ନିକୁଙ୍କ ପାଇଁ ଭୋଟ ମାଗିଲେ ସିନେ ତାରକା ପୁପିନ୍ଦର, ଲିପ୍‌ସା ଓ ହାସ୍ୟ ଅଭିନେତା ସୁମନ

କେନ୍ଦୁଝର: କେନ୍ଦୁଝରଗଡ଼ ପୌରପାଳିକାର ବିଜେପି ନଗରପାଳ ପ୍ରାର୍ଥୀ ନିକୁ ସାହୁଙ୍କ ପ୍ରଚାରରେ ସାମିଲ ହୋଇଛନ୍ତି ଓଡ଼ିଆ ସିନେ ତାରକା ପୁପିନ୍ଦର ସିଂହ, ଲିପ୍‌ସା ମିଶ୍ର ଏବଂ ହାସ୍ୟ ଅଭିନେତା ସୁମନ। ଆଜି ସିନେ ତାରକାମାନେ ବିଭିନ୍ନ ୱାର୍ଡ ବୁଲି ନିକୁଙ୍କ ପାଇଁ ପ୍ରଚାର କରିଥିଲେ। ୨୧ ନମ୍ବର ୱାର୍ଡର ଗହ୍ମାରିଆ, ତୁଳସୀପୁର, ୧୮ ନମ୍ବର ୱାର୍ଡର ବିଭିନ୍ନ ସ୍ଥାନରେ ଘରକୁ ଘର ବୁଲି ନିକୁଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଭୋଟରମାନେ ମଧ୍ୟ ସେମାନଙ୍କୁ ବନ୍ଦାପନା କରି ସ୍ବାଗତ ଜଣାଉଥିବା ଦେଖିବାକୁ ମିଳିଥିଲା।

ସେହିପରି ବିଜେପି ପକ୍ଷରୁ ବିରାଟ ସମାବେଶ ଅନୁଷ୍ଠିତ ହୋଇଥିଲା। ଅଭିନେତା ଓ ଅଭିନେତ୍ରୀଙ୍କ ମୁହଁରୁ କିଛି ଶୁଣିବାପାଇଁ ଏକାଠି ହୋଇଥିଲେ ହଜାର ହଜାର ସଂଖ୍ୟାରେ କର୍ମୀ ଏବଂ ସମର୍ଥକ। ହାସ୍ୟ ଅଭିନେତା ସୁମନଙ୍କ କମେଡିରେ ଉପସ୍ଥିତ ଥିବା ଜନସାଧାରଣ ହସି ହସି ବେଦମ ହୋଇଥିଲେ।

ସିନେ ଅଭିନେତା ପୁପିନ୍ଦର କେନ୍ଦୁଝରର ବିକାଶ ନିକୁ ସାହୁ ଲଢ଼ୁଛନ୍ତି। ବିନା କୌଣସି ସ୍ବାର୍ଥରେ ନିଜକୁ ପୌରାଞ୍ଚଳର ବିକାଶରେ ସାମିଲ କରିବା ଏବଂ ପୌରାଞ୍ଚଳବାସୀଙ୍କ ସହ ଛିଡ଼ା ହୋଇଥିବାରୁ ତାଙ୍କୁ ସମର୍ଥନ କରିବାକୁ ସେ ନିବେଦନ କରିଥିଲେ। ସେହିପରି ବିଜେପି ସବୁବେଳେ ବିକାଶ କଥା କହିଥାଏ। କେନ୍ଦୁଝରଗଡ଼ ପୌରପାଳିକାର ସର୍ବାଙ୍ଗୀନ ଉନ୍ନତ ପାଇଁ ବିଜେପି ପ୍ରାର୍ଥୀ ନିକୁ ସାହୁ ହିଁ ଏକମାତ୍ର ଯୋଗ୍ୟ ପ୍ରାର୍ଥୀ ବୋଲି ସେ କହିଥିଲେ। ନିକୁ ପ୍ରଚାର ବେଳେ ସହରର ହୋଲଡିଂ ଟ୍ୟାକ୍ସ କମାଇବା ଦିଗରେ ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କହିଥିଲେ। ସିନେ ତାରକାମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା।

ସମ୍ବନ୍ଧିତ ଖବର