ନାଗରିକ ମହାମଞ୍ଚ ପକ୍ଷରୁ ‘ବିଚ୍ଛିନ୍ନାଞ୍ଚଳ ଦିବସ ପାଳନ’, ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ବଞ୍ଚାଇବା ବଡ଼ ଆହ୍ବାନ: ସୌମ୍ୟ

ଭୁବନେଶ୍ବର : କେବଳ ରାଜଧାନୀରେ ସ୍ବର ଉତ୍ତୋଳନ କଲେ ଓଡ଼ିଆ ଭାଷା ବଞ୍ଚିବ ନାହିଁ। ବିଚ୍ଛିନ୍ନାଞ୍ଚଳ ସମେତ ସୀମାବର୍ତ୍ତୀ ଅଞ୍ଚଳକୁ ସୁରକ୍ଷିତ ରଖିବାକୁ ହେଲେ ସେଠାରେ ବି ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାକୁ ପଡ଼ିବ। ସେଠାରେ ଓଡ଼ିଆ ଭାଷାକୁ ବ୍ୟାପକ ଭାବେ ବ୍ୟବହାର କଲେ ଯାଇ ଓଡ଼ିଆ ଭାଷା ବଞ୍ଚିବ ଓ ସେସବୁ ଅଞ୍ଚଳ ଓଡ଼ିଶାର ହୋଇ ରହିବାରେ ସମସ୍ୟା ହେବ ନାହିଁ। ବିଚ୍ଛିନ୍ନାଞ୍ଚଳରେ ଭାଷା ମରିବାର କାରଣ ହେଉଛି, ସେଠାରେ ଓଡ଼ିଆ ଭାଷା ପାଇଁ ଦାବିଦାର କ୍ରମଶଃ ହ୍ରାସ ପାଉଛନ୍ତି। ତେଣୁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାକୁ ବଞ୍ଚାଇବା ଆମ ପାଇଁ ବଡ଼ ଆହ୍ବାନ। ନଚେତ ଲୋକେ ନିଜର ସୁବିଧା ପାଇଁ ଅନ୍ୟ ଭାଷାକୁ ଆପଣାଇବାକୁ ବାଧ୍ୟ ହେବେ। ତେଣୁ ବର୍ତ୍ତମାନର ସୀମାନ୍ତ ପ୍ରହରୀମାନେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ସହ ବର୍ତ୍ତମାନର ପିଢ଼ିକୁ ଭବିଷ୍ୟତ ପ୍ରହରୀ ଭାବେ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଆଜି ଓଡ଼ିଶା ନାଗରିକ ମହାମଞ୍ଚ ପକ୍ଷରୁ ‘ବିଚ୍ଛିନ୍ନାଞ୍ଚଳ ଦିବସ’ ପାଳନ ଅବସରରେ ବୁଦ୍ଧ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମ ‘ଅଖଣ୍ଡ ଓଡ଼ିଶା ଗଠନ ସମୟର ଆହ୍ବାନ’ ସମାବେଶର ମୁଖ୍ୟ ଅତିଥି ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ସୀମାନ୍ତବର୍ତ୍ତୀ ଅଞ୍ଚଳ ସବୁକୁ ସୁରକ୍ଷିତ ରଖିବାକୁ ହେଲେ ପଡ଼ୋଶୀ ରାଜ୍ୟ ଅକ୍ତିଆର କରି ନେଉଥିବା ଅଞ୍ଚଳରେ ସ୍ବେଚ୍ଛାସେବୀ ସରକାରୀ ଅଧିକାରୀମାନେ ସେହି ଅଞ୍ଚଳରେ ନିର୍ଦ୍ଦିଷ୍ଟ ସମୟ ପାଇଁ ରହି ସରକାରୀସ୍ତରରେ ସୀମା ବିବାଦକୁ ସମାଧାନ କରିବେ। ତେବେ ଯାଇ ବିଚ୍ଛିନ୍ନାଞ୍ଚଳର ସୁରକ୍ଷା ସମ୍ଭବ ହୋଇପାରିବ। ‌କୋଟିଆ ଅଞ୍ଚଳକୁ ଉଦାହରଣ ଭାବେ ନେଇ ସେ କହି‌ଥିଲେ ଆମ ସରକାରୀ ଅଧିକାରୀମାନେ ସେଠିକା ଲୋକଙ୍କଠାରୁ ଦୂରରେ ରହୁଥିବା ବେଳେ ଆନ୍ଧ୍ର ଅଧିକାରୀମାନେ ଲୋକଙ୍କ ନିକଟବର୍ତ୍ତୀ ହୋଇପାରୁଛନ୍ତି। ସରକାର ଏହି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ। ସେହିଭଳି ସ୍ବେଚ୍ଛାସେବୀମାନେ ଏକାଠି ହୋଇ ଆଗେଇ ଆସନ୍ତୁ ଓ ସୀମା ସୁରକ୍ଷା ଆନ୍ଦୋଳନ ପାଇଁ ସମୟ ଦେବାକୁ ସେ ଆହ୍ବାନ ଦେଇଥିଲେ।

ବରିଷ୍ଠ ସାମ୍ବାଦିକ ତଥା ମହାମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ କହି‌ଲେ ଯେ ସମଗ୍ର ଓଡ଼ିଆ ଜାତି ଏକାଠି ହୋଇ ବିଚ୍ଛିନ୍ନାଞ୍ଚଳ ପାଇଁ ଲଢ଼େଇ କରିବାର ବେଳ ଆସିଛି। କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା କହିଲେ ଯେ ଆମକୁ ଏକାଠି ହୋଇ ଆମ ଅଧିକାର ଛଡ଼ାଇ ଆଣିବାକୁ ପଡ଼ିବ। ଏହି ଅବସରରେ ଓଡ଼ିଶାର ବିଭିନ୍ନ ସୀମାରେ ସୀମା ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ‘ସୀମାନ୍ତ ପ୍ରହରୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସ୍ବାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ବିବେଦୀ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଭୃଗୁ ବକ୍ସିପାତ୍ର ପ୍ରମୁଖ ନିଜର ମତ ବ୍ୟକ୍ତ କରିଥିଲେ। ବିଜୟ ପରିଡ଼ା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର