ଦାନଗଦୀ/ଡୁବୁରୀ : ଟାଟା ଷ୍ଟିଲ୍ ସୁରକ୍ଷା ଦାୟିତ୍ୱରୁ ସିଆଇଏସ୍ଏଫ୍ (କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ) ହଟିବ। ସ୍କୁଲ୍ ଛାତ୍ର, ଶିକ୍ଷକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦରେ କଳିଙ୍ଗନଗରଠାରେ ଉତ୍ତେଜନା ପ୍ରକାଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ୨ ଜଣ ଯବାନଙ୍କୁ ନିଲମ୍ବିତ କରାଯାଇଛି। ଏହି ପଦକ୍ଷେପ ୧୨ ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନକୁ ପ୍ରଶମିତ କରିଛି। ପୁଣିଥରେ କଳିଙ୍ଗନଗର ସ୍ୱାଭାବିକ ଅବସ୍ଥାକୁ ଫେରିଥିବା ଜଣାପଡ଼ିଛି।
ଗତକାଲି ବିଳମ୍ବିତ ରାତିରେ ସିଆଇଏସ୍ଏଫ୍ର ୨୦ରୁ ୨୫ କର୍ମଚାରୀ ହଠାତ୍ ଟାଟା ଷ୍ଟିଲ୍ ଫାଟକ ନିକଟରେ ଥିବା ଗୋବରଘାଟି ସରକାରୀ ଉଚ୍ଚ ବିଦ୍ୟାଳୟ ଭିତରେ ପଶି ଛାତ୍ର ଓ ଶିକ୍ଷକମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସେମାନଙ୍କ ବହିପତ୍ର ଚିରି ଦେଇଥିଲେ। କର୍ମଚାରୀମାନେ ପାଖାପାଖି ୪୫ ମିନିଟ୍ ଧରି ତାଣ୍ଡବଲୀଳା ଚଳାଇଥିଲେ। ଆକ୍ରମଣ ଯୋଗୁ ସହକାରୀ ଶିକ୍ଷକ ରାମଚନ୍ଦ୍ର ରଥଙ୍କ କାନ୍ଧ, ଗୋଡ ଓ ମୁଣ୍ଡରେ ଆଘାତ ଲାଗିଛି। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବାଘବାହାଳୀ ଗ୍ରାମର ଜଣେ ଭିନ୍ନକ୍ଷମ ଛାତ୍ର ସୁନିଲ ବାଙ୍କିରା (୧୧)ର ପିଠିରେ ଆଘାତ ଲାଗିଛି। ଏହିଭଳି ବହୁ ଛାତ୍ର ଓ ଶିକ୍ଷକ ଆହତ ହୋଇଥିବା ଜଣାପଡ଼ିଛି। ଆହତ ଛାତ୍ର ଓ ଶିକ୍ଷକମାନଙ୍କୁ ରାତିରେ ସ୍ଥାନୀୟ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଘଟଣାର ପ୍ରତିବାଦରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଭାବକ, ଶିକ୍ଷକଙ୍କ ସହ ଶହଶହ ଛାତ୍ର ଏକାଠି ହୋଇ ଟାଟା ଷ୍ଟିଲ୍ ସମ୍ମୁଖରେ ଆନ୍ଦୋଳନ ଚଳାଇଥିଲେ। ଟାଟା ଷ୍ଟିଲ୍ ସମ୍ମୁଖରେ ଥିବା ବ୍ୟାରିକେଡ୍ ଓ ସୁରକ୍ଷା ଘରକୁ ଜାଳିଦେବା ସହିତ ବ୍ୟାପକ ଭଙ୍ଗାରୁଜା କରିଥିଲେ। ସକାଳ ୮ଟାଠାରୁ ଟାୟାର୍ ଜାଳି ଡୁବୁରୀ-ଚଣ୍ଡିଖୋଲ ରାସ୍ତା ଅବରୋଧ କରିଥିଲେ। ଆନ୍ଦୋଳନକାରୀମାନେ ଟାଟାଷ୍ଟିଲ୍ର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍ଏଫ୍ଙ୍କୁ ହଟାଇବା ପ୍ରତିଶ୍ରୁତି ସହିତ ସମ୍ପୃକ୍ତ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ଏହି ଆନ୍ଦୋଳନ ଚଳାଇଥିଲେ। ଆଜିର ଏହି ଆନ୍ଦୋଳନ ସ୍ଥଳରେ ଶ୍ରମିକ ନେତା ବାବୁଲି ହାଇବ୍ରୁ, ବିସ୍ଥାପନ ବିରୋଧୀ ଜନମଂଚ ନେତା ରବିନ୍ଦ୍ର ଜାରିକା, ଗୋବରଘାଟି ସରପଞ୍ଚ ସ୍ୱର୍ଣ୍ଣଲତା ବାନରା, ସମିତି ସଭ୍ୟା ଝରଣା ମହାନ୍ତ, ଜିଲ୍ଲା ପରିଷଦ ସଭ୍ୟା ଭାଗ୍ୟଲକ୍ଷ୍ମୀ ରାଉତ ଓ ସ୍ୱର୍ଣପ୍ରଭା ମଲିକ, ସୁକିନ୍ଦା ବ୍ଲକ୍ ଅଧ୍ୟକ୍ଷା ପଦ୍ମାବତୀ ଜେନାଙ୍କ ସମେତ ବହୁ ସ୍ଥାନୀୟ ଜନସାଧାରଣ ବି ଯୋଗଦେଇଥିଲେ। ଖବର ପାଇ ଜିଲ୍ଲାପାଳ ରଂଜନ କୁମାର ଦାସ, ଏସ୍ପି ଚରଣ ସିଂହ ମୀନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚେତନା ସେଠୀ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଅବଦୁଲ ଅଲିମ୍ ଖାଁ, କଳିଙ୍ଗନଗର ଅତିରିକ୍ତ ଏସ୍.ପି. ରାଜକିଶୋର ଦୋରା, ସୁକିନ୍ଦା ତହସିଲଦାର, ସୁକିନ୍ଦା ବିଡିଓ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ନିହାର ରଞ୍ଜନ ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଟାଟା ଷ୍ଟିଲ୍ ସୁରକ୍ଷା ଦାୟିତ୍ୱରୁ ସିଆଇଏସ୍ଏଫ୍ ପ୍ରତ୍ୟାହାର ସହିତ ୨ ଜଣ ଯବାନଙ୍କୁ ନିଲମ୍ବିତ ପରେ ଦୀର୍ଘ ୧୨ ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନ ହଟାଇ ନିଆଯାଇଛି।
ଏ ସଂପର୍କରେ ଟାଟା ଷ୍ଟିଲ କର୍ତ୍ତୃପକ୍ଷ କହିଛନ୍ତି ଯେ, କଳିଙ୍ଗନଗର କାରଖାନାର ସମ୍ପୃକ୍ତ ସ୍କୁଲ୍ ନିକଟର ନିରାପତ୍ତା କର୍ମଚାରୀଙ୍କ ଉପରେ ବହୁବାର ଢେଲା ପଥର ମାଡ କରାଯାଇଛି। ଗତ ଫେବ୍ରୁଆରି ୧୫ ତାରିଖରେ ସେହି ବିଦ୍ୟାଳୟର ଜଣେ ଛାତ୍ର ଢେଲା ପଥର ମାଡ ଘଟଣାରେ ଧରାପଡିଥିଲେ। ଏ ସମ୍ପର୍କରେ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା ।
ଅନ୍ୟପକ୍ଷରେ, ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ, ସିଆଇଏସ୍ଏଫ୍ କର୍ମଚାରୀମାନେ ପାଚେରି ଫାଙ୍କରେ ହଷ୍ଟେଲ ଛାତ୍ରୀମାନଙ୍କୁ ଉଣ୍ଡିବା ସହିତ ଅଶ୍ଳୀଳ ଇଙ୍ଗିତ କରିଆସୁଛନ୍ତି। ତେବେ, ଏହି ଘଟଣାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ଦାସ ଓ ଏସ୍ପି ଶ୍ରୀ ମୀନାଙ୍କ ହସ୍ତକ୍ଷେପ ପରେ ଏହି ବିବାଦର ସମାଧାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Dangadi-Ante-Basinku-Akramana1-1.jpg)