ଟାଟାଷ୍ଟିଲ୍ ଫାଟକ ସମ୍ମୁଖରେ ଭଙ୍ଗାରୁଜା, ପୋଡ଼ାଜଳା
ଦାନଗଦୀ/ଡୁବୁରୀ : ଟାଟା ଷ୍ଟିଲ୍ ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍ଏଫ୍ (କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ) କର୍ମଚାରୀଙ୍କ ଦାଦାଗିରିର ପ୍ରତିବାଦରେ ଆଜି କଳିଙ୍ଗନଗର ଶିଳ୍ପାଞ୍ଚଳରେ ହଙ୍ଗାମା ସୃଷ୍ଟି ହୋଇଛି। ଅଭିଭାବକ, ଶିକ୍ଷକଙ୍କ ସହିତ ଶହଶହ ଛାତ୍ରଛାତ୍ରୀ ଟାଟା ଷ୍ଟିଲ୍ ଫାଟକ ସମ୍ମୁଖରେ ବ୍ୟାପକ ଭଙ୍ଗାରୁଜା ସହ ପୋଡାଜଳା କରିଛନ୍ତି। ସକାଳ ୮ଟାଠାରୁ ଚଣ୍ଡିଖୋଲ-ଡୁବୁରୀ ରାସ୍ତାକୁ ଅବରୋଧ କରି ରଖିଛନ୍ତି। ଖବର ଲେଖା ହେବା ସୁଦ୍ଧା ଆନ୍ଦୋଳନ ଅବ୍ୟାହତ ରହିଥିବା ଜଣାପଡ଼ିଛି।
ଗତକାଲି ବିଳମ୍ବିତ ରାତିରେ ସିଆଇଏସ୍ଏଫ୍ର ୨୦ରୁ ୨୫ କର୍ମଚାରୀ ହଠାତ୍ ଟାଟା ଷ୍ଟିଲ୍ ଫାଟକ ନିକଟରେ ଥିବା ଗୋବରଘାଟି ସରକାରୀ ଉଚ୍ଚ ବିଦ୍ୟାଳୟ ଭିତରେ ପଶି ଛାତ୍ର ଓ ଶିକ୍ଷକମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସେମାନଙ୍କ ବହିପତ୍ର ଚିରି ଦେଇଥିଲେ। କର୍ମଚାରୀମାନେ ପାଖାପାଖି ୪୫ ମିନିଟ୍ ଧରି ତାଣ୍ଡବଲୀଳା ଚଳାଇଥିଲେ। ଆକ୍ରମଣ ଯୋଗୁ ସହକାରୀ ଶିକ୍ଷକ ରାମଚନ୍ଦ୍ର ରଥଙ୍କ କାନ୍ଧ, ଗୋଡ ଓ ମୁଣ୍ଡରେ ଆଘାତ ଲାଗିଛି। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବାଘବାହାଳୀ ଗ୍ରାମର ଜଣେ ଭିନ୍ନକ୍ଷମ ଛାତ୍ର ସୁନିଲ ବାଙ୍କିରା (୧୧)ର ପିଠିରେ ଆଘାତ ଲାଗିଛି। ଏହିଭଳି ବହୁ ଛାତ୍ର ଓ ଶିକ୍ଷକ ଆହତ ହୋଇଥିବା ଜଣାପଡ଼ିଛି। ଆହତ ଛାତ୍ର ଓ ଶିକ୍ଷକମାନଙ୍କୁ ରାତିରେ ସ୍ଥାନୀୟ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଏହି ଘଟଣାର ପ୍ରତିବାଦରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଭାବକ, ଶିକ୍ଷକଙ୍କ ସହ ଶହଶହ ଛାତ୍ର ଏକାଠି ହୋଇ ଟାଟା ଷ୍ଟିଲ୍ ସମ୍ମୁଖରେ ଆନ୍ଦୋଳନ ଚଳାଇଥିଲେ। ଟାଟା ଷ୍ଟିଲ୍ ସମ୍ମୁଖରେ ଥିବା ବ୍ୟାରିକେଡ୍ ଓ ସୁରକ୍ଷା ଘରକୁ ଜାଳିଦେବା ସହିତ ବ୍ୟାପକ ଭଙ୍ଗାରୁଜା କରିଥିଲେ। ସକାଳ ୮ଟାଠାରୁ ଟାୟାର୍ ଜାଳି ଡୁବୁରୀ-ଚଣ୍ଡିଖୋଲ ରାସ୍ତା ଅବରୋଧ କରିଥିଲେ। ଆନ୍ଦୋଳନକାରୀମାନେ ଟାଟାଷ୍ଟିଲ୍ର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍ଏଫ୍ଙ୍କୁ ହଟାଇବା ସହିତ ସମ୍ପୃକ୍ତ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ଏହି ଆନ୍ଦୋଳନ ଚଳାଇଥିଲେ।
ଖବର ପାଇ ଜିଲ୍ଲାପାଳ ରଂଜନ କୁମାର ଦାସ, ଏସ୍ପି ଚରଣ ସିଂହ ମୀନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚେତନା ସେଠୀ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଅବଦୁଲ ଅଲିମ୍ ଖାଁ, କଳିଙ୍ଗନଗର ଅତିରିକ୍ତ ଏସ୍.ପି. ରାଜକିଶୋର ଦୋରା, ସୁକିନ୍ଦା ତହସିଲଦାର, ସୁକିନ୍ଦା ବିଡିଓ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ନିହାର ରଞ୍ଜନ ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ଶେଷ ଖବର ସୁଦ୍ଧା କୌଣସି ସମାଧାନର ସୂତ୍ର ବାହାରି ନଥିବାର ଜଣାପଡ଼ିଛି। ଏପରି ସ୍ଥିତିରେ ଘଟଣାସ୍ଥଳରେ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ଜଣାପଡ଼ିଛି।
ଏ ସଂପର୍କରେ ଟାଟା ଷ୍ଟିଲ କର୍ତ୍ତୃପକ୍ଷ କହିଛନ୍ତି ଯେ, କଳିଙ୍ଗନଗର କାରଖାନାର ସମ୍ପୃକ୍ତ ସ୍କୁଲ୍ ନିକଟର ନିରାପତ୍ତା କର୍ମଚାରୀଙ୍କ ଉପରେ ବହୁବାର ଢେଲା ପଥର ମାଡ କରାଯାଇଛି। ଗତ ଫେବ୍ରୁଆରି ୧୫ ତାରିଖରେ ସେହି ବିଦ୍ୟାଳୟର ଜଣେ ଛାତ୍ର ଢେଲା ପଥର ମାଡ ଘଟଣାରେ ଧରାପଡିଥିଲେ। ଏ ସମ୍ପର୍କରେ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା ।
ଅନ୍ୟପକ୍ଷରେ, ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ, ସିଆଇଏସ୍ଏଫ୍ କର୍ମଚାରୀମାନେ ପାଚେରି ଫାଙ୍କରେ ହଷ୍ଟେଲ ଛାତ୍ରୀମାନଙ୍କୁ ଉଣ୍ଡିବା ସହିତ ଅଶ୍ଳୀଳ ଇଙ୍ଗିତ କରିଆସୁଛନ୍ତି। ଏହିଭଳି, ଆରୋପ, ପ୍ରତ୍ୟାରୋପ ଭିତରେ ସିଆଇଏସ୍ଏଫ୍ କର୍ତ୍ତୃପକ୍ଷ ଏହି ଅଭିଯୋଗ ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Dangadi-Ante-Basinku-Akramana1.jpg)