ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବାମପନ୍ଥୀ ଶ୍ରମିକ ସଂଗଠନ ସିଟୁ ପକ୍ଷରୁ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ଧାର୍ଯ୍ୟ କରିବା ସହ ଅନ୍ୟଦାବିଗୁଡ଼ିକର ପୂରଣ ପାଇଁ ଧାରଣା ଦିଆଯାଇଥିଲା।

Advertisment

ପୂର୍ବାହ୍‌ଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିଟୁର ଜିଲ୍ଲା ସମ୍ପାଦକ ଶୈଳେଶ କୁମାର ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ। ଅନନ୍ତ ମଙ୍ଗରାଜ, ସାରଙ୍ଗଧର ବେହେରା, ଗିରୀଶ ଚନ୍ଦ୍ର ମହାରଣା, ବିଧୂଭୂଷଣ ମହାରଣା, ସ୍ବଚ୍ଛସାଥୀ ସଂଘର ସମ୍ପାଦକ ସବିତା ପ୍ରଧାନ, ଗୁପ୍ତା ପାୱାର ଠିକା କମଚାରୀ ସଂଘର ସମ୍ପାଦକ ସୁଦର୍ଶନ ସେନାପତି, ସୁଧୀର ପଣ୍ଡା, ଗୁପ୍ତା ପାୱାର ୱର୍କର୍ସ ୟୁନିଅନ୍‌ର ସମ୍ପାଦକ ଦୁର୍ଗା ପ୍ରସାଦ ସ୍ବାଇ ପ୍ରମୁଖଙ୍କ ସହ ଜଣାଶୁଣା ବାମପନ୍ଥୀ ନେତା ତଥା ସିଟୁର ରାଜ୍ୟସଭାପତି ଜନାର୍ଦ୍ଦନ ପତି ଯୋଗ ଦେଇଥିଲେ। ଏହାପ‌ରେ ଏକ ୮ ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କୁ ଭେଟିଥିଲେ। ଗୁପ୍ତା ପାୱାର କମ୍ପାନୀରେ ୭ଶହ ଶ୍ରମିକ ୩ ମାସ ଧରି ଦରମା ପାଇନଥିବା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୭ ଦିନ ମଧ୍ୟରେ ଶ୍ରମ ଅଧିକାରୀ ଅଭିଯୋଗର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରତିଶ୍ରୁତି ପାଳନ ନେଇପୁଣ ଥରେ ଆସନ୍ତା ୧୬ ତାରିଖରେ ଜିଲ୍ଲାପାଳଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଅନ୍ୟଦାବି ସମ୍ପର୍କରେ ଶ୍ରୀ ମଙ୍ଗରାଜ କହିଛନ୍ତି ଯେ ପ୍ରିମିୟର କେବୁଲ୍‌ ଓ ଗୁପ୍ତା ପାୱାର କର୍ମଚାରୀଙ୍କ ଦରମା ସଂକ୍ରାନ୍ତୀୟ ଦାବି ସହ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ସୁପରଭାଇଜରଙ୍କ ଦରମା ୩୦ହଜାର ଟଙ୍କା ଓସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ ଆଦି ରହିଛି।