ସଫଳତା ଏକ ଲକ୍ଷ୍ୟ ନୁହେଁ,ଏକ ଯାତ୍ରା: ରୋହିତ

ସଫଳତାର କୌଣସି ଅନ୍ତିମ ବିନ୍ଦୁ ନାହିଁ: ପ୍ରତୀକ ସିଂହ, ଯେଉଁ ବୃତ୍ତିରେ ଥିଲେ ବି ମାତୃଭାଷାକୁ ଅବହେଳା କରନାହିଁ: ସୌମ୍ୟରଂଜନ

ଭୁବନେଶ୍ବର: ସଫଳତା ଏକ ଲକ୍ଷ୍ୟ ନୁହେଁ, ଏକ ଯାତ୍ରା। ସଫଳତାର କୌଣସି ସୀମା ସରହଦ ନାହିଁ। ପ୍ରତିଶ୍ରୁତିବଦ୍ଧତା, ପ୍ରଚେଷ୍ଟା, ଆତ୍ମନିୟନ୍ତ୍ରଣ, ଶୃଙ୍ଖଳା ରଖି ଆଗକୁ ବଢ଼ିଲେ ସଫଳତା ବଳବତ୍ତର ରହିବ। ବର୍ତ୍ତମାନ ସମୟରେ ଅନେକ ବୃତ୍ତି ରହିଛି। ପୂର୍ବପରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ଏବେ କୌଣସି ପ୍ରତିବନ୍ଧକ ନାହିଁ। ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କ ପାଇଁ ଇନୋଭେସନ(ନବକ୍ରିୟା) ହେଉଛି ସଫଳତାର ଚାବିକାଠି। ଛାତ୍ରଛାତ୍ରୀମାନେ ଭାବପ୍ରବଣତା ରଖି ବିଜ୍ଞାନ ମାଧ୍ୟମରେ ଲୋକଙ୍କ ପାଇଁ ଚିନ୍ତା କରନ୍ତୁ। ଗରିବ ଜନସାଧାରଣଙ୍କର ଜୀବନ କିପରି ସହଜ ହୋଇପାରିବ ସେଥିପାଇଁ କାର୍ଯ୍ୟ କରନ୍ତୁ। ସକାରାତ୍ମକ ଦିଗ‌ରେ ପ୍ରତିଯୋଗିତା କରିବା ସହ ଅନ୍ୟମାନଙ୍କୁ ସାହାଯ୍ୟ କରି ଆଗକୁ ବଢ଼ିଲେ ତାହାର ସୁଫଳ ସମସ୍ତେ ପାଇପାରିବେ ବୋଲି ବୁଧବାର ଦିନ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ସିଏଚ୍‌ଏସ୍‌ଇ ଏବଂ ସିବିଏସ୍‌ଇ(ଓଡ଼ିଶା) ଚମ୍ପିଆନ୍ସ- ୨୦୨୨ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏହା କହିଛନ୍ତି।

ଭୁବନେଶ୍ବରସ୍ଥିତ ରେଳ ଅଡିଟୋରିୟମ୍‌ରେ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି କହିଲେ, ସଫଳତାର କୌଣସି ଅନ୍ତିମ ବିନ୍ଦୁ ନାହିଁ। ସଫଳତା ଏକ ମାନସିକତା, ଏକ ଅଭ୍ୟାସ ଓ ଏକ ନିଶା। ସଫଳତାକୁ ଅଭ୍ୟାସରେ ପରିଣତ କରିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ। ସେ ତାଙ୍କ ଜୀବନଯାତ୍ରାକୁ ଉଦାହରଣ ଦେଇ କହିଲେ, ବାପା ବାୟୁସେନା ଅଧିକାରୀ ଥିଲେ। ପିଲାଦିନୁ ପାଇଲଟ୍‌ ହେବାକୁ ଲକ୍ଷ୍ୟ ଥିଲା। କିନ୍ତୁ ଆଖି ଖରାପ ହେବାରୁ ପ୍ରଥମ ଲକ୍ଷ୍ୟ ସଫଳ ହେଲାନାହିଁ। ଇଞ୍ଜିନିୟରିଂ ପଢ଼ିଲି କିନ୍ତୁ ସେଥିରେ ମଧ୍ୟ ମନ ଲାଗିଲା ନାହିଁ। ଏହାପରେ ଆଇଟି ସେକ୍ଟରରେ ବ୍ୟବସାୟ କରିଥିଲି। ହେଲେ ସେତେ ପରିମାଣରେ ଟଙ୍କା ନଥିଲା କି ଧୈର୍ଯ୍ୟ ବି ନଥିଲା।

