ପ୍ରେମରେ ସାରା ବିଶ୍ୱକୁ ଜିଣି ହେବ

କେନିଆ ସାଂସଦ ଓଡ଼ିଆ ଡାକ୍ତର ସ୍ୱରୂପ ରଂଜନ ମିଶ୍ରଙ୍କୁ ନାଗରିକ ସମ୍ବର୍ଧନା

ଓଡ଼ିଶା ମୋ ପାଇଁ ମା’ ଦେବକୀ, କେନିଆ ଯଶୋଦା

ଭୁବନେଶ୍ୱର : ପ୍ରେମ ହିଁ ପୂରା ବିଶ୍ୱକୁ ଏକତା ସୂତ୍ରରେ ବାନ୍ଧିପାରିବ। ପ୍ରେମ ଦେଇ ସାରା ବିଶ୍ୱକୁ ଜିଣି ହେବ। ଏଠି କେହି ପର ନୁହନ୍ତି, ସମସ୍ତେ ଆପଣାର। ସେଇ ଆପଣାର ‘ଭାଇ ଡାକ’ ଜଣେ ଆତଙ୍କବାଦୀକୁ ବି ପରିବର୍ତନ କରିଦେଇପାରିବ ବୋଲି କହିଛନ୍ତି କେନିଆରେ ସାଂସଦ ଭାବେ ନିର୍ବାଚିତ ହୋଇଥିବା ପ୍ରବାସୀ ଓଡ଼ିଆ ଡାକ୍ତର ସ୍ୱରୂପ ରଂଜନ ମିଶ୍ର।

ଆଜି ସନ୍ଧ୍ୟାରେ ‘ସମ୍ବାଦ’ ପରିବାର ପକ୍ଷରୁ ଇଡ୍‌କଲ୍‌ ପ୍ରେକ୍ଷାଳୟରେ ଆୟୋଜିତ ଏକ ଭବ୍ୟ ନାଗରିକ ସମ୍ବର୍ଧନା ସଭାରେ ଡାକ୍ତର ମିଶ୍ରଙ୍କୁ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ସମ୍ବର୍ଧିତ କରିଥିଲେ। ସମ୍ବର୍ଧନାର ଉତ୍ତରରେ ଡା.ମିଶ୍ର କହିଲେ, ମୋ’ର ଦୁଇଟି ମା। ଓଡ଼ିଶା ମୋ ପାଇଁ ଦେବକୀ ମା’ ହେଲେ କେନିଆ ମୋ ଯଶୋଦା ମା’। ଦୁଇ ମା’ ମୋ ପାଇଁ ମହାନ।

୧୯୯୭ରେ ନିଜ କେନିଆ ଯାତ୍ରାର ସ୍ମୃତିଚାରଣ କରି କହିଲେ, ଯୁବାବସ୍ଥାରେ ୧ ବର୍ଷର ପୁଅ ସହ କେନିଆ ଯିବା ବେଳେ ମୋ ପାଖରେ ମାତ୍ର ୫୦୦ ଡଲାର ଥିଲା। ସେତେବେଳେ ଏହାର ମୂଲ୍ୟ ଥିଲା ୨୦ ହଜାର ଟଙ୍କା। ସେଠାକୁ ୬ମାସ ପାଇ ଯାଇଥିଲି। କିନ୍ତୁ ମାସକ ମଧ୍ୟରେ ମତେ ସେଠି ଏତେ ଭଲ ପାଇବା ମିଳିଲା ଯେ, ମୁଁ ସେଠାରେ ମରିବା ପର୍ଯ୍ୟନ୍ତ ରହିବା ପାଇଁ ସ୍ଥିର କରିନେଲି। ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ସହ ବାହାରେ ଡାକ୍ତରୀ ଅଭ୍ୟାସ ଜାରି ରହିଥିଲା। ଯେବେ ଗୁଜୁରାଟୀଙ୍କ ସଂସ୍ପର୍ଶରେ ଆସିଲି ସେତେବେଳେ ମତେ ଉଦ୍ୟୋଗପତି ହେବା ପାଇଁ ମନ ବଳିଲା। ୨୦୦୨ରେ କେନିଆରେ ନାଗରିକତ୍ୱ ଏବଂ ପରେ କେନିଆରେ ମେଡିହିଲ୍‌ ଗ୍ରୁପ୍‌ ପ୍ରତିଷ୍ଠା କରି ପାରିଲି ବୋଲି କହିଥିଲେ।

ଉପସ୍ଥିତ ଯୁବପିଢ଼ିକୁ ଉଦ୍‌ବୋଧନ ଦେଇ ସେ କହିଲେ, ବ୍ୟବସାୟ ପାଇଁ ଟଙ୍କାର ଆବଶ୍ୟକତା ନାହିଁ। ବରଂ ଟଙ୍କା କମାଇବା ପାଇଁ ବ୍ୟବସାୟର ଆବଶ୍ୟକତା ରହିଛି। ତେଣୁ ଉଦ୍ୟୋଗପତି ହେବା ପାଇଁ ମହାତ୍ୱାକାଂକ୍ଷୀ ହୁଅ। ନିଜର ମିସନ୍‌ ଓ ଭିଜନ ପ୍ରସ୍ତୁତ କର। କଠିନ ପରିଶ୍ରମ ସହ ନିଷ୍ଠାବାନ ଓ ସମୟାନୁବର୍ତୀ ହୁଅ। ୭୫ ପ୍ରତିଶତ ଧନୀ ଓ ସଫଳ ବ୍ୟକ୍ତି ନିମ୍ନସ୍ତରରୁ ହିଁ ଆସିଛନ୍ତି। ଯଦି ତୁମ ପାଇଁ ଚାକିରି ନାହିଁ, ତେବେ ନିଜେ ନିଜ ପାଇଁ ଚାକିରି ସୃଷ୍ଟି କର। ସେ ଏକଥା ବି କହିଲେ ଅର୍ଥ ଉପାର୍ଜନ ଏକ ଅପରାଧ ନୁହେଁ। ବିନା ଅର୍ଥରେ କିଛି କରିହେବ ନାହିଁ। ତେଣୁ ଲକ୍ଷ୍ମୀଙ୍କୁ ପାଖକୁ ଆଣିବାକୁ ଚେଷ୍ଟା କର। ଓଡ଼ିଶା ସମ୍ପର୍କରେ ମତ ରଖି କହିଲେ, ଓଡ଼ିଶା ସଂସ୍କୃତି ଓ ଐତିହ୍ୟର ଏକ ସମୃଦ୍ଧ ପ୍ରଦେଶ। ଏଠାରେ ସବୁକିଛି ସମ୍ଭବ।

କେନିଆରେ ନିର୍ବାଚନ ଲଢ଼ି ୨୦୧୭ ଅଗଷ୍ଟରେ ସାଂସଦ ହେବାର ଅଭିଜ୍ଞତାକୁ ପାଥେୟ କରି କହିଲେ, ମୁଁ ଓଡ଼ିଶାରୁ ୧୦ ହଜାର କିଲୋମିଟର ଦୂରରେ ଥାଇ ମଧ୍ୟ ସେଠାରେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲି ଏବଂ ୯୨.୫ ପ୍ରତିଶତ ଭୋଟ୍‌ ପାଇ ଜିତି ପାରିଥିଲି। ଏହା କେବଳ ଭଲ ପାଇବା ଓ ପ୍ରତିଶ୍ରୁତି ପୂରଣ କରିବା ଦ୍ୱାରା ସମ୍ଭବ ହୋଇପାରିଲା। ସେ ଏକଥା ବି କହିଲେ, ରାଜନୀତି କେବଳ ସେବା କରିବାର ଏକ ପ୍ଲାଟ୍‌ଫର୍ମ ନୁହେଁ ବରଂ ସକାରାତ୍ମକ ପରିବର୍ତନ ଆଣିବାର ଏକ ବିରାଟ ସୁଯୋଗ। ବିଶ୍ୱର ୬୦ ପ୍ରତିଶତ ଭୋଟର ହେଉଛନ୍ତି ଯୁବବର୍ଗ। ୭୨ରୁ ୭୫ ପ୍ରତିଶତ ଭୋଟ୍‌ ଦିଅନ୍ତି କେବଳ ଯୁବବର୍ଗ। ତେଣୁ ଯୁବବର୍ଗ ହିଁ ନିଷ୍ପତ୍ତି ନିର୍ଧାରକ। କୌଣସି ନେତା ନୁହଁନ୍ତି। ଗତ ଅଲିମ୍ପିକ୍‌ରେ ଭାରତ ୨ଟି ପଦକ ଜିତିଥିବା ବେଳେ କେନିଆ ଭଳି ରାଷ୍ଟ୍ର ୧୫ଟି ସ୍ୱର୍ଣ୍ଣ ସହ ୧୮ଟି ପଦକ ଜିତିଥିବା କଥା ଉଦହାରଣ ଦେଇ କହିଲେ, ସରକାର ଏବଂ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହଯୋଗରେ ଓଡ଼ିଶାର କିଛି ପିଲାଙ୍କ ପାଇଁ ତାଲିମ୍‌ ବ୍ୟବସ୍ଥା କରିବେ। ମେଡି ହିଲ୍‌ ଗ୍ରୁପ୍‌ ସହଯୋଗରେ ସେ କେନିଆରୁ କୋଚ୍‌ ଯୋଗାଇ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।

ଡାକ୍ତର ମିଶ୍ରଙ୍କୁ ସମ୍ବର୍ଧିତ କରିବା ସହ ଶ୍ରୀ ପଟ୍ଟନାୟକ କହିଲେ, ଡାକ୍ତର ମିଶ୍ରଙ୍କ ଭଳି ଯଦି ୧୦ଟି ଉଦାହରଣ ମିଳନ୍ତା ଆମ ଓଡ଼ିଶାକୁ କେହି ଛୋଟ କରି ଦେଖିବାକୁ ସାହସ ଜୁଟାଇ ପାରନ୍ତା ନାହିଁ। ସେ କେବଳ ସେଠାରେ ଯାଇ ନିଜ ନାଁ ପରିବର୍ତନ କରିନାହାନ୍ତି ବରଂ ସେଠିକାର ସ୍ଥାନୀୟ ଭାଷାକୁ ଏମିତି କରାୟତ୍ତ କରିଛନ୍ତି ଯେ ସେଠିକା ଲୋକେ ବି ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି। ଏହା ଆମ ଶାସକମାନଙ୍କଠାରେ ଦେଖିବାକୁ ମିଳିଲେ ଭଲ ହୁଅନ୍ତା ବୋଲି ସେ କହିଥିଲେ।

‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ‘ସମ୍ବାଦ’ ପକ୍ଷରୁ ଆସନ୍ତା ୧୯ ତାରିଖରେ ହେବାକୁ ଯାଉଥିବା ବ୍ରାଣ୍ଡ୍‌ସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ସମ୍ବାଦ ଏକ୍ସେଲେନ୍ସ ଆଓ୍ଵାର୍ଡ଼ ସଂପର୍କରେ ସୂଚନା ଦେଇଥିବାବେଳେ କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ଜଣେ ଓଡ଼ିଆ ଭାବେ କେନିଆରେ ଡା.ମିଶ୍ରଙ୍କ ସଫଳତା ପାଇଁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର ଡା.ମିଶ୍ରଙ୍କ ସଫଳତାର କାହାଣୀ ସଂପର୍କରେ ସୂଚନା ଦେଇଥିଲେ। ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ ଅତିଥିଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପଦ୍ମଚରଣ ନାୟକ, ହେମନ୍ତ ରଥ, ପଦ୍ମାକର ଗୁରୁ, ସୁମିତ୍ରା ଜେନା, ରାଜୀବ ଲୋଚନ ପ୍ରଧାନ, ମନୋଜ ଜେନା, ଇତିଶ ପ୍ରଧାନ, ମଧୁସୂଦନ ଦାସ, ଶଙ୍କର୍ଷଣ ପରିଡ଼ା ପ୍ରମୁଖ ଡାକ୍ତର ମିଶ୍ରଙ୍କୁ ସମ୍ବର୍ଧିତ କରିଥିଲେ।

ସମ୍ବନ୍ଧିତ ଖବର