ସିନେମା ହଲ ଶିଳ୍ପ ଉପରେ କରୋନା ପ୍ରଭାବ : ସରକାରଙ୍କ ସହଯୋଗ ଲୋଡ଼ିଲା ସିନେମା ହଲ୍‌ ମାଲିକ ସଂଘ

କର୍ମଚାରୀଙ୍କୁ ଦରମା, ବ୍ୟାଙ୍କ କିସ୍ତି ଭରିବାକୁ ବର୍ଷେ ସମୟ

ଭୁବନେଶ୍ବର : କରୋନା ପ୍ରଭାବରେ ସିନେମା ହଲ ଶିଳ୍ପ ଭୁଶୁଡ଼ି ଯିବାକୁ ବସିଛି। ପ୍ରଥମଥର ପାଇଁ ଏତେଦିନ ଧରି ସିନେମା ହଲ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେବା ପରେ ଏହାକୁ ଚଳେଇବା କାଠିକର ହୋଇଯାଇଛି। କରୋନା ପାଇଁ ସିନେମା ହଲ୍‌ ବନ୍ଦ ନିଷ୍ପତ୍ତିକୁ ଅଲ୍‌ ଓଡ଼ିଶା ସିନେମା ହଲ୍‌ ମାଲିକ ସଂଘ ସମର୍ଥନ କରିଥିଲେ ହେଁ ଏହି କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟରୁ ଉଦ୍ଧାର ପାଇଁ ସରକାରଙ୍କ ସହଯୋଗ ଲୋଡ଼ିଛି। ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ‌ଚିଠି ଲେଖାଯାଇଛି। ବିଶେଷକରି ଗତ ‌୧୩ ତାରିଖରୁ ସିନେମା ହଲ ବନ୍ଦ ରହିଥିବାରୁ ଏହା ଉପରେ ନିର୍ଭରଶୀଳ କର୍ମଚାରୀମାନଙ୍କୁ ସେହିଦିନଠାରୁ ସିନେମା ହଲ୍ ଚାଲୁ ହେବା ପର୍ଯ୍ୟନ୍ତ ଦରମା ଦେବାକୁ ନିବେଦନ କରାଯାଇଛି। ଏଥିସହ ବଡ଼ ବଡ଼ ସିନେମା ହଲରେ ବସିଥିବା ବିଦ୍ୟୁତ ୟୁନିଟ ପାଇଁ ଏକ ନିର୍ଦିଷ୍ଟ ଦେୟ ଦେବାକୁ ପଡ଼ୁଥିବାରୁ ଏହା ଛାଡ଼ କରାଯାଉ। ସିନେମା ଚାଲୁନଥିବାରୁ ଏହି ଦେୟକୁ ଏହି ସମୟରେ ବାଦ ଦେଇ କେବଳ ଯେତିକି ୟୁନିଟ ବିଦ୍ୟୁତ ଦେୟ ଆସୁଛି ସେତିକି ନିଆଯାଉ। ଜିଏସ୍‌ଟି ମୁକ୍ତ କରାଯିବା ସହିତ ସିନେମା ହଲ ବନ୍ଦ ରହିବା ପର୍ଯ୍ୟନ୍ତ ପ୍ରୋଭିଡେଣ୍ଟ ଫଣ୍ଡ ଓ ଇଏସଆଇସି ଦେୟ ଦେବାରୁ ସିନେମା ହଲ୍‌ଗୁଡ଼ିକୁ ମୁକ୍ତ ରଖାଯାଉ। ଅନେକ ସିନେମା ହଲ୍‌ ମାଲିକ ବ୍ୟାଙ୍କ ଋଣ କରିଥିବାରୁ ତାଙ୍କୁ ସୁଧ ଛାଡ଼ କରାଯାଉ। ବ୍ୟାଙ୍କ କିସ୍ତି ଭରିବା ପାଇଁ ଗୋଟେ ବର୍ଷ ସମୟ ଦିଆଯାଉ ବୋଲି ସଂଘର ସଭାପତି ବିଜେନ୍ଦ୍ର କୁମାର ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟରେ ୮୦ରୁ ଅଧିକ ସିନେମା ହଲ୍‌ ଥିବା ‌ବେଳେ ହଜାର ହଜାର କର୍ମଚାରୀ ଏହା ଉପରେ ନିର୍ଭରଶୀଳ। ମାତ୍ର ସିନେମା ହଲ୍‌ ବନ୍ଦ ହୋଇଯାଇଥିବାରୁ କର୍ମଚାରୀଙ୍କୁ ‌ଦରମା ଦେବା କଷ୍ଟକର ହୋଇପଡ଼ିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସିନେମା ହଲ୍‌ ମାଲିକମାନଙ୍କୁ ସହଯୋଗ କରିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ଏହି ସ୍ମାରକପତ୍ର ସେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର.ବାଲକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ମୋଟ ୧୨ ଜଣଙ୍କୁ ଦେଇଛନ୍ତି।

ସମ୍ବନ୍ଧିତ ଖବର