ଇତିହାସର ଆଇନାରେ ଭବାନୀପାଟଣା ସହର-୨: ୯୫ ବର୍ଷ ପୂର୍ବେ ରାଜ୍ୟର ପ୍ରଥମ ପାଇପ୍‌ ଯୋଗେ ଜଳ ଯୋଗାଣ ହୋଇଥିଲା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରବାସୀ ରାଜତନ୍ତ୍ର ଶାସନ ସମୟରେ ବିଭିନ୍ନ ଜନହିତକର ପଦକ୍ଷେପ ଦ୍ବାରା ଉପକୃତ ହେଉଥିଲେ। କାରିଗରୀ କୌଶଳ ବିକଶିତ ହୋଇ ନଥିଲେ ମଧ୍ୟ ଭବାନୀପାଟଣା ସହରରେ ଏହାର ନିଆରା ପଦକ୍ଷେପ ରାଜ୍ୟବାସୀଙ୍କୁ ଚକିତ କରିଥିଲା। ୯୫ ବର୍ଷ ପୂର୍ବେ ରାଜ୍ୟର ପ୍ରଥମ ସହର ଭାବେ ଭବାନୀପାଟଣାରେ ପାଇପ୍‌ ଜଳ ଯୋଗାଣ ହୋଇଥିଲା। ଏହା ଜିଲ୍ଲାବାସୀଙ୍କ ପାଇଁ ଅପାସୋରା ଇତିହାସ ଅଟେ।

ସୂଚନାରୁ ପ୍ରକାଶ ଯେ, ସମଗ୍ର ଓଡ଼ିଶାରେ ପାଇପ୍‌ ଜଳ ଯୋଗାଣ ପ୍ରଥମେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଆରମ୍ଭ ହୋଇଥିଲା। କଳାହାଣ୍ଡି ମହାରାଜା ବ୍ରଜମୋହନ ଦେଓଙ୍କ ଉଦ୍ୟମ କ୍ରମେ ସହରରେ ୧୯୨୬ ମସିହାରେ ପାଇପ୍‌ ଯୋଗେ ଜଳଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହେଲା। ସହରର ପୁରୁଷୋତ୍ତମ ସାଗରଠାରୁ ମୋଟର ଯୋଗେ ଓଭର୍‌ହେଡ୍‌ ଟ୍ୟାଙ୍କ୍‌କୁ ପାଣି ଉଠାଯାଇ ରାଜବାଟି ସମେତ ବିଭିନ୍ନ ଅଞ୍ଚଳକୁ ପାଇପ୍‌ ଜଳ ଯୋଗାଣ ହୋଇଥିଲା। ବିଭିନ୍ନ ସ୍ଥାନରେ କାଷ୍ଟ୍‌ ଆଇରନ୍‌ ଷ୍ଟାଣ୍ଡ୍‌ ପୋଷ୍ଟ୍‌ ନିର୍ମାଣ ହୋଇଥିଲା। ପ୍ରତି ଷ୍ଟାଣ୍ଡ୍‌ ପୋଷ୍ଟରେ ୪ଟି ଲେଖାଏଁ ଟ୍ୟାପ୍‌ ଲାଗିଥିଲା। ଭବାନୀପାଟଣା ସହରର ଗାନ୍ଧୀଛକ, ବଜାରପଡ଼ା, ବ୍ରାହ୍ମଣ ପଡ଼ା (ବର୍ତ୍ତମାନର ମହାବୀର ପଡ଼ା), ସରେଇଘର ପଡ଼ା, ମନ୍ଦାର ବଗିଚା ପଡ଼ା, ହାତୀଶାଳ ପଡ଼ା, ଦିୱାନସାହେବ ପଡ଼ା ସମେତ ବିଭିନ୍ନ ପଡ଼ାକୁ ଭୂତଳ ପାଇପ୍‌ ଯୋଗେ ସହରକୁ ପାନୀୟ ଜଳ ଯୋଗାଣ ହୋଇଥିଲା। ସହରର କାଁ ଭାଁ ସ୍ଥାନରେ କାଷ୍ଟ୍‌ ଆଇରନ୍‌ ଷ୍ଟାଣ୍ଡ୍‌ ‌ପୋଷ୍ଟ ଏହାର ମୂକସାକ୍ଷୀ ପାଲଟିଛି। ପୁରୁଷୋତ୍ତମ ସାଗରରୁ ଓଭର୍‌ ହେଡ୍‌ ଟ୍ୟାଙ୍କ୍‌କୁ ପାଣି ଉଠାଯାଉଥିବାରୁ ପୋଖରୀ ପରିସରକୁ ପ୍ରବେଶ ନିଷେଧ କରାଯାଇଥିଲା। ଏଥିପାଇଁ ପୋଖରୀ ଚାରିପଟେ ଲୁହାତାରରେ ପାଚେରି ନିର୍ମାଣ ହୋଇଥିଲା। ରାଜ୍ୟର ପ୍ରଥମ ଭୂତଳ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ରାଜ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିଲା।

ଭବାନୀପାଟଣା ସହରର ପୁରୁଷୋତ୍ତମ ସାଗର ପଡ଼ାରେ ଥିବା ଓଭର୍‌ହେଡ୍ ଟ୍ୟାଙ୍କ୍‌ ପୂର୍ବ ଇତିହାସକୁ ବହନ କରିଆସୁଛି। ବର୍ତ୍ତମାନ କାରିଗରୀ କୌଶଳ ବିକଶିତ ହୋଇଥିବା ବେଳେ ଏବେ ମଧ୍ୟ ସହରର ବିଭିନ୍ନ ଅଞ୍ଚଳକୁ ପାଇପ୍‌ ଜଳ ଯୋଗାଣ ସ୍ୱପ୍ନ ପାଲଟିଛି। ୯୫ ବର୍ଷ ତଳର ଷ୍ଟାଣ୍ଡ୍‌ ପୋଷ୍ଟ ଗୁଡ଼ିକ ସହରରୁ ପ୍ରାୟତଃ ଉଭାନ୍‌ ହୋଇସାରିଛି। ଏହାର ସୁରକ୍ଷା ତ ଦୂରର କଥା ଏହାର ସ୍ମୃତିକୁ ମଧ୍ୟ ସାଇତି ରଖିବାରେ ପ୍ରଶାସନ ବିଫଳ ହୋଇଛି। ଭବାନୀପାଟଣା ସହରର ପୂର୍ବ ଗରିମାକୁ ମନେ ପକାଇବା ଓ ଏହାର ପୁନର୍ଦ୍ଧାର ପାଇଁ ସଚେତନ ହେବାର ସମୟ ଆସିଛି।

ସମ୍ବନ୍ଧିତ ଖବର