ମାଛ ଚାଷୀଙ୍କ ପାଇଁ ‘ସିଫା’ ଆଣିଲା ୨ ମୋବାଇଲ ଆପ୍

ଓଡ଼ିଆ ଭାଷାରେ ଚାଷୀମାନେ ପାଇପାରିବେ ମାଛ ଚାଷ ସଂପର୍କିତ ସୂଚନା

ଭୁବନେଶ୍ବର : ରାଜ୍ୟର ମାଛ ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରୀୟ ମଧୁର ଜଳ ଜୀବପାଳନ ପ୍ରତିଷ୍ଠାନ (ସିଫା) ପକ୍ଷରୁ ୨ଟି ମୋବାଇଲ ଆପ୍‌ ପ୍ରସ୍ତୁତ କରାଯାଇଛି। ଏହାକୁ ଡାଉନଲୋଡ୍ କରି ଚାଷୀମାନେ ମାଛ ଚାଷର ପ୍ରଣାଳୀ, ରୋଗ ସଂପର୍କିତ ସମସ୍ୟା ଓ ଅନ୍ୟାନ୍ୟ ସୂଚନା ପାଇପାରିବେ। ଏହା ଇଂରାଜୀ, ହିନ୍ଦୀ ଓ ଓଡ଼ିଆ ଭାଷାରେ ଉପଲବ୍ଧ ହେବ। ରାଜ୍ୟରେ ମାଛ ଉତ୍ପାଦନକୁ ବଢ଼ାଇବା ଓ ଚାଷୀମାନେ ପ୍ରତିଦିନ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହାର ସମାଧାନ ହୋଇପାରିବ ବୋଲି କହିଛନ୍ତି ସିଫାର ନିର୍ଦେଶିକା(ଭାରପ୍ରାପ୍ତ) ବିନ୍ଦୁ ଆର୍‌. ପିଲ୍ଲାଇ।

ଆଜି ସିଫା ପରିସରରେ ଗଣମାଧ୍ୟମ ସହ ଆଲୋଚନା ଅବସରରେ ଶ୍ରୀମତୀ ପିଲ୍ଲାଇ କହିଲେ, ଏହି ଦୁଇ ଆପ୍‌ର ନାଁ ହେଉଛି indaqua ଓ treatmyfish। ରାଜ୍ୟରେ ହାରହାରି ମାଛ ଉତ୍ପାଦନ ହେକ୍ଟର ପିଛା ୨ହଜାର କେଜି ରହିଥିବା ବେଳେ ଜାତୀୟ ହାର ହେକ୍ଟର ପିଛା ୩ହଜାର କେଜି ରହିଛି। ତେଣୁ ଉତ୍ପାଦନ ବଢ଼ାଇବା ପାଇଁ ସିଫା ପକ୍ଷରୁ ଉନ୍ନତମାନର ମାଛ ପ୍ରସ୍ତୁତ କରାଯିବା ସହ ଚାଷୀମାନଙ୍କୁ ସହାୟତା ପ୍ରଦାନ କରାଯାଉଛି। ଏହି indaqua ଆପ୍‌ରେ ଚାଷୀ ମାଛ ଚାଷ ସଂପର୍କିତ ସମସ୍ତ ସୂଚନା ପାଇବେ ଓ treatmyfish ଆପ୍‌ରେ ମାଛରେ ହେଉଥିବା ବିଭିନ୍ନ ରୋଗ ସଂପର୍କିତ ସୂଚନା ମିଳିବ। ଗୁଗୁଲ ପ୍ଲେ’ ଷ୍ଟୋର୍‌ରେ ଏହା ଉପଲବ୍ଧ ହୋଇଛି। ମାତ୍ର ଖୁବଶୀଘ୍ର ଏହା କାର୍ଯ୍ୟ କରିବା ଆରମ୍ଭ କରିବ। ଚାଷୀମାନେ ସେମାନଙ୍କ ମାଛ, ପୋଖରୀ ଓ ପାଣିର ଫଟୋ ଉଠାଇ ଆପ୍‌ରେ ଅପଲୋଡ୍‌ କଲେ ସିଫାର ବୈଜ୍ଞାନିକମାନେ ଏଥିପାଇଁ ଆବଶ୍ୟକ ସୂଚନା ପ୍ରଦାନ କରିବେ।

ମାଛମାନଙ୍କ ଦେହରେ ହେଉଥିବା ରୋଗ ପାଇଁ ଚାଷୀମାନେ ୧୫/୨୦ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ କ୍ଷତି ସହିଥାନ୍ତି। ଓଡ଼ିଶାରେ ଏବେ ୭ ଜୀବାଣୁ, ୭ ପରଜୀବୀ ଓ ୨ କବକ ଜନିତ ରୋଗ ମାଛମାନଙ୍କ କ୍ଷେତ୍ରରେ ଦେଖାଯାଉଛି। ଏହାସହ ବିଦେଶରୁ ମଧ୍ୟ ଅନେକ ରୋଗ ଯୋଗୁଁ ମାଛମାନେ ସଂକ୍ରମିତ ହେଉଛନ୍ତି। ତେଣୁ ଚାଷୀମାନଙ୍କୁ ଏସବୁ ରୋଗରୁ ରକ୍ଷା କରିବା ପାଇଁ ସିଫା ପକ୍ଷରୁ ଔଷଧ ପ୍ରସ୍ତୁତ କରାଯାଉଛି। ନାନୋ ଟେକ୍‌ନୋଲୋଜିକୁ ବ୍ୟବହାର କରି ଗବେଷଣା କରାଯିବା ସହ ଔଷଧ ପ୍ରସ୍ତୁତି ମଧ୍ୟ ହେଉଛି। ରାଜ୍ୟର ଅଧିକାଂଶ ମାଛ ଚାଷୀ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ଜୀବନଧାରଣରେ କିଭଳି ଉନ୍ନତି ଆସିପାରିବ, ସେଥିପାଇଁ ସିଫା ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି ବୋଲି ଶ୍ରୀମତୀ ପଲ୍ଲାଇ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସିଫାର ବୈଜ୍ଞାନିକ ଏସ୍‌ଏସ୍‌ ଗିରି, ବୈଜ୍ଞାନିକ ଜିଏସ୍‌ ଶାହ, ବୈଜ୍ଞାନିକ ପ୍ରିୟବ୍ରତ ସ୍ବାଇଁ, ବୈଜ୍ଞାନିକ ହିମାଂଶୁ ଦେ ଓ ବୈଜ୍ଞାନିକ ଜିତେନ୍ଦ୍ର ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ।

୨୦୧୬ରୁ ନାହାନ୍ତି ସ୍ଥାୟୀ ନିର୍ଦେଶକ

ଭୁବନେଶ୍ବରସ୍ଥିତ ସିଫାକୁ ବାଦ୍ ଦେଲେ ଦେଶବ୍ୟାପୀ ଏହାର ୫ ଆଞ୍ଚଳିକ ପ୍ରତିଷ୍ଠାନ ରହିଛି। ମାତ୍ର ୨୦୧୬ ମସିହାଠାରୁ ସିଫାରେ କେହି ସ୍ଥାୟୀ ନିର୍ଦେଶକ ନାହାନ୍ତି। ପି. ଜୟଶଙ୍କର ଅବସର ନେବା ପରେ ଆଜି ପର୍ଯ୍ୟନ୍ତ ୩ଜଣ ନିର୍ଦେଶକ ଦାୟିତ୍ବ ନେଇଥିଲେ ହେଁ ସମସ୍ତଙ୍କୁ ଭାରପ୍ରାପ୍ତ ଭାବେ ଦାୟିତ୍ବ ଦିଆଯାଉଛି। ଏବେ ଦାୟିତ୍ବରେ ଥିବା ବିନ୍ଦୁ ଆର୍‌. ପିଲ୍ଲାଇଙ୍କ କାର୍ଯ୍ୟକାଳ ମଧ୍ୟ ଆସନ୍ତା ମାସ ୧୨ ତାରିଖରେ ଶେଷ ହେଉଛି। ଏହା ପରେ କିଏ ସିଫାର ଦାୟିତ୍ବ ଗ୍ରହଣ କରିବ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ସ୍ଥାୟୀ ନିର୍ଦେଶକ ନଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଛ ଚାଷୀମାନଙ୍କ ପାଇଁ ଯେଉଁ ସବୁ ଯୋଜନା କରାଯାଉଛି, ତାହା ଠିକ୍‌ ଭାବେ ଚାଷୀ ନିକଟରେ ପହଞ୍ଚି ପାରୁନାହିଁ। ଭାରପ୍ରାପ୍ତ ନିର୍ଦେଶକ ସବୁ ଯୋଜନା ଉପରେ ନିଷ୍ପତ୍ତି ନେବା ସମ୍ଭବ ହେଉ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ତେଣୁ ସିଫାରେ ଜଣେ ସ୍ଥାୟୀ ନିର୍ଦେଶକଙ୍କୁ ଦାୟିତ୍ବ ପ୍ରଦାନ କରିବା ଲାଗି ଦାବି ହୋଇଛି।

ସମ୍ବନ୍ଧିତ ଖବର