‘ସମ୍ବାଦ’+୨ ସମ୍ବର୍ଧନା
ସମ୍ବର୍ଧିତ ହେଲେ ସିଏଚ୍‌ଏସ୍‌ଇ, ସିବିଏସ୍‌ଇର ୨୦୦ ମେଧାବୀ ବିଜ୍ଞାନ ଛାତ୍ରଛାତ୍ରୀ

ଶେଷରେ ସର୍ବଭାରତୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ପୁଲିସ ବିଭାଗରେ କାର୍ଯ୍ୟ କରୁଛି। ତେଣୁ ସ୍ବପ୍ନର କୌଣସି ସୀମା ନାହିଁ। ସବୁ ଲକ୍ଷ୍ୟ ‌ଯେ ସଫଳ ହୋଇଯିବ
ତାର କୌଣସି ମାନେ ନାହିଁ। ତେଣୁ ଯାହା କରିବାକୁ ଚାହୁଁଛ ତାକୁ ଉପଭୋଗ କର ବୋଲି ଶ୍ରୀ ସିଂହ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ।

‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଯୁକ୍ତ୨ରେ ଶତ ପ୍ରତିଶତ ରଖି ସମ୍ବର୍ଦ୍ଧିତ ହେଉଥିବା ଛାତ୍ରଛାତ୍ରୀ ଅଦ୍ଭୂତ ସଫଳତାର ଅଧିକାରୀ। ଡିଗ୍ରି ସହ ଚାକିରିର କୌଣସି ସମ୍ପର୍କ ନାହିଁ। ଅଭିଭାବକ ଚାହୁଛନ୍ତି ମୋ ପୁଅ/ଝିଅ ଡାକ୍ତର ହୁଅନ୍ତୁ। ହେଲେ ସେମାନେ ମନେ ରଖିବା ଉଚିତ ଡାକ୍ତର ନହେଲେ ଜୀବନ ବରବାଦ୍‌ ହେବନାହିଁ। ଗୋଟିଏ ବୃତ୍ତି ପଛରେ ଗୋଡ଼ା‌ଇବା କିମ୍ବା କୌଣସି କାରଣରୁ ସଫଳତା ନମିଳିଲେ, ଜୀବନ ବେକାର ନୁହେଁ। ଅନ୍ୟ ବୃତ୍ତିରେ ମଧ୍ୟ ଆଶାତୀତ ସଫଳତା ମିଳିପାରିବ। ବିଜ୍ଞାନ ଛାତ୍ରଛାତ୍ରୀମାନେ ସମାଜରେ ଜୀବନଧାରଣକୁ ସହଜ କରିଥା’ନ୍ତି। କାରଣ ଅଡ଼ୁଆ ଗଣ୍ଠିକୁ ଖୋଲିବାର କୌଶଳ ବିଜ୍ଞାନ ହିଁ ଦେଇଥାଏ। ତେବେ ଯେଉଁ ବୃତ୍ତିରେ ଥାଅ ନା କାହିଁକି ମାତୃଭାଷାକୁ କେବେ ଅବହେଳା ନ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଯୋଗଦେଇ ଶିକ୍ଷା, ସାହିତ୍ୟ, ମନୋରଂଜନ, ସାମାଜିକ ଦାୟିତ୍ବବୋଧକୁ ଗୁରୁତ୍ବ ଦେଇ ସମ୍ବାଦ ଗ୍ରୁପ୍‌ ଓଡ଼ିଶାର ସେବା କରିଆସୁଛି ବୋଲି କହିଥିଲେ।

ଶେଷର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ବିଭାଗରେ ରାଜ୍ୟର ଶ୍ରେଷ୍ଠ ଶହେ ସ୍ଥାନରେ ରହିଥିବା ମେଧାବୀ ଛାତ୍ରଛାତ୍ରୀ ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଅଧୀନ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀ ବିଜ୍ଞାନ ବିଭାଗରେ ଶ୍ରେଷ୍ଠ ଶହେ ସ୍ଥାନରେ ଥିବା ମେଧାବୀଙ୍କୁ ପ୍ରଥମ ଥର ପାଇଁ ସମ୍ବର୍ଧିତ କରାଯାଇଥିଲା। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ‘କଥା’ର ସହ ସମ୍ପାଦକ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର