ଧୂଳିଧୂଆଁରେ ଅତିଷ୍ଠ କେନ୍ଦୁଝର ସହରବାସୀ, ଦୁଇଘଣ୍ଟା ରାସ୍ତା ଅବରୋଧ

ଯୋଡ଼ା: ଯୋଡ଼ା ସହରରେ ଫ୍ଲାଏଓଭର ନିର୍ମାଣ କାମ ଚାଲିଛି। ନିର୍ମାଣକାରୀ ଠିକାସଂସ୍ଥା ସର୍ଭିସ୍‌ରୋଡ ନିର୍ମାଣ କରି ନଥିବାରୁ ଯାତାୟାତରେ ସମସ୍ୟା ହେଉଛି। ରାସ୍ତାରେ ପାଣି ସିଞ୍ଚନ କରାଯାଉ ନଥିବାରୁ ପ୍ରବଳ ଧୂଳି ଉଡ଼ୁଛି। ଏହାର ପ୍ରତିବାଦରେ ଆଜି ଅପରାହ୍‌ଣରେ ସହରର ଧରଣୀଧରଛକରେ ଭୂୟାଁବସ୍ତିର ଶତାଧିକ ପୁରୁଷ, ମହିଳା ରାସ୍ତା ଅବରୋଧ କରିଛନ୍ତି।

ଫ୍ଲାଏଓଭର ନିର୍ମାଣ କରୁଥିବା ଠିକାସଂସ୍ଥା ଚେଭ୍ରକ୍ସ ସର୍ଭିସ୍‌ରୋଡ ନିର୍ମାଣ କରୁନଥିବାରୁ ଅସ୍ଥାୟୀ ମାଟି ରାସ୍ତାରେ ଦୈନିକ ହଜାର ହଜାର ସଂଖ୍ୟାରେ ଗାଡ଼ିମୋଟର ଚଳାଚଳ କରୁଛି। ଏତେ ପରିମାଣରେ ଧୂଳି ଉଡ଼ୁଛି ଯେ, ଗାଡ଼ି ଚାଳକଙ୍କୁ ରାସ୍ତା ଦେଖାଯାଉ ନାହିଁ। ରାସ୍ତାକଡ଼ରେ ରହୁଥିବା ଲୋକଙ୍କ ଘରେ ଧୂଳି ପଶୁଛି। ରୋଷେଇଘରେ ଭାତହାଣ୍ଡିଠାରୁ ଆରମ୍ଭ କରି କୂଅ, ପୋଖରୀ ପାଣିରେ ଧୂଳିର ଆସ୍ତରଣ ଜମିଯାଉଛି। ଧୂଳିଧୂଆଁରେ ସହରବାସୀ ଅତିଷ୍ଠ ହୋଇପଡ଼ିଛନ୍ତି। ସର୍ଭିସ୍‌ରୋଡ ନିର୍ମାଣ ନହେବା ପର୍ଯ୍ୟନ୍ତ ରାସ୍ତାରେ ନିୟମିତ ପାଣି ସିଞ୍ଚନ କରିବାକୁ ଲୋକେ ଦାବି କରିଆସୁଛନ୍ତି। ହେଲେ ଠିକାସଂସ୍ଥା କର୍ଣ୍ଣପାତ କରୁନାହିଁ। ଏନେଇ ଅଞ୍ଚଳବାସୀ ବହୁଥର ପୌରପାଳିକା ଏବଂ ଠିକାସଂସ୍ଥାର ଦୃଷ୍ଟି ଆକର୍ଷଣ କରିବା ସହ ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି।

ଏହାପରେ କିଛିଦିନ ରାସ୍ତାରେ ଜଳ ସିଞ୍ଚନ ହେବା ପରେ ପୁଣି ବନ୍ଦ କରିଦିଆଯାଉଛି। ଆଜି ଅପରାହ୍‌ଣରେ ଲୋକେ ଧରଣୀଧରଛକରେ ରାସ୍ତା ଅବରୋଧ କରିଥିଲେ। ଦୁଇଘଣ୍ଟା ଧରି ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ପୁଲିସ ଓ ଠିକାସଂସ୍ଥା କର୍ତ୍ତୃପକ୍ଷ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ପ୍ରତିଦିନ ତିନିଥର ରାସ୍ତାରେ ପାଣି ସିଞ୍ଚନ କରିବାପାଇଁ ଠିକାସଂସ୍ଥା ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିଲା।

ସମ୍ବନ୍ଧିତ ଖବର