ଜୟପୁର: ଜୟପୁର–ବୋରିଗୁମ୍ମା ଜାତୀୟ ରାଜପଥକଡ଼ ଜୟପୁର ଜୀବନବୀମା କାର୍ଯ୍ୟାଳୟ ପାର୍ଶ୍ବରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ୨୦ଟି ସିଟି ବସ୍‌ ମଧ୍ୟରୁ ଆଜି ଆଉ ଗୋଟିଏ ବସରେ ନିଆଁ ଲାଗିଯାଇଛି। ଏଥି ପୂର୍ବରୁ ଗତ ନଭେମ୍ବର ମାସ‌ରେ୨ଟିରେ ନିଆଁ ଲାଗିଥିଲା। ସୂଚନା ପାଇ ଜୟପୁର ଅଗ୍ନିଶମ ବିଭାଗର ସହକାରୀ ଅଗ୍ନିଶମ ଅଧିକାରୀ ସୁରେଶ ବାରିକ ସଦଳବଳକୁ ନେଇ ନିଆଁ ଲିଭାଇଥିଲେ।

Advertisment

୨୦୧୬ମସିହାରେ ରାଜ୍ୟସରକାର ୨୦ଟି ବସକୁ ନେଇ ଆରମ୍ଭ କରିଥିଲେ ‘‘ସିଟି ବସ ‌ସେବା ’’ ଯୋଜନା। ଜୟପୁରରୁ କୋରାପୁଟ, ବୋରିଗୁମ୍ମା, କୋଟପାଡ, କୁନ୍ଦୁରା, ପଟାଙ୍ଗି, ସୁନାବେଡା, ସିମିଳିଗୁଡା ଆଦି ଗାଁକୁ ଏହି ସିଟି ବସ ସେବା ଆରମ୍ଭ ହୋଇଥିଲା। ଜୟପୁର-କୋରାପୁଟ-ସୁନାବେଡ଼ା ଅର୍ବାନ ଟ୍ରାନସଫୋର୍ଟ ଟ୍ରଷ୍ଟ ଗଠନ କରାଯାଇଥିଲା। ଏଥିରେ ଅଧ୍ୟକ୍ଷ ଜିଲ୍ଲାପାଳ, ଟ୍ରଷ୍ଟର ସଭ୍ୟ ଭାବେ ଏସପି, ଜୟପୁର, ସୁନାବେଡା, କୋରାପୁଟ ଓ କୋଟପାଡ ପୌରପାଳିକା ନିର୍ବାହୀ ଅଧିକାରୀ, କ୍ରିଟ ସଂପାଦକ, ଆରଟିଓ, ହାଲ, ନାଲକୋ ଓ ବିଭାଗର ଜଣେ ମନୋନୀତ ପ୍ରତିନିଧି ଏଥିରେ ସଭ୍ୟ। ଏପରିକି ଜୟପୁର ପୌରପାଳିକା ଏହି ଟ୍ରଷ୍ଟ ପାଇଁ ଜୟପୁର ପୌରପାଳିକା ୪ଲକ୍ଷ, କୋରାପୁଟ ‌ପୌରପାଳିକା ୨ଲକ୍ଷ , ସୁନାବେଡା ପୌରପାଳିକା , କ୍ରିଟ୍ , ନାଲକୋ ଓ ହାଲ ଏକ ଲକ୍ଷ ଲେଖାଏଁ ଏଭଳି ୧୦ଲକ୍ଷ ଜମା କରାଯାଇଥିଲା।

ଏଠାରେ ଥିବା ୨୦ଟି ବସରୁ ୨ଟିରେ ଗତ ନଭେମ୍ବର ମାସ ୩ତାରିଖରେ ନିଆଁ ଲାଗିଥିଲା। ଆଜି ଗୋଟିଏ ବସ ସଂପୁର୍ଣ୍ଣ ହୁତହୁତ୍ ହୋଇ ନିଆଁ ଲାଗିଯାଇଥିବା କହିଛନ୍ତି ଜୟପୁର ଅଗ୍ନିଶମ ବିଭାଗର ସହକାରୀ ଅଗ୍ନିଶମ ଅଧିକାରୀ ଶ୍ରୀ ବାରିକ। ତେବେ ବେଳ ଥାଉଣୁ ପ୍ରଶାସନ ତୁରନ୍ତ ଏହି ବସ ଗୁଡିକୁକୁ ସ୍କ୍ରାପରେ ବିକ୍ରୀ କରି କିଛି ସରକାରୀ ରାଜସ୍ବ ଭରଣା କରିବାକୁ ମତ ପ୍ରକାଶ ପାଇଛି। ସେଭଳି ଏହି ବସ ଗୁଡିକ ଏଭଳି ରହିଲେ ଏଠାରେ ବିଭିନ୍ନ ନିଶା ନେଉଥିବା ନାବାଳକ ଠାରୁ ଯୁବବର୍ଗ ଯିବା ଆସିବା କରୁଥିବାରୁ କେତେ ବେଳେ ବଡ଼ଧରଣର ଅଘଟଣ ହେବା ସମ୍ଭାବନାକୁ ବି ଏଡାଇ ହେବ ନି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।