ଖତ ଖାଉଛି ସିଟି ବସ୍‌: ବାହାରିଗଲାଣି ଚକା, ଇଞ୍ଜିନ୍‌, ଧ୍ୟାନ ଦେଉନି ପରିଚାଳନା କମିଟି

୨୦୧୫ରୁ ଆରମ୍ଭ ହୋଇଥିଲା ସିଟି ବସ୍‌ସେବା

ରାଉରକେଲା: ଲକ୍ଷ୍ୟ ଥିଲା ସ୍ମାର୍ଟସିଟିରେ ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ଯାତାୟତ ସୁବିଧା ଯୋଗାଇ ଦେବା। ଏହି ଉଦ୍ଦେଶ୍ୟ ନେଇ ସୁନ୍ଦରଗଡ଼ ଅର୍ବାନ୍‌ ଟ୍ରାନ୍ସପୋର୍ଟ ଟ୍ରଷ୍ଟ(ସୁଟ୍‌) ଜରିଆରେ ଆରମ୍ଭ ହୋଇଥିବା ସିଟି ବସ୍‌ ସେବା। ସୁଟ୍‌ ପାରିଲାନି। ଶେଷରେ ଅନ୍ୟ ଏକ ସଂସ୍ଥାକୁ ଟେକି ଦେଲେ। ସହରବାସୀ ଭାବିଥିଲେ ଘରୋଇ ସଂସ୍ଥା ଜିଲ୍ଲା ପ୍ରଶାସନ ତଦାରଖରେ ସବୁ ଯାତ୍ରୀଙ୍କୁ ସଠିକ୍‌ ଯାତାୟତ ସେବା ଯୋଗାଇ ଦେବ। ହେଲେ ସହରବାସୀ ସବୁ ଆଶା ଓ ଭରସା ଭାଙ୍ଗିଗଲା। ରକ୍ଷଣାବେକ୍ଷଣ ଅଭାବରୁ ଏବେ ଖତ ଖାଉଛି ରାଉରକେଲା ସିଟି ବସ୍‌। ଅଧାରୁ ଅଧିକ ବସ୍‌ ଗଡୁନି। କାହାର ଚକା ବାହାରିଲାଣି ତ ଅନ୍ୟ କାହାର ଇଞ୍ଜିନ୍‌ ବାହାରେ ପଡ଼ିଛି। ବାହାର ଠାରୁ ବସ୍‌ ଭିତର ସ୍ଥିତି ଆହୁରି ସାଙ୍ଗାତିକ। ସିଟ୍‌ ଉପରେ ବହଳମୋଟର ଧୂଳି ଜମିବା ସହ ଚିରି ନଷ୍ଟ ହୋଇଗଲାଣି। ଦରବାଜା, ଝରକା କାଚ ଭାଙ୍ଗି ଚୋରି ହୋଇଗଲାଣି। ମାସ ମାସ ଧରି ଗୋଟିଏ କି ଦୁଇଟି ବସ୍‌ ନୁହେଁ, ପ୍ରାୟ ୧୦ରୁ ଅଧିକ ବସ୍‌ ସେମିତି ଖରାବର୍ଷାରେ ପଡିଛି। ଜିଲ୍ଲା ପ୍ରଶାସନର କିନ୍ତୁ ନିଦ ଭାଙ୍ଗୁନି। ‘ସରକାର କି ମାଲ୍‌ ଦରିଆ ମୈ ଡାଲ୍‌’ ପରି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପାଣି ପଡ଼ିବାକୁ ଯାଉଛି।

ସେପଟେ ଯେଉଁ ଅଳ୍ପ କେତେକ ବସ୍‌ରେ ରାସ୍ତାରେ ଗଡ଼ୁଛି। ତାହା ଅବସ୍ଥା ନ କହିବା ଭଲ୍‌। ମରାମତି ପାଇଁ ଆବଶ୍ୟକ ଯନ୍ତ୍ରପାତି ମିଳୁ ନଥିବାରୁ ବସ୍‌ଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀଙ୍କୁ ନେବା ଆଣିବା କରୁଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଓ ଠିକା ସଂସ୍ଥା ପରିଚାଳନାଗତ ତ୍ରୁଟି, ରକ୍ଷଣାଣାବେକ୍ଷଣ ଅଭାବରୁ ସହରର ସିଟି ବସ୍‌ ସେବା ବହୁ ଦୂରରେ। ବସ୍‌ ଚଳାଚଳ ଦାୟିଥିବା ଏକ ଘରୋଇ ସଂସ୍ଥାର ଜଣେ ସଦସ୍ୟ କହିଛନ୍ତି କରୋନାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ୩୦ ବସ୍‌ରୁ ୨୦ଟି ବସ୍‌ ବିଭିନ୍ନ ରୁଟ୍‌ରେ ଗଡ଼ୁଛି। ଅନ୍ୟଗୁଡ଼ିକ ଅଚଳ ହୋଇ ବସ୍‌ଷ୍ଟାଣ୍ଡରେ ପଡିଛି। କିଛି ଦିନ ଭିତରେ ଏସବୁ ମରାମତି କରି ବିଭିନ୍ନ ରୁଟ୍‌ରେ ଛଡାଯିବ।

