ଭୁବନେଶ୍ବର : ପ୍ରଖ୍ୟାତ ସିନେ ସାମ୍ବାଦିକ ତଥା ଚଳଚ୍ଚିତ୍ର ପତ୍ରିକା ‘ବାଣୀଚିତ୍ର’ର ପ୍ରତିଷ୍ଠାତା ସମ୍ପାଦକ ପରୀକ୍ଷିତ ଜେନା (୭୯) ଆଉ ନାହାନ୍ତି। ଆଜି ଭୋର୍ ୫ଟା ସମୟରେ ହଠାତ୍ ହୃଦ୍ଘାତର ଶିକାର ହୋଇ ସେ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ୨ ଭାଇ, ୪ ପୁଅ, ବୋହୂ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଆଜି ପୁରୀ ସ୍ବର୍ଗଦ୍ବାରଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ପୁଅ ପାର୍ଥସାରଥୀ ଜେନା ମୁଖାଗ୍ନି ଦେଇଛନ୍ତି। ଶେଷ ଦର୍ଶନ ପାଇଁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ରବିନାରାୟଣ ସେନାପତି, ସାଂସଦ ତଥା ଅଭିନେତା ମୁନ୍ନା ଖାନ୍, ପପୁ ପମ୍ପମ୍, ଇଂ ବିପିନ ନାୟକ, ସିନେ କ୍ରିଟିକ୍ ଆସୋସିସିଏସନ୍ର ସଭାପତି ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ଦିଲ୍ଲୀପ ହାଲି ଓ ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଶ୍ରୀ ଜେନାଙ୍କ ବିୟୋଗରେ ସିନେ ଜଗତ ଓ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି।
ସ୍ବର୍ଗତ ଜେନା ୧୯୪୨ ମସିହା ଅକ୍ଟୋବର ୨୫ ତାରିଖରେ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମହୁରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ରାଜ୍ୟ ଲୋକସେବା ଭବନରେ ଚାକିରି କରୁଥିଲେ ଓ ପ୍ରଥମ ଶ୍ରେଣୀ (କନିଷ୍ଠ ବର୍ଗ) ଅଧିକାରୀ ଭାବେ ଅବସର ନେଇଥିଲେ। ୧୯୬୯ରୁ ଏଯାବତ ଚଳଚ୍ଚିତ୍ର ପତ୍ରିକା ‘ବାଣୀଚିତ୍ର’ ପ୍ରକାଶ କରିଆସୁଥିବା ସ୍ବର୍ଗତ ଜେନା ‘ବାଣୀଚିତ୍ର’ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଆୟୋଜନ କରି ଓଡ଼ିଆ ସିନେ କଳାକାରଙ୍କୁ ପ୍ରୋତ୍ସାହିତ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ସିନେ କଳାକାର ଓ ଟେକ୍ନିସିଆନ୍ମାନେ ଯେତିକି ଉତ୍ସାହିତ ନ ଥିଲେ ତା’ଠାରୁ ଅଧିକ ଆତ୍ମସନ୍ତୋଷ ପାଉଥିଲେ ‘ବାଣୀଚିତ୍ର’ ପୁରସ୍କାର ପାଇବା ପରେ। ଦୀର୍ଘ ପଚାଶ ବର୍ଷ ଧରି ପ୍ରକାଶ ପାଉଥିବା ଏହି ସିନେମା ପତ୍ରିକା ଓ ସିନେ ପୁରସ୍କାର ପାଇ ଓଡ଼ିଶାର ଅନେକ କଳାକାର ଓ ଟେକନିସିଆନ୍ ଗୌରବ ଅନୁଭବ କରୁଥିଲେ। ଓଡ଼ିଶା ସରକାରଙ୍କ ଆଇନ ବିଭାଗରେ କାର୍ଯ୍ୟରତ ପରୀକ୍ଷିତ ବାବୁ ଜଣେ ଥିଏଟର କଳାକାର ଥିଲେ। ସେ ୧୯୬୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ବନ୍ଧନ’ରେ ମଧ୍ୟ ଅଭିନୟ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଗଣମାଧ୍ୟମରେ କାର୍ଯ୍ୟରତ ଥିବା ସମସ୍ତ ସାମ୍ବାଦିକଙ୍କ ସହ ତାଙ୍କର ସୁସମ୍ପର୍କ ଥିଲା। ଚଳଚ୍ଚିତ୍ର ସମ୍ପର୍କିତ ସମ୍ବାଦ ପ୍ରକାଶ କରିବାରେ ପ୍ରାୟ ସାମ୍ବାଦିକଙ୍କ ପାଇଁ ସେ ଜଣେ ସମୟାନୁଧର୍ମୀ ଖବର ବାହକ ଥିଲେ। ଜଣେ ମିଷ୍ଟଭାଷୀ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବେ ସିନେମା, ଯାତ୍ରା, ନାଟକ ଓ ଗଣମାଧ୍ୟମ ଜଗତରେ ଶ୍ରୀ ଜେନା ଅନେକଙ୍କର ପ୍ରିୟ ପରିଚିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/parikhit-jena-f.jpg)