ଯୁକ୍ତ୨ କଲେଜକୁ ସିଏଚ୍‌ଏସ୍‌ଇର ନିର୍ଦ୍ଦେଶ, ପ୍ରାକ୍ଟିକାଲ ମୂଲ୍ୟାୟନରେ ସ୍ବଚ୍ଛତା ରଖ

ଭୁବନେଶ୍ବର : ଯୁକ୍ତ ୨ ପ୍ରାକ୍ଟିକାଲ ମୂଲ୍ୟାୟନରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ସମସ୍ତ ଯୁକ୍ତ୨ କଲେଜ ଅଧ୍ୟକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷର ପିଲାଙ୍କ ପ୍ରାକ୍ଟିକାଲ୍‍ ମୂଲ୍ୟାୟନ ରେକର୍ଡ ସହ ଗତ ୩ବର୍ଷର କଲେଜ ରେକର୍ଡକୁ ମଧ୍ୟ ଯାଞ୍ଚ କରିବାକୁ କୁହାଯାଇଛି। ପ୍ରାକ୍ଟିକାଲରେ ପିଲା ରଖିଥିବା ମାର୍କକୁ ପ୍ରତିଶତ ଅନୁଯାୟୀ ବିଭକ୍ତ କରାଯାଇ ଛାତ୍ରଛାତ୍ରୀଙ୍କ ହାରାହାରି ତାଲିକା ପ୍ରସ୍ତୁତ କରାଯିବ। ପିଲାଙ୍କ ତାଲିକାକୁ ପୂର୍ବ ତିନି ବର୍ଷରେ ଶିକ୍ଷାନୁଷ୍ଠାନ ହାସଲ କରିଥିବା ରେଜଲ୍ଟ ରେକର୍ଡ଼ ସହିତ ମେଳ କରାଯିବ। ଏଥିରେ କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହେଲେ, ସମ୍ପୃକ୍ତ କଲେଜଗୁଡ଼ିକୁ କାରଣଦର୍ଶାଅ ନୋଟିସ୍‍ ଜାରି କରାଯିବ ବୋଲି ପରିଷଦ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

ଘରୋଇ କଲେଜ କ୍ଷେତ୍ରରେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି ହେବ। ଚଳିତବର୍ଷର ମୂଲ୍ୟାୟନ ସହିତ ବିଗତ ତିନି ବର୍ଷର ରେକର୍ଡକୁ ଏଥିସହ ଦାଖଲ କରିବା ପାଇଁ ପରିଷଦ କହିଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରାକ୍ଟିକାଲ ମୂଲ୍ୟାୟନ ପ୍ରକ୍ରିୟା କଲେଜ ଅଧ୍ୟକ୍ଷଙ୍କ ତତ୍ତ୍ବାବଧାନରେ ତ୍ବରାନ୍ବିତ ହେବ। ଶିକ୍ଷାନୁଷ୍ଠାନର ପ୍ରାକ୍ଟିକାଲ୍‍ ବିଷୟ ସହିତ ଜଡ଼ିତ ଥିବା ଶିକ୍ଷକମାନେ ହିଁ ପ୍ରାକ୍ଟିକାଲ୍‍ ମାର୍କ ଦେବେ। ତେବେ ଟାବୁଲେସନ୍‍ ପ୍ରକ୍ରିୟା ଓ ପିଲାଙ୍କୁ ମାର୍କ ପ୍ରଦାନ କରିବା ସମୟରେ ୨୦୧୮, ୨୦୧୯ ଓ ୨୦୨୦ ଶିକ୍ଷାବର୍ଷର ଶିକ୍ଷାନୁଷ୍ଠାନ ରେଜଲ୍ଟ ହାରାହାରିକୁ ଭିତ୍ତି କରି ମାର୍କ ପ୍ରଦାନ କରିବା ଲାଗି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ପରାମର୍ଶ ଦେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଆମେ ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଯୁକ୍ତ ୨ ଫଳ ପ୍ରକାଶ କରିବାକୁ ଯୋଜନା କରିଥିଲୁ। ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛୁ। ଯଦି କିଛି ଅସୁବିଧା ହୁଏ, ତେବେ ଦିନେ ଦୁଇ ଦିନ ବିଳମ୍ବ ହୋଇପାରେ।

ସମ୍ବନ୍ଧିତ ଖବର