ଚୁଡ଼ା, ମୁଢ଼ି ପାଇଁ ଗୃହ କମ୍ପିଲା

ଜିଏସ୍‌ଟି ପ୍ରତ୍ୟାହାର ପାଇଁ କଂଗ୍ରେସର ଦାବି, ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ଜିଏସ୍‌ଟି କାଉନ୍‌ସିଲ୍‌କୁ ଚିଠି ଲେଖିବେ ଅର୍ଥ ମନ୍ତ୍ରୀ

ଭୁବନେଶ୍ବର : ଚୁଡ଼ା, ମୁଢ଼ି ଗରିବ ଲୋକଙ୍କ ନିତିଦିନିଆ ଜଳଖିଆ। ଖାଲି ଗରିବ ନୁହେଁ, ଏହା ସବୁ ଓଡ଼ିଆଙ୍କର ସକାଳର ଜଳଖିଆ। କିନ୍ତୁ ଏ ଜିନିଷକୁ ବି କେନ୍ଦ୍ର ସରକାର ଛାଡ଼ିଲେନି। ଏହା ଉପରେ ଜିଏସ୍‌ଟି ଲଦିଦେଲେ। ଏମିତି ଗରିବ ମାରଣ ନୀତି କାହିଁକି? ଆଜି ଶୂନ୍ୟକାଳରେ ଏମିତି ବର୍ଷିଥିଲେ କଂଗ୍ରେସ ବିଧାୟକମା‌ନେ। ଜିଏସ୍‌ଟି ପ୍ରତ୍ୟାହାର ପାଇଁ ସବୁ ବିଧାୟକ ଦିଲ୍ଲୀ ଯାଇ ଅଭିଯୋଗ କରିବାକୁ ଦାବି କରିଥିଲେ। ବିଧାୟକମାନଙ୍କର ପ୍ରତିବାଦ ଏତେ ଶାଣିତ ଥିଲା ଯେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ମୁଲତବୀ ଆଲୋଚନା ହୋଇପାରି ନ ଥିଲା।

ସୋମବାର ଦିନ ଶୂନ୍ୟକାଳରେ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ମୁଢ଼ି, ଚୁଡ଼ା, ଉଖୁଡ଼ା, ଦହି, କ୍ଷୀର ଉପରେ ଜିଏସ୍‌ଟି ଲାଗୁ ହୋଇଛି। ଜିଏସ୍‌ଟି ପରିଷଦ ମନ ଇଚ୍ଛା ବିଭିନ୍ନ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ କରୁଛନ୍ତି I କଂଗ୍ରେସ ତରଫରୁ ଏହି ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନ ଜାରି ରଖାଯାଇଛି। ବିଧାନସଭାର ଏକ ସର୍ବଦଳୀୟ କମିଟି ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ସହିତ ଜିଏସ୍‌ଟି କାଉନ୍‌ସିଲକୁ ଭେଟି ଏହି ଦାବି କରିବା।

କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ମୟୂରଭଞ୍ଜ ଓ ବାଲେଶ୍ୱର ଭଳି କିଛି ଜିଲ୍ଲାରେ ମୁଢ଼ି଼ ସହ ମାଂସ ଝୋଳ ହେଉଛି ଅନ୍ୟତମ ପ୍ରମୁଖ ଖାଦ୍ୟ। କେନ୍ଦ୍ର ସରକାର ମୁଢ଼ି, ଚୁଡ଼ା ଓ ଦହି ଉପରେ ଜିଏସ୍‌ଟି ଲାଗୁ କରିଥିବାରୁ ଗରିବ ଲୋକେ ଚିନ୍ତାରେ। ତେଣୁ ତାହା ତୁରନ୍ତ ଉଚ୍ଛେଦ ହେବା ଉଚିତ। ମୟୂରଭଞ୍ଜରେ ବିଜେପିର ଅଧିକ ସଭ୍ୟ। ମୁଢ଼ି଼ ଉପରେ ଏବେ ଜିଏସ୍‌ଟି ଲାଗୁ ପାଇଁ ସେମାନେ ବି ଦ୍ୱନ୍ଦ୍ୱରେ। ସେହିପରି କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି କହିଲେ ଯେ କେନ୍ଦ୍ର ସରକାର କେତେବେଳେ ଝାଡ଼ା ଓ ପରିସ୍ରା ଉପରେ ଜିଏସ୍‌ଟି ଲାଗୁ କରିଦେବେ। ଗରିବଙ୍କ ଉପରେ ଏହି ନିଷ୍ପତ୍ତି ଆର୍ଥିକ ଚାପ ସୃଷ୍ଟି କରୁଛି। ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେ ଦାବି କରିଥିଲେ।

ଶାସକ ସଭ୍ୟ ଅମର ପ୍ରସାଦ ଶତପଥୀ ମଧ୍ୟ ଏହି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଥିଲେ। ମୁଢ଼ି, ଚୁଡ଼ା, ଉଖୁଡା ଉପରେ ଜିଏସ୍‌ଟି ଲାଗୁ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରିବାର ଥିଲା। ଜିଏସ୍‌ଟି ଲାଗୁ ଦ୍ବାରା କେବଳ ଖାଉଟିମାନଙ୍କ ଉପରେ ବୋଝ ପଡ଼ିବ। ଏ ବାବଦରେ ଆମ ରାଜ୍ୟର ଆଭିମୁଖ୍ୟ କ’ଣ ଅଛି ତାହା ଅର୍ଥ ମନ୍ତ୍ରୀ ଜଣାଇବାକୁ ଶ୍ରୀ ଶତପଥୀ ଦାବି କରିଥିଲେ। ଏହାପରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଯାଇଥିଲେ। ‘ଜିଏସ୍‌ଟି ପ୍ରତ୍ୟାହାର ଆମର ଦାବି’ ‘କେନ୍ଦ୍ର ସରକାର, ତୁମ ମନମାନି ଚଳିବ ନାହିଁ’ ବୋଲି ସେମାନେ ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୦ ମିନିଟ୍ ପାଇଁ ମୁଲତବୀ ରଖିଥିଲେ I ପୁଣି ଗୃହ ଆରମ୍ଭ ହେବା ପରେ କଂଗ୍ରେସ ସଭ୍ୟଙ୍କ ହୋହଲ୍ଲା ଜାରି ରହିଲା। ଏହାରି ଭିତରେ କୋଟିଆ ଉପରେ ବିବୃତି ଦେବା ପାଇଁ ରାଜସ୍ବ ମନ୍ତ୍ରୀଙ୍କୁ ବାଚସ୍ପତି ଡାକିଥିଲେ। ମନ୍ତ୍ରୀଙ୍କ ବିବୃତି ପରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖାଗଲା।

୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପାରେ ଜିଏସ୍‌ଟି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ଶ୍ରୀ ବାହିନୀପତି। ଜିଏସ୍‌ଟି କାଉନ୍‌ସିଲ୍‌କୁ ଚିଠି ଲେଖିବା ପାଇଁ ବା‌ଚସ୍ପତି ଅର୍ଥ ମନ୍ତ୍ରୀଙ୍କୁ କହିଥିଲେ। ଏହା ପରେ ଗୃହ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର