ମମତ୍ୱବୋଧର ବିକଳ ସ୍ୱର : ମୋ ପେଟରେ ଥିବା ପିଲା ମରିଯିବ.. ଏଠୁ ଆମକୁ ନେଇଯାଅ

ସହାୟତାର ହାତ ବଢ଼ାଇଲେ ସବ୍ୟସାଚୀ, ସବ୍ୟ ଭାଇଙ୍କ ଭଳି ଭାଇ ସମସ୍ତଙ୍କୁ ମିଳନ୍ତୁ

ଭୁବନେଶ୍ବର : ମୋ ସ୍ବାମୀଙ୍କର ୩ ମାସ ହେଲା କାମ ବନ୍ଦ। ମୁଁ ୮ ମାସର ଗର୍ଭବତୀ। କୋଉ ମୁହୂର୍ତରେ କିଛି ବି ଘଟିପାରେ। ଡାକ୍ତରଙ୍କ ଚେକ୍‌ଅପ୍‌ ତ ଦୂରେ ଥାଉ, ଟଙ୍କା ସରିଯାଇଥିବାରୁ ଓଳିଏ ଖାଇ ରହିବାକୁ ପଡ଼ୁଛି। ପାଖରେ ସାହାରା ବୋଲି କେହି ନାହାନ୍ତି। ମୋ ପିଲା ମରିଯିବ, ମୁଁ ମରିଯିବି। ଆମକୁ ଏଠୁ ନେଇଯାଅ। ମା’ ହେବାକୁ ଯାଉଥିବା ଜଣେ ମହିଳାଙ୍କର ମମତ୍ବବୋଧର ଏହି ବିକଳ ସ୍ବର ସୋସିଆଲ ମିଡିଆରେ ଘୂରି ବୁଲୁଥିଲା। ଏ କଥା ଅଭିନେତା ସବ୍ୟସାଚୀଙ୍କ କ‌ାନରେ ପଡ଼ିବା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସି ସେ ପୁଣିଥରେ ସେବା ଓ ମାନବିକତା ପ୍ରତି ତାଙ୍କ ପ୍ରତିବଦ୍ଧତାର ପରିଚୟ ଦେଇଛନ୍ତି।

ମହିଳା ଜଣଙ୍କ ହେଲେ, ଗଞ୍ଜାମ କବିସୂର୍ଯ୍ୟନଗରସ୍ଥିତ ବୋଲସରର ବାସିନ୍ଦା ରିଙ୍କି ବେହେରା। ଚେନ୍ନାଇରେ ନିଜ ସ୍ବାମୀଙ୍କ ପାଖରେ ରହି ଆସୁଥିଲେ। ତେବେ ଲକ୍‌ଡାଉନ୍‌ ସବୁକିଛି ବଦଳେଇଦେଲା। ନିଜ ପାଇଁ ଯେତିକି ଚିନ୍ତା ନଥିଲା, ତାଙ୍କ ପେଟରେ କଡ଼ ଲେଉଟାଉଥିବା ଶିଶୁଟି ପାଇଁ ସେ ଅଧିକ ଚିନ୍ତିତ ହୋଇ ପଡ଼ିଥିଲେ। କରୋନା ଯୋଗୁଁ ଶ୍ରମିକ ଭାବେ କାମ କରୁଥିବା ତାଙ୍କ ସ୍ବାମୀ ବଳରାମ ବେହେରା କାମ ହରାଇଲେ। ଓଡ଼ିଶା ଫେରି ଆସିବାକୁ ଚାହୁଁଥିଲେ ବି ଗର୍ଭସ୍ଥ ପତ୍ନୀକୁ ନେଇ ଟ୍ରକ କିମ୍ବା ଅନ୍ୟ ବ୍ୟବସ୍ଥାରେ ପଳେଇ ଆସିବାକୁ ବଳରାମ ସାହସ ଜୁଟେଇ ପାରିନଥିଲେ। ଏଣେ ଦୁଇମାସ ଭିତରେ ସମସ୍ତ ସଞ୍ଚିତ ଅର୍ଥ ସରିଯାଇଥିଲା। ଘରକୁ ଫେରିବା ପାଇଁ ସେ ନିକଟସ୍ଥ ଥାନା ଯାଇ ପଞ୍ଜୀକରଣ କଲେ। କିନ୍ତୁ ଏତେ ସଂଖ୍ୟାରେ ଲୋକ ପଞ୍ଜୀକରଣ କରିଥିଲେ ଯେ ତାଙ୍କ ପାଳି ପଡ଼ୁନଥିଲା। ଗର୍ଭରେ ବଢ଼ୁଥିବା ଶିଶୁ ପାଇଁ ଦୁହେଁ ଚିନ୍ତିତ ହୋଇପଡ଼ିଥିଲେ। ଶେଷରେ କିଛି ବାଟ ନପାଇ ନିଜ ସମସ୍ୟାର ଏକ ଭିଡିଓ ପ୍ରସ୍ତୁତ କଲେ। ଅଭିନେତା ସବ୍ୟସାଚୀ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ଭିଟାମାଟିକୁ ଫେରାଇ ନେବାରେ ସହଯୋଗ କରୁଥିବା ଜାଣି ଭିଡିଓଟି ସବ୍ୟସାଚୀଙ୍କୁ ସେୟାର କଲେ। ଭିଡିଓଟି ଦେଖିବା ମାତ୍ରେ ସବ୍ୟସାଚୀଙ୍କର ସେମାନଙ୍କୁ ଭରସା ଦେଲେ, ‘‘ବ୍ୟସ୍ତ ହୁଅନି। ତୁମ ଶିଶୁ ଏଇଠି ଓଡ଼ିଶାରେ ହିଁ ଆଖି ଖୋଲିବ। ତୁମେ ସୁରକ୍ଷିତ ଭାବେ ସମସ୍ତ ଯତ୍ନର ସହ ଏଠାରେ ପହଞ୍ଚିବ। ସେ ଦାୟିତ୍ବ ମୋର। ବଳରାମ, ତୁମେ ମୋ ଭଉଣୀର ଯତ୍ନ ନିଅ। ମୁଁ ଖୁବଶୀଘ୍ର ମାମୁ ହେବାକୁ ଯାଉଛି।’’

