ଚୂଡ଼ଙ୍ଗଗଡ଼ ଜଙ୍ଗଲରେ ହତ୍ୟା ମାମଲା: ଚାଉଳି ନିଶାରେ ବନ୍ଧୁ ବଇରୀ

ସ୍କୁଟିରୁ ତେଲ ସରିଗଲା ବୋଲି ମାରିଦେଲେ, ଜେଲ୍‌ ଗଲେ ପୁଟୁ, ଚାମୁଣ୍ଡା

ବାରଙ୍ଗ: ଚୂଡ଼ଙ୍ଗଗଡ଼ ଜଙ୍ଗଲରେ ଘଟିଥିବା ସୁଶାନ୍ତ ଟୁଡୁ ହତ୍ୟାକାଣ୍ଡ ମାମଲାର ପର୍ଦ୍ଦାଫାସ କରିଛି ଚନ୍ଦକା ଥାନା ପୁଲିସ। ସୁଶାନ୍ତଙ୍କୁ ହତ୍ୟା କରିଥିବା ସନ୍ଦେହରେ ଅଟକ ଥିବା ୨ ଯୁବକ ମୋହନ ମାରାଣ୍ଡି ଓରଫ୍ ଚାମୁଣ୍ଡା ଓ ରାଜେନ୍ଦ୍ର ହାଁସଦା ଓରଫ୍‌ ପୁଟୁଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ହତ୍ୟାକାଣ୍ଡର ସିନ୍‌ ରିକ୍ରିଏସନ୍‌ କରାଯିବା ପରେ ପୁଲିସ ୨ ହତ୍ୟା ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଏବଂ ସେଠାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇଦିଆଯାଇଛି। ମଦ ପିଇ ଘରକୁ ଫେରିବା ବାଟରେ ଜଙ୍ଗଲ ଭିତରେ ସ୍କୁଟିରୁ ପେଟ୍ରୋଲ ସରିଯିବାରୁ ଆରମ୍ଭ ହୋଇଥିବା ଏକ ଛୋଟିଆ ଝଗଡ଼ା ଏହି ହତ୍ୟାକାଣ୍ଡର କାରଣ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି। ମଦ ନିଶାରେ ଚୁର୍‌ ଅଭିଯୁକ୍ତମାନେ ବନ୍ଧୁଙ୍କୁ ବଇରୀ ଭାବି ମାରିଦେଲେ ବୋଲି ପୁଲିସ ଆଗରେ ମାନିଛନ୍ତି।

ଆଜି ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ ୧୧ ତାରିଖ ଦିନ ଦାଢ଼ାପାଟଣା ମୁଣ୍ଡାସାହିର ୩ ସାଙ୍ଗ ସୁଶାନ୍ତ, ଚାମୁଣ୍ଡା ଓ ପୁଟୁ ଚାଉଳି ପିଇବାକୁ ଚୂଡ଼ଙ୍ଗଗଡ଼ ଜଙ୍ଗଲ ଭିତର ପଡ଼ାକୁ ଯାଇଥିଲେ। କଥା ଥିଲା ସୁଶାନ୍ତ ସେମାନଙ୍କୁ ତା’ ସ୍କୁଟିରେ ଜଙ୍ଗଲ ଭିତରକୁ ନେବ ଏବଂ ପେଟ୍ରୋଲ ଖର୍ଚ୍ଚ ନିଜେ ବହନ କରିବ। ଚାମୁଣ୍ଡା ଓ ପୁଟୁ ମଦ ସାଙ୍ଗକୁ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବେ। ସେମାନେ ପ୍ରଥମେ ହାତୀପୋଖରୀ ବସ୍ତିରେ ୧୦୦ ଟଙ୍କାର ଚାଉଳି ପିଇଥିଲେ ଏବଂ ସେଠାରୁ ଫେରିଥିଲେ। କିନ୍ତୁ ଭଲ ଭାବେ ନିଶା ନ ହେବାରୁ ସେମାନେ ପୁଣି ପାଞ୍ଚମାଣିଆ ବସ୍ତିରୁ ୧୦୦ ଟଙ୍କାର ଚାଉଳି ପିଇଥିଲେ। ଫେରିବା ବାଟରେ ହଠାତ୍ ସୁଶାନ୍ତଙ୍କ ସ୍କୁଟିରୁ ପେଟ୍ରୋଲ ସରିଗଲା। ଜଙ୍ଗଲ ଭିତରେ ପେଟ୍ରୋଲ ମିଳିବା ସମ୍ଭବ ନ ହେବାରୁ ସୁଶାନ୍ତ ଗାଡ଼ି ଠେଲିବାକୁ କହିଥିଲା। ଏଥିରେ ପୁଟୁ ଓ ଚାମୁଣ୍ଡା ରାଗି ଯାଇଥିଲେ। କଥା ଅନୁସାରେ ମଦ ଓ ଅନ୍ୟାନ୍ୟ ଖର୍ଚ୍ଚ କରିବାରେ ସେମାନେ ଅବହେଳା କରିନଥିଲେ। କିନ୍ତୁ ସୁଶାନ୍ତ କ’ଣ ପାଇଁ ଗାଡ଼ି‌ରେ ପେଟ୍ରୋଲ୍‌ ଭରିନଥିଲା ବୋଲି ଅଭିଯୋଗ କରି ସେମାନେ ପାଟିତୁଣ୍ଡ କରିଥିଲେ। ସେତେବେଳକୁ ଚାଉଳି ନିଶା ସମସ୍ତଙ୍କ ମୁଣ୍ଡକୁ ଚଢ଼ିସାରିଥାଏ। କେହି କାହାକୁ ବୁଝିବା ଅବସ୍ଥାରେ ନ ଥିଲେ। ତେଣୁ ବଚସା ବଢ଼ିଚାଲିଲା।

ପୁଟୁ ଓ ଚାମୁଣ୍ଡାଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ସେମାନେ ସୁଶାନ୍ତଙ୍କ ବେକରେ ଗାମୁଛା ଗୁଡ଼ାଇ ଭିଡ଼ି ଧରିଥିଲେ। ସୁଶାନ୍ତ ଛଟପଟ ହେଉଥିଲେ ବି ସେମାନେ କେହି ଶତ୍ରୁକୁ ମାରୁଛନ୍ତି ବୋଲି ଭାବୁଥିଲେ। କିଛି ମିନିଟ୍‌ ଛଟପଟ ହେବା ପରେ ସୁଶାନ୍ତ ନିଶ୍ଚଳ ହୋଇପଡ଼ିଥିଲେ। ସୁଶାନ୍ତ ମରିଯିବା ଦେଖି ସେମାନେ ମୃତଦେହକୁ ବାଟରୁ କିଛି ଦୂର ଟାଣି ନେଇ ଏକ ବୁଦାମୂଳରେ ଡାଳପତ୍ର ଘୋଡ଼ାଇ ଦେଇଥିଲେ। ସେଦିନ ରାତିରେ ସୁଶାନ୍ତଙ୍କ ବାପା ରାମଚନ୍ଦ୍ର ପୁଅକୁ ନ ପାଇ ବାରଙ୍ଗ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ପରଦିନ ଅପରାହ୍ଣରେ ପାଞ୍ଚମାଣିଆ ବସ୍ତିର କିଛି ଲୋକ ଜଙ୍ଗଲ ଭିତରେ ମୃତଦେହ ଦେଖି ପୁଲିସକୁ ଜଣାଇବା ପରେ ତାହା ସୁଶାନ୍ତଙ୍କ ଶବ ବୋଲି ଚିହ୍ନଟ ହୋଇଥିଲା। ଏହାପରେ ପୁଲିସ ତଦନ୍ତରୁ ପୁଟୁ ଓ ଚାମୁଣ୍ଡାଙ୍କ ସମ୍ପୃକ୍ତି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର