ସିଟିଜେନ୍‌ସ ଫୋରମ୍‌ର ସଂଘବାଦୀ ବ୍ୟବସ୍ଥା ଉପରେ ଆଲୋଚନା : ସମଗ୍ର ଦେଶ ଚୁପ୍‌ କାହିଁକି – କନ୍ନନ ଗୋପୀନାଥନ

ଭୁବନେଶ୍ବର : ଗଣତାନ୍ତ୍ରିକ ବ୍ୟବସ୍ଥାରେ ନାଗରିକମାନେ ସରକାରଙ୍କୁ ବାଛୁଥିଲେ। ମାତ୍ର ଏବେ କିଏ ନାଗରିକ ହେବେ, ସେ ନିଷ୍ପତ୍ତି ସରକାର ନେଉଛନ୍ତି। ନାଗରିକର କର୍ତ୍ତବ୍ୟ ସରକାରଙ୍କୁ ପ୍ରଶ୍ନ କରିବା। କିନ୍ତୁ ଏବେ ସରକାର ପ୍ରଶ୍ନ ପଚାରୁଛି, ଆଉ ଆମେ କେବଳ ହଁ ମାରୁଛେ। କଳାଧନ ଫେରାଇ ଆଣିବା, ୩୭୦ ଧାରା ଉଚ୍ଛେଦ, ନାଗରିକ ସଂଶୋଧନ ଆଇନ୍‌, ଜିଏସ୍‌ଟି, ବିମୁଦ୍ରୀକରଣରେ ଲୋକେ ଯନ୍ତ୍ରଣା ଭୋଗିଲେ। ଅଥଚ କେହି ପ୍ରଶ୍ନ ଉଠାଇଲେ ନାହିଁ। ଗଣମାଧ୍ୟମ, ପ୍ରଶାସନ, ନ୍ୟାୟତନ୍ତ୍ର ସମସ୍ତେ ଚୁପ୍‌ ହୋଇଯିବା ଯେତିକି ବଡ଼ କଥା ନୁହେଁ, ନାଗରିକ ସମାଜ ଚୁପ୍‌ ହୋଇଯିବା ସବୁଠୁ ବଡ଼ ବିପଦ। ମନେ ରଖିବା ଉଚିତ୍‌ ଯେ ଯେଉଁ ଦେଶରେ ନାଗରିକ ସମାଜ ଦୁର୍ବଳ ହୋଇଛି ସେଠାରେ ଗଣତନ୍ତ୍ର ଏକଛତ୍ରବାଦରେ ପରିବର୍ତିତ ହୋଇଛି। ଏହା କହିଛନ୍ତି, କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ନିଜ ପଦରୁ ଇସ୍ତଫା ଦେଇ ଚର୍ଚ୍ଚିତ ହୋଇଥିବା ଯୁବ ଆଇଏଏସ୍‌ ଅଧିକାରୀ କନ୍ନନ ଗୋପୀନାଥନ।

ସିଟିଜେନ୍‌ସ ଫୋରମ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଜିନିୟର୍ସ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ଦ୍ବିତୀୟ ବାର୍ଷିକ ଉତ୍ସବରେ ‘ନାଗରିକତା ଓ ସଂଘବାଦ’ ବ୍ୟବସ୍ଥା ଉପରେ ଆଲୋକପାତ କରି ଶ୍ରୀ ଗୋପୀନାଥନ କହିଲେ, ଆମେ ସରକାରଙ୍କ ଦୟାରେ ନୁହେଁ ବରଂ ଆମ ଅଧିକାରକୁ ନେଇ ବଞ୍ଚୁଛେ। ତେଣୁ ଗଣତନ୍ତ୍ରରେ ନାଗରିକର ସବୁଠୁ ବଡ଼ ଦାୟିତ୍ବ ହେଉଛି, ସେ ନିଜର ଉତ୍ତର ଦାୟିତ୍ବକୁ ବୁଝିବା ସହ ସରକାରଙ୍କୁ ପ୍ରଶ୍ନ ପଚାରିବା ଉଚିତ୍‌। ଆବଶ୍ୟକସ୍ଥଳେ ତାକୁ ରାସ୍ତାକୁ ବି ଓହ୍ଲାଇବାକୁ ପଡ଼ିବ ବୋଲି ସେ କହିଛନ୍ତି। ନିଜେ ଇସ୍ତଫା ଦେବାର କାରଣ ସ୍ପଷ୍ଟ କରି ସେ କହିଲେ, ସରକାର ଯେଉଁ ନିଷ୍ପତ୍ତି ନେଲେ ମୁଁ ସେଥିପାଇଁ ଇସ୍ତଫା ଦେଇନାହିଁ, ବରଂ ଲୋକେ ଏହା ବିରୋଧରେ ପ୍ରଶ୍ନ ନପଚାରି ଚୁପ୍‌ ରହିବାରୁ ମୁଁ ଇସ୍ତଫା ଦେଇଥିଲି।

କେରଳର ଅର୍ଥମନ୍ତ୍ରୀ ଡ. ଥୋମାସ ଆଇଜାକ୍‌ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ, ଏ ଦେଶ ବିବିଧତାର ଦେଶ। ସଂଘବାଦୀ ବ୍ୟବସ୍ଥା ଏ ଦେଶର ଭବିଷ୍ୟତ। ଏବେ କିନ୍ତୁ ଏହି ବ୍ୟବସ୍ଥା ଉପରେ ଆକ୍ରମଣ ହେଉଛି। ଏହା ସୂଚିତ କରୁଛି ଯେ, ଦେଶର ଭବିଷ୍ୟତ ଉପରେ ଆକ୍ରମଣ ହେଉଛି। ଶିକ୍ଷା, ସ୍ବାସ୍ଥ୍ୟ ଭଳି ସବୁ କ୍ଷେତ୍ରରେ ରାଜ୍ୟ ବେଶି ଖର୍ଚ କରୁଛି। କିନ୍ତୁ ଶୁଳ୍କ ଆଦାୟ ସୁବିଧା କେନ୍ଦ୍ର ହାତରେ ରହିଛି। ତେଣୁ ଏହା ବିରୋଧରେ ପ୍ରତିବାଦର ସ୍ବର ଶାଣିତ ହେବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ଅବସରରେ ଆୟୋଜିତ ବିଭିନ୍ନ ଅଧିବେଶନରେ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ, ବିଶିଷ୍ଟ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରାକ୍ତନ ପ୍ରଶାସକ କଲ୍ୟାଣ ରୟ, ପ୍ରାକ୍ତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପ୍ରାକ୍ତନ ପୁଲିସ ଡିଜି ଏ.ବି ତ୍ରିପାଠୀ, ସିପିଆଇ (ଏମ୍‌) ନେତା ଜନାର୍ଦ୍ଦନ ପତି, ପ୍ରାକ୍ତନ ପ୍ରଶାସକ ଅଶ୍ବିନୀ ମିଶ୍ର, ପ୍ରଫେସର ସୁରେନ୍ଦ୍ର ଜେନା, ହିନ୍ଦୁସ୍ତାନ ଟାଇମ୍‌ସର ପୂର୍ବତନ ସମ୍ପାଦକ ଡ. ରାଜେଶ ମହାପାତ୍ର, ବିଶ୍ବ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଡ. ଅମିୟ ମହାନ୍ତି ପ୍ରମୁଖ ମତ ରଖିଥିଲେ। ଫୋରମ୍‌ର ଆବାହକ ପ୍ରଦୀପ୍ତ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ସଭାପତି ଡ. ମଧୁସୂଦନ ମିଶ୍ର ଦ୍ବିତୀୟ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ। ତୁଷାରକାନ୍ତ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର