୧୭ରୁ ଅନ୍ଧକାର ହେବ ବ୍ରହ୍ମପୁର ସହର!

ବିଦ୍ୟୁତ୍ ବିଲ୍‌ ବାବଦରେ ବକେୟା ରହିଛି ୭ କୋଟି ୬୫ ଲକ୍ଷ

ବ୍ରହ୍ମପୁର : ବିଦ୍ୟୁତ୍ ବିଲ୍‌ ବାବଦରେ ବ୍ରହ୍ମପୁର ମହାନଗର ନିଗମ ବକେୟା ରହିଛି ୭ କୋଟି ୬୫ ଲକ୍ଷ। ବିଦ୍ୟୁତ୍‌ ବିଲ୍‌ ବାବଦ ବକେୟା ଅର୍ଥକୁ ପୈଠ କରିବା ପାଇଁ ଟିପିଏସ୍‌ଓଡିଏଲ୍ ପକ୍ଷରୁ ବାରମ୍ବାର ନିଗମ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବି କୌଣସି ସୁଫଳ ନମିଳିବା ପରେ ଗତ ୨ ତାରିଖ ଦିନ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନେଇ ବିଏମ୍‌ସିକୁ ନୋଟିସ୍ କରିଥିବା ଜଣାଯାଇଛି। ଏଥିରେ ୧୫ ଦିନର ମହଲତ ଦିଆଯାଇଛି। ନୋଟିସ୍‌ ଅନୁଯାୟୀ ଆସନ୍ତା ୧୭ ତାରିଖ ଦିନ ମହଲତ ସମୟ ଶେଷ ହେଉଛି। ଅର୍ଥାତ୍ ୧୭ ତାରିଖରୁ ସହର ଅନ୍ଧକାର ହେବା ନିଶ୍ଚିତ ବୋଲି ନୋଟିସ୍‌ରୁ ସୂଚନା ମିଳିଛି।

The Economic Times

ମିଳିଥିବା ସୂଚନା ଅନୁଯାୟୀ ୨୦୨୧ ମାର୍ଚ ପୂର୍ବରୁ ନିଗମ ଉପରେ ପ୍ରାୟ ୧୬ କୋଟି ବିଦ୍ୟୁତ୍‌ ବିଲ୍‌ ବକେୟା ରହିଥିଲା। ଚଳିତ ବର୍ଷ ସିଟି ସର୍କଲ, ବିଇଡି-୧ ଓ ବିଇଡି-୨ ପକ୍ଷରୁ ଭିନ୍ନ ଭିନ୍ନ ସମୟରେ ବିଦ୍ୟୁତ୍ ବିଲ୍ ବାବଦରେ ବିଏମ୍‌ସିକୁ ନୋଟିସ୍‌ ପ୍ରଦାନ କରାଯାଇଥିଲା। ଏଥିରେ ପୂର୍ବ ବକେୟା ବିଲ୍ ରହିଥିବା ଯୋଗୁଁ ବିଏମ୍‌ସି ନିଜର ଅକ୍ଷମତା ପ୍ରକାଶ କରିବା ସହ ଓଟିଏସ୍‌ ( ୱାନ୍‌ ଟାଇମ୍‌ ସେଟେଲମେଣ୍ଟ) କରିବାକୁ ଅନୁରୋଧ କରିଥିଲେ। ନିଗମର ଅନୁରୋଧକୁ ରକ୍ଷା କରି ଟିପିଏସ୍‌ଓଡିଏଲ୍ ଓଟିଏସ୍‌ ମାଧ୍ୟମରେ ପ୍ରାୟ ୮ କୋଟି ୫୫ ଲକ୍ଷ ଟଙ୍କା ଛାଡ଼ କରି ବଳକା ୭ କୋଟି ୬୫ ଲକ୍ଷ ଟଙ୍କା ନିଗମକୁ ପ୍ରଦାନ କରିବା ନେଇ ଚଳିତବର୍ଷ ଅଗଷ୍ଟ ୨୨ରେ ନିଗମ କର୍ତ୍ତୃପକ୍ଷଙ୍କୁ ଚିଠି କରିଥିଲେ। ଏହା ମଧୢରେ ପ୍ରାୟ ଅଢେ଼ଇ ମାସ ବିତିଯାଇଥିବା ବେଳେ ନିଗମ ପକ୍ଷରୁ ବିଲ୍ ପୈଠ ହୋଇନଥିବା ଯୋଗୁଁ ଗତ ୨ ତାରିଖ ଦିନ ୧୫ ଦିନିଆ ମହଲତ ଦେଇ ବିଦ୍ୟୁତ୍‌ ବିଲ୍ ପୈଠ ନହେଲେ ଷ୍ଟ୍ରିଟ୍‌ ଲାଇଟ୍‌ରେ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯିବ ବୋଲି ଚରଣବାଣୀ ଶୁଣାଇଛି।

ନିଗମକୁ ଦିଆଯାଇଥିବା‌ ପତ୍ରର ନକଲ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସମେତ ଶକ୍ତି ବିଭାଗକୁ ମଧ୍ୟ ପ୍ରଦାନ କରାଯାଇଥିବା ଟିପିଏସଓଡିଏଲ/ସିଇଓ/୯୧୯୮ ପତ୍ରରୁ ଜଣାପଡ଼ିଛି। ମହଲତ ଶେଷ ହେବାକୁ ହାତରେ ମାତ୍ର ଦୁଇ ଦିନ ରହିଥିବା ବେଳେ ନିଗମ ଏହା ପୈଠ କରୁଛି ନା ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁଛି ତାହା ପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର