ଜାନୁଆରି ଗାଇଡଲାଇନ୍: ରାଜ୍ୟରେ ଖୋଲିବ ସିନେମା ହଲ, ଥିଏଟର

ଭୁବନେଶ୍ବର : ରାଜ୍ୟର ସିନେମା ପ୍ରେମୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଥିବା ସିନେମା ହଲ ଓ ଥିଏଟରଗୁଡ଼ିକୁ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଜାରି ଜାନୁଆରି ମାସର କରୋନା ଗାଇଡଲାଇନ୍ସରେ ସିନେମା ହଲ ଖୋଲିବା ବିଷୟରେ ଘୋଷଣା କରାଯାଇଛି । ତେବେ ୫୦ ପ୍ରତିଶତ ଦର୍ଶକ ସହ ହଲଗୁଡ଼ିକ ଖୋଲିପାରିବ । ଏହା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରୋନା ଏସଓପି ପାଳନ କରାଯିବ ।

ସେହିପରି ସ୍ଥାନୀୟ ପ୍ରଶାସନର ଅନୁମତି କ୍ରମେ ମୁକ୍ତାକାଶ ମଞ୍ଚ, ଯାତ୍ରାମଞ୍ଚ ଇତ୍ୟାଦି ଖୋଲିପାରିବ । ତେବେ ଏଥିପାଇଁ ସରକାରଙ୍କ କରୋନା ଗାଇଡଲାଇନ ପାଳନ କରିବାକୁ ହେବ ।

ଦେଶରେ ସିନେମା ହଲ ଖୋଲିବାକୁ ଗତ ଅକ୍ଟୋବର ମାସରେ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । ଏଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି ହୋଇଥିଲା ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ଏସଓପି :

୧. ସବୁ ସିନେମା ହଲ ନିଜ କ୍ଷମତାର କେବଳ ୫୦ ପ୍ରତିଶତ ସିଟ ପୂରଣ କରିବେ ।

୨. ପ୍ରତି ସିଟର ପାଖ ଦୁଇଟି ସିଟ ଖାଲି ରହିବ । ଏସବୁ ସିଟରେ ‘କେହି ବସିପାରିବେ ନାହିଁ’ ବୋଲି ଲେଖା ରହିବ ।

୩. ସିନେମା ହଲ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ।

୪. ହଲ ଭିତରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବସ୍ଥା ରହିବ ।

୫. ଟିକେଟ କାଉଣ୍ଟରରେ ଗହଳି କମାଇବାକୁ ଅଧିକ ସଂଖ୍ୟକ କାଉଣ୍ଟର ଖୋଲାଯିବ ।

୬. ଅନଲାଇନ୍ ବୁକିଂକୁ ପ୍ରେତ୍ସାହିତ କରାଯିବ ।

୭. ପ୍ରବେଶ ବେଳେ ଦର୍ଶକଙ୍କ ଥର୍ମାଲ ସ୍କାନିଂ ବା ତାପମାତ୍ରା ମପାଯିବ ।

ସମ୍ବନ୍ଧିତ ଖବର