଦାଖଲ କରିନାହାନ୍ତି। ସବୁଠାରୁ ଅଧିକ ୮୦୧ କଲେଜ ୨୦୧୮-୧୯ ଶିକ୍ଷା‌ବର୍ଷର ଆଫିଲିଏସନ ଫି’ ଏ ପର୍ଯ୍ୟନ୍ତ ଦାଖଲ କରିନାହାନ୍ତି। ଏଥିସହ ମୂଲ୍ୟାୟନ କେନ୍ଦ୍ର କ୍ଲିୟରାନ୍ସ, ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ପରିଚାଳନା ହବ୍‌ର ଖର୍ଚ୍ଚ ବିଲ୍‌, ଛାତ୍ରଛାତ୍ରୀଙ୍କ ସାର୍ଟିଫି‌କେଟ୍‌ ଫି’, ଏନ୍‌ଏସ୍‌ଏସ୍‌ ଫି’ ମଧ୍ୟ ବକେୟା ଗଡ଼ୁଛି।

ମିଳିଥିବା ସୂଚନା ଅନୁଯାୟୀ ୪୬୭ଟି କଲେଜ ଏବେ ସୁଦ୍ଧା ୨୦୧୮ ମସିହା ପରୀକ୍ଷା କେନ୍ଦ୍ରର ଖର୍ଚ୍ଚ ତଥା ଉପଯୋଗ ପ୍ରମାଣପତ୍ର ଦାଖଲ କରିନାହାନ୍ତି। ୨୦୧୩-୧୪ ମସିହାରୁ ୫୨ଟି କଲେଜର ଏନ୍‌ଏସ୍‌ଏସ୍‌ ବା‌ବଦ ଫି’ ଗତବର୍ଷ ସେପ୍ଟେମ୍ବର ୨୪ ସୁଦ୍ଧା ବାକି ପଡ଼ିଛି। ଏଥିରେ ୧୭ଟି ଯୁକ୍ତ୨ କଲେଜ ରହିଛି। ସେହିପରି ପାଖାପାଖି ୨୦୦ କଲେଜ ଏବେ ସୁଦ୍ଧା ୨୦୧୮ର ଓରିଜିନାଲ ସାର୍ଟିଫିକେଟ୍‌/ମାଇଗ୍ରେସନ ସାର୍ଟିଫିକେଟ୍‌ ଫି’ ଦାଖଲ କରି ନାହାନ୍ତି। ୪ଟି କଲେଜ କର୍ତୃପକ୍ଷ ମୂଲ୍ୟାୟନ ଓ କୋଡିଂ ବିଲ୍‌ ଦାଖଲ କରି ନଥିବା ଜଣାପଡ଼ିଛି। ବକେୟା ବିଲ୍‌ ଗଡ଼ୁଥିବାରୁ ୨୦୨୦ରେ ହେବାକୁ ଥିବା ଯୁକ୍ତ୨ ପରୀକ୍ଷାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। କଲେଜଗୁଡ଼ିକ ନିର୍ଦ୍ଧାରିତ ସେକ୍ସନରେ ସେମାନଙ୍କ ବକେୟା ଫି’ ଦାଖଲ କରିବାକୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ କୁହାଯାଇଛି।

ବାରମ୍ବାର କହିବା ସତ୍ତ୍ବେ ଯେଉଁ କଲେଜଗୁଡ଼ିକ ବିଭିନ୍ନ ସେକ୍ସନରେ ବାକି ଥିବା ଅର୍ଥ ଦାଖଲ ନ କରନ୍ତି ସେମାନେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବେ। ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ନମ୍ବର ନିର୍ଦ୍ଧାରିତ ସମୟରେ ପ୍ରକାଶ ନ ପାଇଲେ କ‌ଲେଜ କର୍ତୃପକ୍ଷ ଦାୟୀ ରହିବେ ବୋଲି ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର