ଭୁବନେଶ୍ବର : ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ୍ ଓ କୃଷକ ବିରୋଧୀ ୩ଟି କୃଷି ଆଇନ୍ ପ୍ରତ୍ୟାହାର, ୨୦୨୦ ବିଦ୍ୟୁତ୍ ବିଲ୍ ବାତିଲ୍ ଦାବି ନେଇ ସିଆଇଟିୟୁ ପକ୍ଷରୁ ଲୋୟର୍ ପିଏମ୍ଜିରେ ଏକ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସମାବେଶରେ ଶ୍ରମିକ ନେତାମାନେ ଦେଶରୁ ଘରୋଇକରଣ ବନ୍ଦ କରିବା, ଆୟକର ଦେଉନଥିବା ପ୍ରତ୍ୟେକ ପରିବାରକୁ ମାସିକ ୭୫୦୦ ଟଙ୍କା ପ୍ରଦାନ, ଗରିବ ପରିବାରକୁ ମାସିକ ୧୦ କେଜି ଖାଦ୍ୟଶସ୍ୟ ପ୍ରଦାନ, ବର୍ଷକୁ ୨୦୦ ଦିନ କାମ ସହିତ ଦୈନିକ ମଜୁରୀ ୭୦୦ଟଙ୍କାକୁ ବୃଦ୍ଧି କରିବା, ନୂତନ ପେନସନ୍ ସ୍କିମ୍କୁ ହଟାଇ ପୁରୁଣା ସ୍କିମ୍ ଲାଗୁ କରିବା, ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ଟାଟା ପାଵାରକୁ ହସ୍ତାନ୍ତର ବନ୍ଦ କରିବା, ପରିବହନ ଶ୍ରମିକ ଆଇନ୍ ୨୦୧୯ ବାତିଲ୍, ରାଜ୍ୟ ସରକାରଙ୍କ ସଂଶୋଧିତ ଠିକା ଶ୍ରମଆଇନ୍ ୧୯୭୦ ବାତିଲ୍ ଆଦି ୨୦ଟି ଦାବି ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।
ଏନେଇ ସିଆଇଟିୟୁ ପକ୍ଷରୁ ଏକ ୩୦ ଦଫା ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ସମେତ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଶକ୍ତି, ଶିଳ୍ପ ଓ ଏମ୍ଏସ୍ଏମ୍ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ୍ ପ୍ରମୁଖ ୧୩ ଜଣ ମନ୍ତ୍ରୀ ଓ ସଚିବଙ୍କ ଉଦ୍ଦେଶ୍ୟରେ ପୁଲିସ୍ ମାଧ୍ୟମରେ ଦିଆଯାଇଥିଲା। ସିଆଇଟିୟୁର ସଭାପତି ଜନାର୍ଦ୍ଦନ ପତିଙ୍କ ସଭାପତିତ୍ବରେ ଆୟୋଜିତ ଏହି ଶ୍ରମିକ ସମାବେଶ କାର୍ଯ୍ୟକ୍ରମରେ ଉପସଭାପତି ବିଷ୍ଣୁ ମହାନ୍ତି, ସିପିଆଇଏମ୍ର ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଉଦ୍ବୋଧନ ଦେଇ କହିଥିଲେ, ଯଦି ଶ୍ରମିକ ବିରୋଧୀ ଶ୍ରମ ଆଇନ୍ ପ୍ରତ୍ୟାହାର ନ ହୁଏ, ତେବେ ଆଗାମୀ ଫେବ୍ରୁଆରି ୩ ତାରିଖରେ ସମସ୍ତ ଶିଳ୍ପ ସଂସ୍ଥାଗୁଡ଼ିକ ସମ୍ମୁଖରେ ପରିବର୍ତ୍ତିତ ଶ୍ରମ କୋଡ୍ଗୁଡ଼ିକ ପୋଡ଼ାଯାଇ ପ୍ରତିବାଦ କରାଯିବ। ଏହା ସହିତ ବ୍ଲକ୍ସ୍ତରରେ ମଧ୍ୟ ପ୍ରତିବାଦ କରାଯିବ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/m5-4.jpg)