ମେ ୩୦ ସୁଦ୍ଧା ଖାତାଦେଖା କେନ୍ଦ୍ର ସାନିଟାଇଜ କରିବାକୁ ଜିଲ୍ଲାପାଳମାନଙ୍କୁ କହିଲା +୨ କାଉନ୍ସିଲ୍

ଭୁବନେଶ୍ୱର: ଜୁନ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଉତ୍ତରଖାତା ମୂଲ୍ୟାୟନ | ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ବିଧିବଦ୍ଧ ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରକ୍ରିୟା ଆରମ୍ଭ କରିଛି | ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା କେତେକ ମୂଲ୍ୟାୟନ କେନ୍ଦ୍ରକୁ କରୋନା ପାଇଁ ସଙ୍ଗରୋଧ କେନ୍ଦ୍ର କରାଯାଇଥିବାରୁ ତାହାକୁ ତୁରନ୍ତ ଖାଲି କରିବାକୁ ସମସ୍ତ ଜିଲ୍ଲାପାଳମାଙ୍କୁ ନିର୍ଦ୍ଦେଶ ଦିଆଯାଇଛି | ଜୁନ ୧ରୁ ଖାତା ଦେଖା ଆରମ୍ଭ ହେବାକୁ ଥିବାରୁ ମେ ୩୦ ସୁଦ୍ଧା କେନ୍ଦ୍ର ଖାଲି କରିବା ସହ ସାନିଟାଇଜେସନ କରିବାକୁ କୁହାଯାଇଛି |

ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି ଯେ ମୂଲ୍ୟାୟନ କେନ୍ଦ୍ର ହେବାକୁ ଥିବା କିଛି କଲେଜକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର ଓ ଅସ୍ଥାୟୀ ମେଡିକାଲ କେନ୍ଦ୍ର କରାଯାଇଛି | କୋଭିଡ-୧୯ ଯୋଗୁଁ ଯୁକ୍ତ ଦୁଇ ପରୀକ୍ଷା, ଖାତା ମୂଲ୍ୟାୟନ ଓ ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ହୋଇଛି | ଛାତ୍ରଛାତ୍ରୀ ବହୁ ମାତ୍ରାରେ ପ୍ରଭାବିତ ହୋଇଥିବାରୁ ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ ପହିଲାରୁ ଖାତା ଦେଖା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି | ସେଥିପାଇଁ ମୂଲ୍ୟାୟନ କେନ୍ଦ୍ରଗୁଡିକୁ ପ୍ରସ୍ତୁତି କରିବାକୁ ପଡିବ | ମୂଲ୍ୟାୟନ କେନ୍ଦ୍ରରେ ମୁଲ୍ୟାୟନକାରୀ ଓ ଜୋନାଲ ଅଧିକାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ପଡିବ |

ତେଣୁ ସଙ୍ଗରୋଧ କେନ୍ଦ୍ର ହୋଇଥିବା ମୂଲ୍ୟାୟନ କେନ୍ଦ୍ରଗୁଡିକୁ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ/ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଉ | ଯଦି ଖାଲି କରିବା ସମ୍ଭବପର ହେଉନାହିଁ ତେବେ ସଙ୍ଗରୋଧ କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ର ମଧ୍ୟରେ ବ୍ୟାରିକେଡ଼ କରି ପୃଥକିକରଣ କରାଯାଉ | ସେହିପରି ମୁଲ୍ୟାୟନକାରୀଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରିବା ସହ ସାନିଟାଇଜର ଉପଲବ୍ଧ କରିବା ଦିଗରେ ସ୍ଥାନୀୟ ମ୍ୟୁନିସିପାଲଟି ଓ ସିଡିଏମଓମାନେ ପଦକ୍ଷେପ ନେବାକୁ କୁହାଯାଇଛି |

ସମ୍ବନ୍ଧିତ ଖବର