ଯେଉଁ ବସ୍‌ଗୁଡ଼ିକ ନୂଆବସ୍‌ଷ୍ଟାଣ୍ଡରେ ପଡିଛି, ତାହା ଆଦୌ ଚାଲିବା ଅବସ୍ଥାରେ ନାହିଁ। ତେବେ କେଉଁ ଆଧାରରେ ବିଶ୍ବର ଶ୍ରେଷ୍ଠ ସହରରେ ରାଉରକେଲା ସ୍ଥାନ ପାଉଛି, ତାହାକୁ ସମସ୍ତଙ୍କୁ ଚକିତ କରିଛି। ଅନ୍ୟପଟେ ସିଟି ବସ୍‌ କାହିଁକି ଠିକ୍‌ ଭାବେ ଚଳାଚଳ କରୁ ନାହିଁ, ଜିଲ୍ଲା ପ୍ରଶାସନ ପକ୍ଷରୁ ସେତେ‌ଟା ତତ୍ପରତା ପ୍ରକାଶ ପାଉନାହିଁ। ଫଳରେ ଯେଉଁ କେତୋଟି ବସ୍‌ ରାସ୍ତା ଗଡ଼ୁଛି, କିଛି ମାସ ମଧ୍ୟରେ ସେଗୁଡ଼ିକ ଯେ ନୂଆ ବସ୍‌ଷ୍ଟାଣ୍ଡର ପଡ଼ି ପଡ଼ି ଖତ ନ ଖାଇବ, ତା’ କିଏ କହିବ ? ଏମିତି ପ୍ରଶ୍ନ ସହରବାସୀଙ୍କ ମଧ୍ୟରେ ଉଠିବା ସ୍ବାଭାବିକ। ଉଲ୍ଲେଖଯୋଗ୍ୟ, ସହରରେ ଯାତ୍ରୀମାନଙ୍କୁ ସୁଲଭ ମୂଲ୍ୟରେ ବସ୍‌ ସେବା ଯୋଗାଇ ଦେବାକୁ ଗତ ୨୦୧୫ରେ ସିଟି ବସ୍‌ ସେବା ଆରମ୍ଭ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ସହରକୁ ୩୦ଟି ବସ୍‌ ମିଳିଥିଲା। ବସ୍‌ଗୁଡ଼ିକ ୮ରୁ ଅଧିକ ରୁଟ୍‌ରେ ଚଳାଚଳ କରୁଥିଲା। କିଛି ରୁଟ୍‌ରେ ଚାଲୁଛି, ଅନ୍ୟ କିଛି ରୁଟ୍‌ରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ରୁଟ୍‌ ଗୁଡ଼ିକ ମଧ୍ୟରେ ରହିଛି ସେକ୍ଟର-୧୯ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ବୀରମିତ୍ରପୁର ଭାୟା ସେକ୍ଟର-୬, ସେକ୍ଟର୭/୧୭, ସେକ୍ଟର-୧୪, ଛେଣ୍ଡ, ରିଜର୍ଭ ପୁଲିସ ଲାଇନ୍‌, ୟୁଜିଆଇଇ, ବାସନ୍ତୀ ଡିଏଭି, ମ୍ୟୁନିସିପାଲ, ହନୁମାନବାଟିକା, ଏସ୍‌ଟିଆଇ, ଆଇଟିଆଇ, ପାନପୋଷ, ଟିସିଆଇ, ବେଦବ୍ୟାସ, ଜମୁନାନାକି, ଗୋବିରା, କୁମ୍‌ଝରିଆ। ସେମିତି ବିଶ୍ରା ଛକରୁ ଝିରପାଣି। ବିଶ୍ରାରୁ ବନ୍ଧମୁଣ୍ଡା, ଡିଜେଲ କଲୋନି, ଫୁଲବାରି, ସନ୍ତୋଷପୁର। ନୂଆ ବସ୍‌ଷ୍ଟାଣ୍ଡରୁ ରାଜଗାଙ୍ଗପୁର ଆଦି ୮ରୁ ଅଧିକ ରୁଟ୍‌ରେ ଚଳାଚଳ କରୁଥିଲା। ଏବେ କେଉଁ ରୁଟ୍‌ ଚାଲୁଛି, କେଉଁ ରୁଟ୍‌ରେ ଚାଲୁନି କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ।

ସମ୍ବନ୍ଧିତ ଖବର