ପାଇକ ସ୍ମାରକୀ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କ ଭେଟିଲେ ନାଗରିକ ପ୍ରତିନିଧି  

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଐତିହାସିକ ବରୁଣେଇ ପାହାଡ଼ ତଳେ ପ୍ରତିଷ୍ଠା ହେବାକୁ ଥିବା ପାଇକ ସ୍ମାରକୀ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆଜି ଖୋର୍ଦ୍ଧା ସହରର ବିଭିନ୍ନ ନାଗରିକ କମିଟି, ସଂଗଠନର ପ୍ରତିନିଧିମାନେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଆଜି ଅପରାହ୍ଣ ପ୍ରାୟ ୫ଟା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ହୋଇଥିବା ଏହି ଆଲୋଚନାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ପୂର୍ବତନ ବିଧାୟକ ଡ ଦିଲିପ ଶ୍ରୀଚନ୍ଦନ, ନ୍ୟୁଥିଂକିଂ ଫୋରମ୍ର ସଭାପତି ନରେନ୍ଦ୍ର ପୃଷ୍ଟି, ସମ୍ପାଦକ ସଂଜୟ ପଟ୍ଟନାୟକ, ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା, ଡିଏଫ୍ଓ ପୂର୍ଣ୍ଣିମା ପାଣ୍ଡିଆନ, ଉପଜିଲ୍ଲାପାଳ ଆଇ ଗୌରବ ଶିବାଜୀ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

ଆଲୋଚନା ସମ୍ପର୍କରେ ସୂଚନା ଦେଇ ଶ୍ରୀ ପୃଷ୍ଟି କହିଛନ୍ତି ଯେ ପୂର୍ବ ଜିଲ୍ଲାପାଳ ପାଇକ ସ୍ମାରକୀର ସ୍ଥାନକୁ ରାଜ୍ୟ ସଂସ୍କୃତି ବିଭାଗକୁ ହସ୍ତାନ୍ତର କରିବାକୁ ରାଜସ୍ୱ ବିଭାଗକୁ କହିଥିଲେ । ଏହାପରେ ରାଜସ୍ୱ ବିଭାଗ କହିଥିଲେ ଯେ ଏହି ସ୍ଥାନକୁ ନେବା ପାଇଁ କେନ୍ଦ୍ର ସଂସ୍କୃତି ବିଭାଗ ଆବେଦନ କରିବା ଆବଶ୍ୟକ । ତେବେ ସ୍ଥାନର ମୂଲ୍ୟ ୩୦ କୋଟି ଟଙ୍କା ହୋଇଥିବାରୁ ଏହାକୁ ବିନାମୂଲ୍ୟରେ କେନ୍ଦ୍ର ସଂସ୍କୃତି ବିଭାଗକୁ କିଭଳି ଦିଆଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ତେବେ ପ୍ରସ୍ତାବିତ ପ୍ରାୟ ୯ ଏକର ୬ଶହ ଡେସିମଲ ସ୍ଥାନ ମଧ୍ୟରୁ କେତେକ ଅଂଶରେ ବନ ବିଭାଗର ଅଧୀନ ଥିବା ଓ ସେଠାରେ ବୃକ୍ଷରୋପଣ କରାଯାଇଥିବାରୁ ଏହାର ମୂଲ୍ୟାୟନ ପାଇଁ ଜିଲ୍ଲାପାଳ ଡିଏଫ୍ଓଙ୍କୁ କହିଥିଲେ । ଆଲୋଚନା ଫଳପ୍ରସୂ ରହିଥିଲା, ଖୋର୍ଦ୍ଧାର ଏକ ପ୍ରତିନିଧି ଦଳ ଖୁବଶୀଘ୍ର ରାଜ୍ୟ ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀଙ୍କୁ ସାକ୍ଷାତ କରି ଏନେଇ ଆଲୋଚନା କରିବେ ବୋଲି ଶ୍ରୀ ପୃଷ୍ଟି କହିଛନ୍ତି ।

ସମ୍ବନ୍ଧିତ ଖବର