ପରୀକ୍ଷାର୍ଥୀଙ୍କ ପାଇଁ ସିଆଇଏସ୍‌ସିଇ ବୋର୍ଡର ନିଷ୍ପତ୍ତି : ଯେଉଁଠି ଥିବେ ସେଠାରେ ପରୀକ୍ଷା ଦେଇପାରିବେ

ଭୁବନେଶ୍ବର : କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏଗ୍‌ଜାମିନେସ (ସିଆଇଏସ୍‌ସିଇ) ଅଧୀନରେ ପରୀକ୍ଷା ଦେଉଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଖୁସି ଖବର। ଏବେ ସେମାନେ ଯେଉଁଠି ଅଛନ୍ତି ସେଠାରେ ହିଁ ପରୀକ୍ଷା ଦେଇପାରିବେ। ଯେଉଁ ଜିଲ୍ଲାରେ ପଢ଼ୁଥିଲେ କିମ୍ବା ପରୀକ୍ଷା କେନ୍ଦ୍ର ହୋଇଥିଲା ସେଠାରେ ପରୀକ୍ଷା ଦେବା ପାଇଁ କୌଣସି ବାଧ୍ୟବାଧକତା ନାହିଁ। ଲକ୍‌ଡାଉନ୍‌ ଫଳରେ ଛାତ୍ରଛାତ୍ରୀ ଏବେ ଯେଉଁ ସ୍ଥାନରେ ଅଟକି ରହିଛନ୍ତି ଚାହିଁଲେ ସେଠାରେ(ରାଜ୍ୟ/ସହର/ଜିଲ୍ଲା) ଥିବା ସିଆଇଏସ୍‌ସିଇ ଅଧୀନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ। ବର୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଓ ଅଭିଭାବକ, ଛାତ୍ରଛାତ୍ରୀଙ୍କ ଅନୁରୋଧକୁ ରକ୍ଷା କରି ସିଆଇଏସ୍‌ସିଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ପରୀକ୍ଷା କେନ୍ଦ୍ର ପରିବର୍ତନ ଲାଗି ପରୀକ୍ଷାର୍ଥୀ ୨୦୨୦ରେ ଯେଉଁ ବିଦ୍ୟାଳୟରେ ନାମ ପଞ୍ଜୀକରଣ କରିଛନ୍ତି ତାହା ମାଧ୍ୟମରେ ଆବେଦନ କରି‌ବେ। ଏଥିପାଇଁ ଜୁନ୍‌ ୭କୁ ଶେଷ ତାରିଖ ରଖାଯାଇଛି। ସ୍କୁଲଗୁଡ଼ିକ ମଧ୍ୟ ଏନେଇ ସିଆଇଏସ୍‌ସିଇ କ୍ୟାରିଅର ପୋର୍ଟାଲରେ ଏହାକୁ ଅପ୍‌ଲୋଡ୍‌ କରିବେ। କେନ୍ଦ୍ର ପରିବର୍ତନ ଲାଗି ପରୀକ୍ଷାର୍ଥୀଙ୍କୁ କୌଣସି ପ୍ରକାର ଅର୍ଥ ଦେବାକୁ ପଡ଼ିବ ନାହିଁ। କୋଭିଡ୍‌-୧୯ ଯୋଗୁଁ ଯଦି କୌଣସି ଛାତ୍ରଛାତ୍ରୀ ବାକି ପରୀକ୍ଷା ଦେବାରୁ ବଞ୍ଚିତ ହୁଅନ୍ତି, ସେମାନେ କମ୍ପାଟମେଣ୍ଟାଲ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ପରୀକ୍ଷା କେନ୍ଦ୍ରଗୁଡ଼ିକ ଲାଗି ଖୁବ୍‌ଶୀଘ୍ର ଗାଇଡ୍‌ଲାଇନ୍‌ ଜାରି କରାଯିବ।

ସିଆଇଏସ୍‌ସିଇର ବାକି ଥିବା ଯୁକ୍ତ୨(ଆଇଏସ୍‌ସି) ବିଷୟଗୁଡ଼ିକର ପରୀକ୍ଷା ଜୁଲାଇ ୧, ୩, ୫, ୭, ୯, ୧୧, ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ। ସେହିପରି ଦଶମ ଶ୍ରେଣୀର ବାକି ବିଷୟଗୁଡ଼ିକର ପରୀକ୍ଷା ଜୁଲାଇ ୨, ୪, ୬, ୮, ୧୦ ଓ ୧୨ ତାରିଖରେ କରିବାକୁ ଧାର୍ଯ୍ୟ ହୋଇଛି। ପରୀକ୍ଷା କେନ୍ଦ୍ର ପ୍ରବେଶ ପଥରୁ ହଲ୍‌ ପର୍ଯ୍ୟନ୍ତ ପରୀକ୍ଷାର୍ଥୀ ସାମାଜିକ ଦୂରତ୍ବ ରଖିବେ, ପର୍ଯ୍ୟାୟକ୍ରମେ ପରୀକ୍ଷାର୍ଥୀ ଭିତରକୁ ପ୍ର‌ବେଶ କରିବେ, ମାସ୍କ ପିନ୍ଧିବେ, ନିଜର ସାନିଟାଇଜର ଆଣିବେ, ଗ୍ଲୋଭସ୍‌ ବ୍ୟବହାର କରିପାରିବେ। ପୂର୍ବାହ୍ନ ୧୦ଟା ୪୫ରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ବଣ୍ଟାଯିବ ଓ ସେମାନେ ୧୧ଟାରେ ଉତ୍ତର ଲେଖିବେ।

ସମ୍ବନ୍ଧିତ ଖବର