ରାଜ୍ୟପାଳଙ୍କୁ ପୁରୀ ନାଗରିକ ମଞ୍ଚର ସ୍ମାରକପତ୍ର

ପୁରୀ : ଶ୍ରୀକ୍ଷେତ୍ର ପୁରୀର ବହୁବିଧ ସମସ୍ୟାକୁ ନେଇ ଆଜି ସଚେତନ ନାଗରିକ ମଞ୍ଚ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେବା ସହ ଏହାର ଆଶୁ ପ୍ରତିକାର ଦିଗରେ ଦୃଷ୍ଟି ଦେବାକୁ ରାଜ୍ୟପାଳଙ୍କୁ ନିବେଦନ କରିଛି। ମଞ୍ଚର ସଭାପତି ପ୍ରସନ୍ନ ଦାଶ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନର ପରିଚାଳନାଗତ ତ୍ରୁଟି ଯୋଗୁଁ ଶ୍ରୀମନ୍ଦିର ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ବ୍ରହ୍ମ ବିଭ୍ରାଟ ଘଟଣା ହେଉ କି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ସବୁ କିଛି ରହସ୍ୟ ଘେରରେ ରହିଛି। ସ୍ବର୍ଗଦ୍ବାର ସଂପ୍ରସାରଣ ପ୍ରସ୍ତାବ ବି ଶୀତଳଭଣ୍ଡାର ଭିତରେ। ଜମିଜମା ବିବାଦରେ ଛନ୍ଦି ହୋଇ ରହିଥିବା ପୁରୀବାସୀଙ୍କ ସମସ୍ୟା ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ। ବହୁ ପ୍ରତୀକ୍ଷିତ ସିଦ୍ଧ ମହାବୀର ରେଳ ଓଭରବ୍ରିଜ ଆଜି ବି ସ୍ବପ୍ନରେ ରହିଛି। ପୁରୀକୁ ଅପରାଧମୁକ୍ତ କରିବା ପାଇଁ ପୁଲିସ ଯେଉଁ ପଣ ନେଇଥିଲା ତାହା କେବଳ ଲୋକଦେଖାଣିଆ ହୋଇ ରହିଯାଇଛି। ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ଏଠାରେ ବଢ଼ିଚାଲିଛି। ନିମ୍ନମାନର ସ୍ବେରେଜ୍‌ କାମ ପାଇଁ ସହର ଭିତରେ ବର୍ଷାଜଳ ନିଷ୍କାସନ ହୋଇପାରୁନି। ସାମାନ୍ୟ ବର୍ଷା ହେଲେ ବଡ଼ଦାଣ୍ଡ ଜଳାର୍ଣ୍ଣବ ହୋଇଯାଉଛି। ମୂଷା ନଈର ପୁନରୁଦ୍ଧାର ବିଳମ୍ବ ଆଉ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ଏସବୁ ସମସ୍ୟାର ସମାଧାନ ପାଇଁ ମଞ୍ଚ ସଭାପତି ଶ୍ରୀ ଦାଶ, ସଂପାଦକ ଲଲଟେନ୍ଦୁ ମିଶ୍ର ଆଜି ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି।

ସମ୍ବନ୍ଧିତ ଖବର