କୋଇଡ଼ା: କୋଇଡ଼ା ଖଣି ମଣ୍ଡଳ ଅନ୍ତର୍ଗତ କାଶୀରା ପଞ୍ଚାୟତ ଜେଏସ୍‌ଡବ୍ଲୁ ନାରାୟଣ ଲୌହଖଣି ଗେଟ୍ ସମ୍ମୁଖରେ ସ୍ଥାନୀୟ ଯୁବକଙ୍କୁ କମ୍ପାନି ଅଧୀନରେ ନିଯୁକ୍ତି, ଠିକାସଂସ୍ଥାରେ ବାହାର ଶ୍ରମିକଙ୍କୁ କାମଦେବା ବନ୍ଦକରି ୨୦୦ ଲୋକଙ୍କୁ ଠିକା ନିଯୁକ୍ତି, ସ୍ଥାନୀୟ ରେଳ ସାଇଡିଂମାନଙ୍କୁ ଅଗ୍ରାଧିକାର ସହ ମାଲ ପରିବହନ, ଲୁହାପଥର ଉତ୍ତୋଳନ ଓ ପରିବହନ କାର୍ଯ୍ୟରେ ସ୍ଥାନୀୟ ପରିବହନ ସଂସ୍ଥା ଓ ଲୋକଙ୍କୁ ନିୟୋଜିତ କରିବା, ଚାରିବର୍ଷ ପୂର୍ବେ ସରକାରଙ୍କ ସହ ଚୁକ୍ତି ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ ସ୍ଥାପନ ଆଦି ଦାବି ନେଇ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ଵରେ ସୁନ୍ଦରଗଡ଼ ମାଇନ୍ସ ଆଣ୍ଡ ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ, ବଣାଇ ଟ୍ରକ୍ ଏବଂ ଟିପର ମାଲିକସଂଘ ଓ ସିଆଇଟିୟୁର ସହସ୍ରାଧିକ କର୍ମୀ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ଖଣି ଭିତରେ ପଶି ଖଣିର ସମସ୍ତ କାର୍ଯ୍ୟ ଓ ପରିବହନ ଠପ୍ କରିଥିଲେ। ଲିଖିତ ଓ ମୌଖିକ ଭାବରେ ବାରମ୍ବାର ଦାବି କରାଯାଇଥିବା ସତ୍ତ୍ବେ କମ୍ପାନି ଶୁଣୁ ନଥିବାରୁ ସମାଧାନ ନ ହେବା ପର୍ଯ୍ୟନ୍ତ ବିକ୍ଷୋଭ ଜାରିରହିବ ବୋଲି ବିଧାୟକ କହିଥିଲେ। ଉକ୍ତ ଗଣଧାରଣାରେ ବିଧାୟକ ଶ୍ରୀ ମୁଣ୍ଡାଙ୍କ ସମେତ ସିଆଇଟିୟୁ ରାଷ୍ଟ୍ରୀୟ ଉପସଭାପତି ବିଷ୍ଣୁ ମହାନ୍ତି, ସିପିଆଇଏମ୍‌ ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ, ସୁରେନ୍ଦ୍ର ଦାଶ, ସିଆଇଟିୟୁ ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା, କୋଇଡ଼ା ଜିଲ୍ଲା ପରିଷଦ(କ) ସଭ୍ୟା ସୁଶୀଳା ମୁଣ୍ଡା, ବଣାଇ ଟ୍ରକ୍ ଓ ଟିପର ମାଲିକସଂଘ କାର୍ଯ୍ୟକାରୀ ସଭାପତି ଅଶୋକ ସାମଲ, ଦିବାକର ନାଏକଙ୍କ ସହ ୫ଟି ପଞ୍ଚାୟତର ସରପଞ୍ଚ, ବାଦଲ ବାରିକ, ହଳଧର ଦେହୁରୀ, ପ୍ରଭାତ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ। ବିକ୍ଷୋଭକାରୀ ଖଣି ଭିତରେ ପଶିବା ଉଦ୍ୟମବେଳେ ବିଧାୟକ ଓ କର୍ମୀଙ୍କ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମାଜିଷ୍ଟ୍ରେଟ୍ ଭାବେ କୋଇଡ଼ା ତହସିଲଦାରଙ୍କ ସମେତ ବହୁ ପୁଲିସ ମୁତୟନ ହୋଇଥିଲେ।