୮ ତାରିଖ ଧର୍ମଘଟ ସଫଳ କରିବାକୁ ଆହ୍ବାନ

ନବ ମହାନ୍ତିଙ୍କ ଅଭିଯୋଗକୁ ଜନାର୍ଦ୍ଦନଙ୍କ ଖଣ୍ଡନ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି, ଘରୋଇକରଣ, ରାଷ୍ଟ୍ରାୟାତ୍ତ ସମ୍ପଦକୁ ବିକ୍ରି କରି ଶ୍ରମିକଙ୍କ ଉପରେ ହୋଇଥିବା ଆକ୍ରମଣର ଉପଯୁକ୍ତ ଜବାବ ଦେବା ପାଇଁ ଆସନ୍ତା ୮ ତାରିଖରେ ଶ୍ରମିକ ସଂଗଠନ ‘ସେଣ୍ଟର ଅଫ୍ ଇଣ୍ଡିଆନ୍ ଟ୍ରେଡ୍‌ ୟୁନିଅନ୍‌’ (ସିଟୁ) ଧର୍ମଘଟ ଆହ୍ବାନ ଦେଇଛି। ଆଜି ଶ୍ରମିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନବନିଯୁକ୍ତ ରାଜ୍ୟ କମିଟି ସଭାପତି ଜନାର୍ଦ୍ଦନ ପତି ଏହି ସୂଚନା ଦେବା ସହ ଏହାକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି।

ଏହି ଅବସରରେ ସିଟୁରେ ଜନାର୍ଦ୍ଦନ ପତିଙ୍କର ଏକଛତ୍ରବାଦ ଚାଲିଥିବା ନେଇ ଶ୍ରମିକ ନେତା ନବକିଶୋର ମହାନ୍ତିଙ୍କ ଖୋଲାଖୋଲି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ‘ଗରମ ପାଣିରେ ଘର ପୋଡ଼େନି’ ବୋଲି କହିବା ସହ ଲଢ଼େଇ ନବ ମହାନ୍ତିଙ୍କ ସହ ନୁହେଁ, ବରଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀତି ବିରୋଧରେ ବୋଲି ସ୍ପଷ୍ଟ କରିଛନ୍ତି। ମିଳିତ ଆନ୍ଦୋଳନ ମଞ୍ଚ ତଳେ ସମସ୍ତ ସଂଗଠନକୁ ଏକାଠି କରି ସାଧାରଣ ସ୍ବାର୍ଥ ରକ୍ଷା ପାଇଁ ସିଟୁ ଉଦ୍ୟମ ଅବ୍ୟାହତ ରଖିଛି। ଏଭଳି ସ୍ଥିତିରେ ନବକିଶୋର ମହାନ୍ତିଙ୍କର ଏଭଳି ହୀନ ପ୍ରୟାସ କୌଣସି ପ୍ରଭାବ ପକାଇବ ନାହିଁ। ଯେ ଏଭଳି କରୁଛି ସେ ମୋଦୀଙ୍କ ଚାମଚା ବୋଲି ସେ କହିଛନ୍ତି। ତାଙ୍କ ବିରୋଧରେ ନାନାଦି ଅଭିଯୋଗ ଏବେ ବିଚାରାଧୀନ ରହିଛି। ଏଣୁ ଏ ସମୟରେ କିଛି କହିବା ଉଚିତ ହେବ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ସିଟୁ ସମ୍ମିଳନୀରେ ଜନାର୍ଦ୍ଦନ ପତି ରାଜ୍ୟ କମିଟି ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ବିଷ୍ଣୁ ମହାନ୍ତି ସାଧାରଣ ସମ୍ପାଦକ, ନବକିଶୋର ମହାନ୍ତି ଉପସଭାପତି ଓ ଦୁଷ୍ମନ୍ତ ଦାସ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଛନ୍ତି। ଶ୍ରୀ ପତିଙ୍କ ଆପତ୍ତିଜନକ କାର୍ଯ୍ୟକଳାପ ସମ୍ପର୍କରେ କେନ୍ଦ୍ରୀୟ ନେତୃତ୍ବଙ୍କୁ ନବ ମହାନ୍ତି ଚିଠି ଲେଖି ଅବଗତ କରାଇଛନ୍ତି। ଶ୍ରୀ ପତିଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ରାଜ୍ୟରେ ସିପିଆଇ(ଏମ୍‌) ଓ ସିଟୁ ସଂଗଠନ ଦୁର୍ବଳ ହେବାରେ ଲାଗିଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର