ପରୀକ୍ଷା କେନ୍ଦ୍ରଗୁଡ଼ିକୁ ଯୁକ୍ତ ଦୁଇ ପରିଷଦର ଚେତାବନୀ : ୭ ସୁଦ୍ଧା ସିସିଟିଭି ଲଗାଅ

୧୦ ସୁଦ୍ଧା ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦିଅ, ତଥ୍ୟ ନ ଦେଲେ ପରୀକ୍ଷା କେନ୍ଦ୍ର ହେବନି

ଭୁବନେଶ୍ବର : ଜାନୁଆରି ୨୭ରୁ ଯୁକ୍ତ୨ ପ୍ରାକ୍ଟିକାଲ ଓ ମାର୍ଚ୍ଚ ୩ରୁ ଥିଓରି ପରୀକ୍ଷା। ତା’ ପୂର୍ବରୁ ପରୀକ୍ଷା କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସଜାଡ଼ିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ଜାନୁଆରି ୭ ସୁଦ୍ଧା ପରୀକ୍ଷା କେନ୍ଦ୍ର ହେବାକୁ ଥିବା ସମସ୍ତ ଯୁକ୍ତ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ଗୁଡ଼ିକ ସିସିଟିଭି ଲଗାଇବାକୁ କୁହାଯାଇଛି। ଏଥିସହ ଏ ସମ୍ପର୍କିତ ଅନ୍ୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପରିଷଦ ନିକଟରେ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ନଚେତ୍‌ ସମ୍ପୃକ୍ତ କଲେଜରେ ଏଥର ପରୀକ୍ଷା କେନ୍ଦ୍ର ହେବ ନାହିଁ। ସେଠାକାର ଛାତ୍ରଛାତ୍ରୀ ଅନ୍ୟ କଲେଜ ତଥା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ତଥ୍ୟ ମିଳିବା ପରେ ଏବର୍ଷ କେତେ ପରୀକ୍ଷା କେନ୍ଦ୍ର କରାଯିବ, ସେନେଇ ଚୂଡ଼ାନ୍ତ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପାରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ବର୍ଷ ପରୀକ୍ଷାରେ ସିସିଟିଭି ଲଗାଇବା ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଇଛି। ପରୀକ୍ଷା କେନ୍ଦ୍ରର ସମସ୍ତ ହଲ୍‌, ଅଫିସ୍‌ ରୁମ୍‌, ସିଲ୍‌ ପ୍ରଶ୍ନପତ୍ର ରହିଥିବା ସ୍ଥାନ, ଯେଉଁଠାରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଯିବ, ପ୍ରବେଶ ପଥର ମୁଖ୍ୟ ଫାଟକ ତଥା ଯାଞ୍ଚସ୍ଥଳରେ ସିସିଟିଭି ଲଗାଇବାକୁ କୁହାଯାଇଛି। ଏହାବ୍ୟତୀତ କ୍ୟାମ୍ପସ ପରିସର, କ୍ଲାସରୁମ୍‌ରୁ ଅଫିସ୍‌ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା‌ରେ ବି ସିସିଟିଭି ଲାଗିବ। ଏଥିସହ କ୍ୟାମ୍ପସର ଅନ୍ୟାନ୍ୟ ପ୍ରମୁଖ ସ୍ଥାନ, ଲୋକାରଣ୍ୟ ଅଞ୍ଚଳରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା ଚାଲିଥିବା ସମୟରେ ବିଦ୍ୟୁତ୍‌ ବିଭ୍ରାଟ ପରି ସମସ୍ୟା ଦେଖାଦେବାର ସମ୍ଭାବନା ଅଧିକ ରହିଛି। ଏହାଦ୍ବାରା ପରୀକ୍ଷାର୍ଥୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯଦି ବିଦ୍ୟୁତ୍‌ ବିଭ୍ରାଟ ଦେଖାଦିଏ, ତେବେ ଅତି କମ୍‌ରେ ୫ଘଣ୍ଟା ପାଇଁ ବିକଳ୍ପ ବିଦ୍ୟୁତ୍‌ ବ୍ୟବସ୍ଥା କରିବାକୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଏଥିସହ ସିସିଟିଭିର ରିମୋର୍ଟ ଭିଜୁଆଲାଇଜିଂ ପାଇଁ ଇଣ୍ଟରନେଟ୍‌ ସଂଯୋଗ କରିବାକୁ କୁହାଯାଇଛି। ପରୀକ୍ଷା ହଲ୍‌ ଓ ପରୀକ୍ଷା ପରିଚାଳନା ହବ୍‌ରେ ଲାଗିଥିବା ସିସିଟିଭି କ୍ୟାମେରା ୨୪ଘଣ୍ଟିଆ ଚାଲୁ ରହିବା ନିହାତି ଆବଶ୍ୟକ।

ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକରେ ପ୍ରାକ୍ଟିକାଲ ପରୀକ୍ଷା କେନ୍ଦ୍ର ହେଉଥିବାରୁ ସେଥିପ୍ରତି ମଧ୍ୟ ଧ୍ୟାନ ଦେଇଛି ପରିଷଦ। ସେଲ୍ଫ ଫାଇନାନ୍ସିଂ କଲେଜର ପ୍ରାକ୍ଟିକାଲ ଲାବୋରେଟାରିରେ ସିସିଟିଭି ଲାଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ୧୦ ତାରିଖ ସୁଦ୍ଧା ସମ୍ପୃକ୍ତ କଲେଜ ଯଦି ସିସିଟିଭି ନ ଲଗାନ୍ତି, ତେବେ ସେଠାରେ ପ୍ରାକ୍ଟିକାଲ ପରୀକ୍ଷା କେନ୍ଦ୍ର ହେବନି। ପରୀକ୍ଷା ସମୟରେ ସିସିଟିଭିରେ ଉତ୍ତୋଳିତ ହୋଇଥିବା ସମସ୍ତ ଭିଜୁଆଲ ଏକ୍ସଟରନାଲ ହାର୍ଡ ଡିକ୍ସରେ ଗଚ୍ଛିତ ରଖିବାକୁ କୁହାଯାଇଛି। ପରୀକ୍ଷା ପରେ ତାହାକୁ ପରିଷଦ ନିକଟରେ ଦାଖଲ କରିବାକୁ ହେବ। ଫଳରେ ପରବର୍ତୀ ସମୟରେ ତାହାକୁ ବ୍ୟବହାର କରାଯାଇପାରିବ। ଜାନୁଆରି ୭ ତାରିଖ ସୁଦ୍ଧା ସିସିଟିଭି ଲଗାଇବା ସମ୍ପର୍କରେ ସମସ୍ତ ତଥ୍ୟ ଅନ୍‌ଲାଇନ୍‌ରେ ସାମ୍‌ସ ଇ-ସ୍ପେସ୍‌ରେ ଥିବା ସିସିଟିଭି ଲିଙ୍କ୍‌ ମାଧ୍ୟମରେ ପରିଷଦ ନିକଟରେ ଦାଖଲ କରିବାକୁ କୁହାଯାଇଛି। ୧୦ ତାରିଖ ସୁଦ୍ଧା ପରୀକ୍ଷା ଭିତ୍ତିଭୂମି ସମ୍ପର୍କିତ ସମସ୍ତ ତଥ୍ୟ ଦାଖଲ କରିବେ। ଏହି ସମୟ ମଧ୍ୟରେ ଯଦି ‌କୌଣସି ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ତଥ୍ୟ ନ ଦିଅନ୍ତି ସେଠାରେ ପରୀକ୍ଷା କେନ୍ଦ୍ର/ଉପକେନ୍ଦ୍ର ହେବ ନାହିଁ ବୋଲି ପରିଷଦ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର