ଭୁବନେଶ୍ବର : ଜାନୁଆରି ମାସରେ ସାମାଜିକ, ଧାର୍ମିକ, କ୍ରୀଡ଼ା, ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ‌ଆୟୋଜନ କରାଯାଇପାରିବ। କିନ୍ତୁ କାର୍ଯ୍ୟକ୍ରମ ସ୍ଥଳରେ ଲୋକ ସଂଖ୍ୟା ୨୦୦ ଟପିବନି। ୯ ମାସ ହେଲା ବନ୍ଦ ଥିବା ଅଡିଟୋରିୟମ୍‌, ଥିଏଟର୍‌ ‌ଖୋଲିବ। ୫୦% ଦର୍ଶକଙ୍କୁ ନେଇ ରାଜ୍ୟର ସିନେମା ହଲ୍‌ଗୁଡ଼ିକ ମଧ୍ୟ ଖୋଲିପାରିବ।

Advertisment

ଏମିତି କିଛି କଟକଣାକୁ କୋହଳ କରି ଆଜି ସ୍ବତନ୍ତ୍ର ରିଲିଫ୍ କମିସନର୍‌ଙ୍କ ପକ୍ଷରୁ ଜାନୁଆରି ମାସ ପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ତେବେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଜାନୁଆରି ମାସରେ ବନ୍ଦ ରହିବ। ହିତାଧିକାରୀମାନଙ୍କୁ ପୂର୍ବ ବ୍ୟବସ୍ଥା ପରି ସାମଗ୍ରୀ ଯୋଗାଇଦିଆଯିବ। ପୂର୍ବ ମାସଗୁଡ଼ିକ ପରି ୬ ଫୁଟର ଶାରୀରିକ ଦୂରତା ଓ ମାସ୍କ ପରିଧାନକୁ ଜାନୁଆରି ମାସରେ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। କୌଣସି ହଲ୍‌ରେ କାର୍ଯ୍ୟକ୍ରମ କଲା ବେଳେ ସେଠାରେ ହଲ୍‌ କ୍ଷମତାର ୫୦%ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଏହି ସଂଖ୍ୟା ସର୍ବାଧିକ ୨୦୦ ରହିବ। ଖୋଲା ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କଲା ବେଳେ ସେହି ସ୍ଥାନର ଆକାର ଦେଖି ଲୋକ ସଂଖ୍ୟାକୁ ଅନୁମତି ଦିଆଯିବ। ତାହା ମଧ୍ୟ ୨୦୦ ଭିତରେ। ଏହି ସମସ୍ତ ପ୍ରକାର କାର୍ଯ୍ୟକ୍ରମ ବେଳେ ମାସ୍କ, ସାମାଜିକ ଦୂରତା, ଥର୍ମାଲ୍‌ ସ୍କାନିଂ ଓ ହାତ ଧୁଆ ଆଦିକୁ କଡ଼ାକଡ଼ି ପାଳନ କରାଯିବ। ଏଥିପାଇଁ ସ୍ଥାନୀୟ ଜିଲ୍ଲା ପ୍ରଶାସନ କିମ୍ବା ପୌର ପ୍ରଶାସନ ଠାରୁ ଅନୁମତି ନେବାକୁ ପଡ଼ିବ। ସ୍ଥାନୀୟ ପ୍ରଶାସନ ଚାହିଁଲେ କୋଭିଡ୍‌ ପରିସ୍ଥିତିକୁ ଦେଖି ଲୋକ ସଂଖ୍ୟା କମାଇପାରିବେ। ତେବେ ଯାତ୍ରା ଓ ମ‌େନାରଞ୍ଜନ ପାର୍କ ଖୋଲିବା ଦାୟିତ୍ବ ଜିଲ୍ଲା ଓ ପୌର ପ୍ରଶାସନ ଉପରେ ଛାଡ଼ି ଦିଆଯାଇଛି।

ଜାନୁଆରିରେ ବିବାହ, ବ୍ରତ ଆଦି ଉତ୍ସବରେ ସର୍ବାଧିକ ୨୦୦ ଲୋକ ଏବଂ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିବ।

ସ୍କୁଲ୍‌ ଖୋଲିବା ନେଇ ଦାୟିତ୍ବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା, ପର୍ଯ୍ୟାଲୋଚନା କରି ନିଷ୍ପତ୍ତି ନେବ। ଯଦି ସ୍କୁଲ୍‌ ଖୋଲିବ, ତେବେ କେବଳ ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ କ୍ଲାସ୍‌ ପାଇଁ ଅନୁମତି ମିଳିବ। ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ଜିଲ୍ଲା ଓ ପୌର ପ୍ରଶାସନ ନିଷ୍ପତ୍ତି ନେବେ।

ପ୍ରଦର୍ଶନୀ ହଲ୍‌ଗୁଡ଼ିକରେ ସର୍ବାଧିକ ୨୦୦ ଲୋକଙ୍କୁ ନେଇ କୋଭିଡ୍‌ କଟକଣା ଭିତରେ ବିଜ୍‌ନେସ୍‌ ଟୁ ବିଜ୍‌ନେସ୍‌ ଓ ବିଜ୍‌ନେସ୍‌ ଟୁ କଞ୍ଜ୍ୟୁମର୍‌ କାର୍ଯ୍ୟକ୍ରମ ହୋଇପାରିବ।

କଣ୍ଟେନ୍‌ମେଣ୍ଟ୍‌ ଜୋନରେ ଜାନୁଆରି ୩୧ ଯାଏ ଲକ୍‌ଡାଉନ୍ କଟକଣା ଜାରି ରହିବ। ବିମାନ ଓ ରେଳ ସେବା ପୂର୍ବରୁ ଗାଇଡ୍‌ଲାଇନ୍ ଅନୁଯାୟୀ ଜାରି ରହିବ। ଜାନୁଆରି ୩୧ ଯାଏ ଆନ୍ତର୍ଜାତିକ ବିମାନ ଉଡ଼ାଣ ବନ୍ଦ ରହିବ।

କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିସେମ୍ବର ୩୧ ତାରିଖ ଓ ଜାନୁଆରି ୧ ତାରିଖରେ ସର୍ବସାଧାରଣ ସ୍ଥାନରେ ନୂଆ ବର୍ଷ ପାଳନ ଉପରେ କଟକଣା ଜାରି କରିଛନ୍ତି। ରାଜ୍ୟର କୌଣସି ସ୍ଥାନରେ ଡିସେମ୍ବର ୩୧ ତାରିଖ ରାତିରେ ଜିରୋ ନାଇଟ୍‌ ସେଲିବ୍ରେସନ୍ ହେବ ନାହିଁ କିମ୍ବା ୧ ତାରିଖରେ ନୂଆ ବର୍ଷ ଉତ୍ସବ ହେବ ନାହିଁ। ହୋଟେଲ୍‌, ରେସ୍ତୋଁରା, କ୍ଲବ୍, ପାର୍କ ଓ ଅନ୍ୟ ସର୍ବସା‌ଧାରଣ ସ୍ଥାନରେ ଏହି ଦୁଇ ଦିନ କୌଣସି ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ।