ଲାଗିବ ଲଗେଜ ସ୍କାନର୍ ଓ ଅତ୍ୟାଧୁନିକ ମେଟାଲ୍ ଡିଟେକ୍ଟର୍
ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ଅଲଗା ହେବ
କୋଣାର୍କ : ବିଶ୍ବଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷା ପାଇଁ ମୁତୟନ ହେବେ ସିଆଇଏସ୍ଏଫ୍ ସୁରକ୍ଷାକର୍ମୀ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ସିଆଇଏସ୍ଏଫ୍ ଓ ଏଏସ୍ଆଇ ମଧ୍ୟରେ ଚୁକ୍ତିନାମା ମଧ୍ୟ ସରିଛି। ମାତ୍ର ସିଆଇଏସ୍ଏଫ୍ ସୁରକ୍ଷାକର୍ମୀଙ୍କ ରହିବା ପାଇଁ ଆବଶ୍ୟକ ଗୃହ ନିର୍ମାଣ ସରି ନଥିବାରୁ ସେମାନେ କାର୍ଯ୍ୟରେ ଯୋଗଦେଇ ପାରିନାହାନ୍ତି। ଘର ନିର୍ମାଣ ପାଇଁ ଟେଣ୍ଡର୍ ସରିଥିବା ବେଳେ ଖୁବ୍ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ। ସୁରକ୍ଷା ଦୃଷ୍ଟି କୋଣରୁ ଏହା ପୂର୍ବରୁ ଅସ୍ଥାୟୀ ଭାବେ ଘରଭଡ଼ା ନିଆଯାଇ ସିଆଇଏସ୍ଏଫ୍ ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ବିଚାରବିମର୍ଷ ଚାଲିଥିବା ଏଏସ୍ଆଇର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ସୂଚନା ମିଳିଛି।
ସୂର୍ଯ୍ୟମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିରର ମୁଖ୍ୟ ପ୍ରବେଶ ପଥରେ ଲଗେଜ୍ ସ୍କାନର୍ ଲଗାଯିବା ସହ ଏକ ଲଗେଜ୍ ଗୃହ ମଧ୍ୟ ନିର୍ମାଣ କରାଯିବ। ସେହିପରି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ମେଟାଲ୍ ଡିଟେକ୍ଟର୍ ଲଗାଯିବା ସହ ମନ୍ଦିରର ପ୍ରବେଶ ଓ ପ୍ରସ୍ଥାନ ପଥ ଭିନ୍ନଭିନ୍ନ ଭାବେ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏବେ ୨୭ ଜଣ ଏସ୍ଆଇଏସ୍ ଘରୋଇ ସୁରକ୍ଷାକର୍ମୀ ଓ ୧୦ ଜଣ ବନ୍ଧୁକଧାରୀ ଘରୋଇ ସୁରକ୍ଷାକର୍ମୀ ସୂର୍ଯ୍ୟମନ୍ଦିରର ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଛନ୍ତି। ଏହି ସୁରକ୍ଷାକର୍ମୀମାନେ ତିନୋଟି ପର୍ଯ୍ୟାୟରେ ପାଳି କରି ଡ୍ୟୁଟି କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ସକାଳ ୬ଟାରୁ ଦିନ ଦୁଇଟା ପର୍ଯ୍ୟନ୍ତ ୧୩ ଜଣ ସୁରକ୍ଷାକର୍ମୀ ଓ ୨ ଜଣ ବନ୍ଧୁକଧାରୀ ରହୁଥିବା ବେଳେ ଦିନ ଦୁଇଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ୧୦ଜଣ ସୁରକ୍ଷାକର୍ମୀ ଓ ୨ଜଣ ବନ୍ଧୁକଧାରୀ ସୁରକ୍ଷାକର୍ମୀ ମୁତୟନ ହେଉଛନ୍ତି। ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ୪ ଜଣ ସୁରକ୍ଷାକର୍ମୀ ସହ ୪ ଜଣ ବନ୍ଧୁକଧାରୀ ମୁତୟନ ହେଉଛନ୍ତି।
ତେବେ ମନ୍ଦିରର ଚାରିପାଖର ବିସ୍ତୃତ ଜାଗାକୁ ଦେଖିଲେ ଏହି ସୁରକ୍ଷାକର୍ମୀମାନେ ପର୍ଯ୍ୟାପ୍ତ ହୋଇପାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ତାଲିମପ୍ରାପ୍ତ ସଶସ୍ତ୍ର ସୁରକ୍ଷାକର୍ମୀ ଯୋଗାଇ ଦେବାକୁ ବାରମ୍ବାର ଦାବି ହୋଇ ଆସୁଥିଲା। ଏ ନେଇ ଗତବର୍ଷ ଅଗଷ୍ଟ ମାସ ଦ୍ବିତୀୟ ସପ୍ତାହରେ ସୂର୍ଯ୍ୟମନ୍ଦିରରେ ସିଆଇଏସ୍ଏଫ୍ ସୁରକ୍ଷାକର୍ମୀ ମୁତୟନ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ରହିଥିଲା। ଏଥିପାଇଁ ଏଏସ୍ଆଇ ଏଡିଜି ଓ ସିଆଇଏସ୍ଏଫ୍ର ବରିଷ୍ଠ ଅଧିକାରୀ କୋଣାର୍କ ପରିଦର୍ଶନରେ ଆସିଥିଲେ। ନଭେମ୍ବର ସୁଦ୍ଧା ସିଆଇଏସ୍ଏଫ୍ ସୁରକ୍ଷାକର୍ମୀମାନେ କାର୍ଯ୍ୟରେ ଯୋଗ ଦେଇପାରନ୍ତି ବୋଲି ଆଶା କରାଯାଉଥିଲା। ମାତ୍ର ରହିବା ପାଇଁ ଘରର ଅଭାବ ଯୋଗୁ ସେମାନେ ଆଜି ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇପାରି ନଥିଲେ। ସେମାନଙ୍କ ରହଣି ପାଇଁ କୋଣାର୍କ ସଂଗ୍ରହାଳୟ ପରିସରରେ ଗୃହ ନିର୍ମାଣର ଯୋଜନା ରହିଥିବା ଜଣାପଡ଼ିଛି। ଆନୁମାନିକ ୧୦୦ ଜଣ ସିଆଇଏସ୍ଏଫ୍ ସୁରକ୍ଷାକର୍ମୀ ସୂର୍ଯ୍ୟମନ୍ଦିର ସୁରକ୍ଷା ଦାୟିତ୍ବରେ ମୁତୟନ ହେବେ ବୋଲି ସୂଚନା ମିଳିଛି। ସୂର୍ଯ୍ୟମନ୍ଦିରର ବିଭିନ୍ନ ସମସ୍ୟା ସଂପର୍କରେ ‘ସମ୍ବାଦ’ରେ ଲଗାତାର ଭାବେ ରିପୋର୍ଟ ପ୍ରକାଶିତ ହୋଇଆସୁଥିବା ବେଳେ ଦୀର୍ଘଦିନର ଦାବି ଓ ଆନ୍ଦୋଳନ ପରେ ମନ୍ଦିରର ଚାରିପାଖରୁ ଗତ କିଛି ଦିନ ତଳେ ଲୁହା ପାଇପ୍ ଖୋଲା ଯାଇଥିଲା। ସେହିପରି ସ୍ଥାନୀୟ ଜନସାଧାରଣଙ୍କ ବାରମ୍ବାର ଦାବି ପରେ ଏବେ ସୂର୍ଯ୍ୟମନ୍ଦିର ସୁରକ୍ଷା ଦାୟିତ୍ବରେ ସିଆଇଏସ୍ଏଫ୍ ସୁରକ୍ଷାକର୍ମୀ ମୁତୟନ ହେବାକୁ ଯାଉଛନ୍ତି ବୋଲି ମତ ପ୍ରକାଶ ପାଇଛି।