ଜାତୀୟ ରାଜପଥରେ ଲୁଟେରାଙ୍କ ରାଜ : ୯ କୋଟିର ସିଗାରେଟ୍‌ ଲୁଟିଲେଣି

ପ୍ରତି ୬ମାସରେ ଘଟୁଛି, ଟେର୍‌ ପାଉନି ପୁଲିସ, ପୁଲିସ୍‌-ଲୁଟେରା ମଧୁଚନ୍ଦ୍ରିକା ନାଁ କମ୍ପାନିର ଚାଲ୍‌?

ଭୁବନେଶ୍ୱର : ଗତବର୍ଷ ମେ’ ୨୦ ତାରିଖରେ ବ଼଼ଡ଼ଚଣା ଥାନା ବନ୍ଦାଳ ଛକରୁ ଲୁଟ୍‌ ହେଲା ଇଣ୍ଡିଆ ଟବାକୋ କଂପାନିର ସିଗାରେଟ୍‌ କଣ୍ଟେନର୍‌। କୋଟି କୋଟି ଟଙ୍କାର ଦାମୀ ସିଗାରେଟ୍‌ ଲୁଟିନେଲେ ଦୁର୍ବୃତ୍ତ। ଗତ ଜାନୁଆରି ୧୨ ତାରିଖରେ ଯାଜପୁର ଜିଲ୍ଲାର କୁଆଖିଆ ଥାନାର ସୁଆଲରେ ଅନୁରୂପ ଢଙ୍ଗରେ ସଂପୃକ୍ତ କଂପାନିର ସିଗାରେଟ୍‌ ଲୁଟି ନେଲେ ଅପରାଧୀ। ଏବେ ଖୋର୍ଧା ଜିଲ୍ଲାର ନିରାକାରପୁର ଥାନା ଅଞ୍ଚଳରେ ଦୁର୍ବୃତ୍ତମାନେ ପୁଣି ୨ କୋଟି ୧୦ଲକ୍ଷ ଟଙ୍କା ମୂଲ୍ୟର ସିଗାରେଟ୍‌ ଲୁଟି ନେଇଛନ୍ତି।

ପାଖାପାଖି ୧୫ମାସ ମଧ୍ୟରେ ତିନି ତିନିଟି ଘଟଣାରେ ପାଖାପାଖି ୯ କୋଟି ଟଙ୍କାର ସିଗାରେଟ୍‌ ଲୁଟ୍‌ ହେବା ଘଟଣା ସମଗ୍ର ଓଡ଼ିଶାରେ ଚାଞ୍ଚଲ୍ୟ ସୃୃଷ୍ଟି କରିଛି। ଜାତୀୟ ରାଜପଥ ଉପରେ ସିଗାରେଟ୍‌ କଣ୍ଟେନରରୁ ରାତାରାତି କୋଟି କୋଟି ଟଙ୍କାର ଦାମୀ ସିଗାରେଟ୍‌ ଲୁଟ୍‌ ହେଉଛି, ଅଥଚ କେହି ଜାଣିପାରୁନାହାନ୍ତି କେମିତି? ସିଗାରେଟ୍‌ କଣ୍ଟେନରରୁ ଟ୍ରକକୁ ସିଗାରେଟ୍‌ ସ୍ଥାନାନ୍ତରଣ ପ୍ରକ୍ରିୟା ଏତେ ସହଜ ନୁହେଁ। ଏଥିପାଇଁ ଢେର୍‌ ସମୟ ଲାଗୁଥିବ। ଜାତୀୟ ରାଜପଥ ଉପରେ ଅପରାଧୀ ବେଧଡକ ଭାବେ ଏଭଳି ଅପରାଧ ଘଟାଇବାକୁ ସାହସ କରିପାରୁଛନ୍ତି, ପୁଲିସ ଜାଣିପାରୁନାହିଁ? ପୁଲିସ ଓ ଲୁଟେରାଙ୍କ ମଧୁଚନ୍ଦ୍ରିକାରେ ଏଭଳି ହରଣଚାଳ ନାଟକ ଚାଲିନି ତ? କମ୍ପାନି କୋଟିକୋଟି ଟଙ୍କା ବୀମା ଅର୍ଥ ହାତେଇବା ପାଇଁ ଏଭଳି ନାଟକ ରଚନା କରିଛି କି?

ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। ଅପରାଧୀ କେଉଁଠାର, ମାଷ୍ଟରମାଇଣ୍ଡ କିଏ ତାକୁ ଖୋଜି ପାଇବା ତ ଦୂରର କଥା, ଅପରାଧର ଖିଅ ବି ଖୋଜି ପାଉନାହାନ୍ତି ତଦନ୍ତକାରୀ ପୁଲିସ ଅଧିକାରୀ। ସବୁ ଅପରାଧରେ ଟ୍ରକ୍‌ ବ୍ୟବହାର ହେଉଛି। ତାର ବି ଟେର୍‌ ମିଳୁନି। ଏସବୁ ଟ୍ରକ୍‌ ଓଡ଼ିଶାର ନା ରାଜ୍ୟ ବାହାରର ସେକଥା ବି ଠଉରାଇ ପାରୁନାହାନ୍ତି ତଦନ୍ତ ଅଧିକାରୀ।

ଫଳରେ ଏହି ମାମଲାକୁ ନେଇ ସନ୍ଦେହ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ସ୍ଥାନୀୟ ପୁଲିସର ଭୂମିକାକୁ ବି କେହି ସହଜରେ ଗ୍ରହଣ କରିପାରୁନାହାନ୍ତି।

ଅନ୍ୟପକ୍ଷରେ ବାରମ୍ବାର ତାଗିଦ୍‌ କରିବା ପରେ ବି ତଦନ୍ତ ଆଗଉନଥିବାରୁ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ନିଜେ ମାମଲା ପରିଚାଳନା କରୁଥିବା ସୂଚନା ମିଳିଛି। ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି, ଗୋଟିଏ ଗୋଟିଏ କଣ୍ଟେନର୍‌ରେ ପାଖାପାଖି ୮ରୁ ୯ କୋଟି ଟଙ୍କାର ସିଗାରେଟ୍‌ ଆସୁଛି। କେବଳ ଓଡ଼ିଶା ନୁହେଁ, ପୁନେ, ହାଇଦ୍ରାବାଦରେ ମଧ୍ୟ ଅନୁରୂପ ଢଙ୍ଗରେ ଅପରାଧୀ ଅପରାଧ ଘଟାଉଛନ୍ତି। ଗତ କିଛି ମାସ ମଧ୍ୟରେ ସମଗ୍ର ଦେଶରେ ଏହିଭଳି ପାଖାପାଖି ୧୧ଟି ମାମଲା ହେଲାଣି। ଆଜି ମହାରାଷ୍ଟ୍ର ପୁଲିସ ସହିତ ଯୋଗାଯୋଗ କରାଯାଇଛି ଓ ଖୁବ୍‌ ଶୀଘ୍ର ତଦନ୍ତ ଆଗେଇବ ବୋଲି ଆଇଜି କହିଛନ୍ତି। ତେବେ ଏହି ଘଟଣାର ମାଷ୍ଟରମାଇଣ୍ଡ ଅଣଓଡ଼ିଆ ବୋଲି ସନ୍ଦେହ କରୁଛି ପୁଲିସ।

ହେଲେ ଓଡ଼ିଶାର ଜାତୀୟ ରାଜପଥ ଉପରେ ଅଣଓଡ଼ିଆ ଦୁର୍ବୃତ୍ତ ଅପରାଧ ଘଟାଇ ପଳାଉଛନ୍ତି, ଏକଥାକୁ ଆଉ କିଛି ବରିଷ୍ଠ ପୁଲିସ ଅଧିକାରୀ ଗ୍ରହଣ କରିପାରୁନାହାନ୍ତି। ଏହି ମାମଲାର ଓଡ଼ିଶା ଲିଙ୍କ୍‌ ବି ଥାଇପାରେ। ଅନ୍ୟଥା ଏତେ ଯୋଜନାବଦ୍ଧ ଭାବେ ଅପରାଧ କରାଯାଇପାରିବ ନାହିଁ। ପୁଣି ଅଣ ଓଡ଼ିଆ ଅପରାଧୀ ଜାତୀୟ ରାଜପଥ ଉପରେ ଚୋରା ଗାଡି ନେଇ ପଳାଇଯିବା ସମ୍ଭବ ନୁହେଁ। ଏଣୁ ନିକଟସ୍ଥ କିଛି ସ୍ଥାନ ଓ ମାଫିଆ ବା ଦଲଲାଙ୍କୁ ସେମାନେ ଏ ଦିଗରେ ବ୍ୟବହାର କରିଥାଇପାରନ୍ତି ବୋଲି ଅଧିକାରୀମାନେ ସନ୍ଦେହ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଆଇଟିସି କମ୍ପାନିର ସିଗାରେଟ୍‌ ବୋଝେଇ କଣ୍ଟେନର୍‌ କୋଲକାତାରୁ ବିଜୟଓ୍ଵାଡ଼ା ଅଭିମୁଖେ ଯାଉଥିବା ବେଳେ ଗତ ୩ ତାରିଖ ରାତି ୮ଟାରେ ଦୁର୍ବୃତ୍ତ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥ ରାମେଶ୍ୱର ଛକ ନିକଟରେ ଟ୍ରକ୍‌ ଆଡ଼ ପକାଇ ଅଟକାଇଥିଲେ। ଡ୍ରାଇଭର୍‌ ସୁଶାନ୍ତ ପ୍ରଧାନଙ୍କୁ ନିକଟ ଜଙ୍ଗଲର ଗଛରେ ବାନ୍ଧି ୨ କୋଟି ୧୦ ଲକ୍ଷ ଟଙ୍କାର ସିଗାରେଟ୍‌ ଲୁଟି ନେଇଥିବାର ପ୍ରଥମେ ଜଙ୍କିଆ ଥାନାରେ ଅଭିଯୋଗ ହୋଇଥିଲା। ପରେ ତାହା ନିରାକାରପୁର ଥାନାକୁ ସ୍ଥାନାନ୍ତର ହୋଇଛି।

ସେହିପରି ଗତ ଜାନୁଆରି ୧୨ତାରିଖରେ ଟାଙ୍ଗି ଥାନା ଅଞ୍ଚଳରୁ ପୁଣି ଏହି ଆଇଟିସି କମ୍ପାନିର ୫କୋଟି ଟଙ୍କାର ସିଗାରେଟ୍‌ ଲୁଟ୍‌ ହୋଇଯାଇଥିଲା। ୪କୋଟି ଟଙ୍କାର ସିଗାରେଟ୍‌ ଦୁବୃର୍ତ୍ତମାନେ ଛାଡ଼ି ପଳାଇଥିଲେ। କୁଆଖିଆ ଥାନାରେ ଘଟଣାର ୩ଦିନ ପରେ ଅର୍ଥାତ୍‌ ୧୫ତାରିଖରେ ଏତଲା ହୋଇଥିଲା।

ଏହାପୂର୍ବରୁ ଗତବର୍ଷ ମେ ୨୦ତାରିଖରେ ସିଗାରେଟ୍‌ ଲୁଟ୍‌ ହୋଇଥିବା ଅଭିଯୋଗ ଯାଜପୁର ସୀମାନ୍ତ କଟକ ଜିଲ୍ଲାର ଟାଙ୍ଗି ଥାନାରେ ହୋଇଥିଲା। ପରେ ମାମଲାକୁ ଯାଜପୁର ଜିଲ୍ଲାର ବଡ଼ଚଣା ଥାନାରେ ପଞ୍ଜୀକରଣ କରାଯାଇଥିଲା। କେସ ନମ୍ବର ୧୦୩/୧୭ରେ ବଡ଼ଚଣା ଥାନାରେ ମାମଲା ରୁଜୁ ହୋଇଛି। ଏଠାରେ ଦୁବୃର୍ତ୍ତମାନେ ୨.୧୬କୋଟି ଟଙ୍କାର ସିଗାରେଟ୍‌ ଲୁଟି ନେଇଥିବାର ଅଭିଯୋଗ ହୋଇଥିଲା। ଲକ୍ଷାଧିକ ଟଙ୍କାର ସିଗାରେଟ୍‌ ମଧ୍ୟ ଡକାୟତ ଛାଡ଼ି ପଳାଇଥିଲେ। ନିରାକାରପୁର ଥାନା ଭଳି ଏଠାରେ ଏକ ପ୍ରକାର ଏତଲା ହୋଇଥିଲା।

ସମ୍ବନ୍ଧିତ ଖବର