ଭୁବନେଶ୍ବର : ଅବ୍ୟବହୃତ ହୋଇ ପଡ଼ିଥିବା କେନ୍ଦ୍ରାପଡ଼ାର ପୁରୁଣା ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍‌ କୋଠାରେ ସିଟି ହସ୍ପିଟାଲ୍‌ ପ୍ରତିଷ୍ଠା ପାଇଁ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ଦାବି କରିଛନ୍ତି। ଆଜି ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଥିଲେ, କେନ୍ଦ୍ରାପଡ଼ାରେ ନୂଆ କୋଠାକୁ ମୁଖ୍ୟାଳୟ ହସ୍ପିଟାଲ୍‌ ସ୍ଥାନାନ୍ତର ହୋଇଛି। ପୁରୁଣା କୋଠାରେ ଏକ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନ କରୁଛନ୍ତି। ଏ ସମ୍ପର୍କରେ ସରକାର ବିଚାର କରନ୍ତୁ। ଯେହେତୁ ଭିତ୍ତିଭୂମି ପ୍ରସ୍ତୁତ ହୋଇ ରହିଛି, ତେଣୁ ତୁରନ୍ତ ସେଠାରେ ସିଟି ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ହୋଇପାରିବ। ସେଠାରେ ବି‌ଶେଷଜ୍ଞମାନଙ୍କୁ ନିଯୁକ୍ତି ଦିଆଯାଉ। ସିଟି ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ହେଲେ ମୁଖ୍ୟାଳୟ ହସ୍ପିଟାଲ୍‌ ଉପରୁ ମଧ୍ୟ ବୋଝ କମିଯିବ।

Advertisment

ଆଜି ଶ୍ରୀ ବେହେରା ଏ ସଂକ୍ରାନ୍ତରେ ଏକ ଲିଖିତ ପ୍ରଶ୍ନ ମଧ୍ୟ କରିଥିଲେ। ତାହାର ଉତ୍ତରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଦର୍ଶାଇଛନ୍ତି ଯେ କେନ୍ଦ୍ରାପଡ଼ାର ପୁରୁଣା ଜିଲ୍ଲା ମୁଖ୍ୟାଳୟ କୋଠାରେ ବର୍ତ୍ତମାନ ଏକ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି। ଏଠାରେ ଆମ କ୍ଲିନିକ୍ ଯୋଜନା ମାଧ୍ୟମରେ ବିଶେଷଜ୍ଞ ଡାକ୍ତରଙ୍କୁ ନିୟୋଜିତ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି।