ପୁରୀ: ଶ୍ରୀମନ୍ଦିର ପତିତପାବନ ବାନା ଅଧିକାରକୁ ନେଇ ଚୁନରା ଓ ଦଇତାପତି ସେବକଙ୍କ ଭିତରେ ବିବାଦ ଦେଖାଦେଇଛି। ଯେଉଁଥିପାଇଁ ବାନା ଲାଗି ବିଳମ୍ବ ହୋଇଛି। ସନ୍ଧ୍ୟା ୫ଟାରେ ଲାଗିବାକୁ ଥିବା ବାନା ବିଳମ୍ବିତ ରାତିରେ ଲାଗି ହୋଇଛି। ରାତିରେ ବାନା ଲାଗିବା ଅଶୁଭ ହୋଇଥିବା ବେଳେ ଭକ୍ତମାନେ ଏହାର ଦୃଢ଼ ସମାଲୋଚନା କରିଛନ୍ତି। ଚୁନରା ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଆଜି ବାନା ଅଧିକାରକୁ ନେଇ ବିବାଦ ଦେଖା ଦେଇଥିଲା। ଦଇତାପତିମାନେ ଓଲାଗି ବାନା ଆମର ବୋଲି ଦାବି କରିଥିଲେ। ଦଇତାପତିମାନେ ବାନା ବନ୍ଧାଇ ନ ଦେବାରୁ ବାନା ଲାଗି ପାରି ନଥିଲା। ଜିଲ୍ଲାପାଳ କହିବା ପରେ ଚୁନରା ପାଳିଆ ସେବକ ବାନା ଲାଗି କରିଛନ୍ତି। ୨୦୦୯ ମସିହାରୁ ଏହି ବିବାଦ ଲାଗି ରହିଛି। କିନ୍ତୁ କେହି ଏହି ବିବାଦର ସମାଧାନ କରୁନାହାନ୍ତି। ଓଲାଗି ବାନାରୁ କେବଳ ୧୪ ହାତ ବାନା ଶ୍ରୀମନ୍ଦିର ପ୍ରଶାସନର ଓ ବାକି ଚୁନରା ସେବକଙ୍କର ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Advertisment

ଚୂନରା ସେବକ ଡ. ଶରତ ଚନ୍ଦ୍ର ମହାନ୍ତି କହିଛନ୍ତି, ଆଜି ବାନା ବାନ୍ଧିବା ବେଳେ ବାନା ଅଧିକାରକୁ ନେଇ ବିବାଦ ଦେଖା ଦେଇଥିଲା। ଦଇତାପତିମାନେ ସ୍ନାନଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଯାହା ବାନା ଓଲାଗି ହେଉଛି ଆମର ଅଧିକାର ବୋଲି ଦାବି କରିଥିଲେ। ଓଲାଗି ବାନା ନ ଦେଲେ ବାନା ବନ୍ଧାଇ ଦେବୁନି ବୋଲି କହିଥିଲେ। କିନ୍ତୁ ଚୁନରା ସେବକମାନେ ଓଲାଗି ବାନା ଆମର ଅଧିକାର ବୋଲି କହିଥିଲେ। ଏହାକୁ ନେଇ ବିବାଦ ବଢିବାରୁ ଚୁନରା ସେବକମାନେ ବାନା ନ ବାନ୍ଧି ପଳାଇଥିଲେ। ଯେଉଁଥିପାଇଁ ଆଜି ବାନା ବାନ୍ଧିବା ବିଳମ୍ବ ହୋଇଥିଲା। ସନ୍ଧ୍ୟା ୫ଟା ବଦଳରେ ସାଢ଼େ ୭ଟାରେ ବାନା ଲାଗି ହୋଇଥିଲା ବୋଲି ଡ. ମହାନ୍ତି କହିଛନ୍ତି।