ସବ୍ୟସାଚୀଙ୍କ ଏହି ପଦେ କଥା, ସେମାନଙ୍କ ଅବସାଦଗ୍ରସ୍ତ ମନରେ ଶାନ୍ତି ଆଣିଦେଇଥିଲା। କିଛି ଦିନ ଓଡ଼ିଶାକୁ ଫେରିବା ଚିନ୍ତାରେ ଶୋଇ ପାରୁନଥିବା ଦମ୍ପତି ଆଶ୍ବସ୍ତ ହୋଇଥିଲେ। ଗତ ୧୪ ତାରିଖରେ ଏ ସମ୍ପର୍କରେ ଖବର ପାଇ ସବ୍ୟସାଚୀ ସେମାନଙ୍କ ‌ଟିକେଟ୍‌ର ବନ୍ଦୋବସ୍ତ କଲେ। ତାହା କିନ୍ତୁ ୱେଟିଙ୍ଗରେ ଥିଲା। ସ୍ଥିତି ଏମିତି ହେଲା ଯେ ଦୁହେଁ ଷ୍ଟେସନକୁ ଆସି ମଧ୍ୟ ଆସିବାରେ ସମସ୍ୟା ହେଲା। ସବ୍ୟସାଚୀ ଏତିକିରେ ଅଟକି ନଯାଇ ସେଠାକାର ରେଲୱେ ଅଧିକାରୀଙ୍କ ସହ କଥା ହେଲେ। ସବୁ ବିଷୟ ବୁଝାଇବା ପରେ ତାଙ୍କ ପାଇଁ ତୁରନ୍ତ ଜରୁରୀକାଳୀନ କୋଟାରେ ଦୁଇଟି ଟିକେଟ୍‌ର ବନ୍ଦୋବସ୍ତ କରାଗଲା। ଆଉ ସେମାନେ ଓଡ଼ିଶା ଫେରିବାର ବାଟ ଫିଟିଲା।

ଏ ନେଇ ରିଙ୍କି କହିଛନ୍ତି, ସବ୍ୟସାଚୀ ଭାଇଙ୍କ ପାଇଁ ମୁଁ ଓଡ଼ିଶା ଫେରିପାରିଛି। ସେ ସତରେ ସୁପରହିରୋ। ଭାଇ ମତେ ସାହାଯ୍ୟ କରି ଶିଖେଇ ଦେଇଛନ୍ତି ଯେ ବିପଦ ସମୟରେ ପରସ୍ପରକୁ ସାହାଯ୍ୟ କରିବା ପ୍ରତ୍ୟେକଙ୍କ କର୍ତବ୍ୟ। କେ‌ବଳ ଏତିକି କହିବି, ସବ୍ୟସାଚୀଙ୍କ ଭଳି ଭାଇଟିଏ ସମସ୍ତଙ୍କୁ ମିଳନ୍ତୁ।

ସମ୍ବନ୍ଧିତ ଖବର