ବଲାଙ୍ଗୀର : ପରିତ୍ୟକ୍ତ ଅବସ୍ଥାରେ ସହରର ପାର୍କ

ବଲାଙ୍ଗୀର : ଶୀତ ଋତୁରେ ପାର୍କରେ ବୁଲିବା ମଜା ହିଁ ଅଲଗା। ସହରୀ ଜଞ୍ଜାଳରୁ କିଛି କ୍ଷଣ ମନକୁ ହାଲୁକା କରିବାକୁ ଲୋକେ ପାର୍କକୁ ଯାଆନ୍ତି। ହେଲେ ଚଳିତ ବର୍ଷ ଏହି ମଜାକୁ କରୋନା ଲୁଟି ନେଇଛି। କରୋନା ଯୋଗୁଁ ମାର୍ଚ୍ଚ ମାସରୁ ଛ’ମାସ ହେଲା ବଲାଙ୍ଗୀର ସହରର ସମସ୍ତ ପାର୍କ ବନ୍ଦ ରହିଛି। ପାର୍କ ଖୋଲିବା ପାଇଁ ସରକାର ବର୍ତ୍ତମାନ ସୁଦ୍ଧା ଅନୁମତି ଦେଇ ନାହାନ୍ତି। ଆଗକୁ କରୋନା ସ୍ଥିତିରେ ସୁଧାର ହେଲେ ସରକାର ପାର୍କ ଖୋଲିବା ଅନୁମତି ଦେବା ସମ୍ଭାବନା ରହିଛି। ଏଭଳି ସମୟରେ ବଲାଙ୍ଗୀର ସହରର ବନ୍ଦ ପଡ଼ିଥିବା ପାର୍କଗୁଡ଼ିକର ସ୍ଥିତି ପରଖିଛି ‘ସମ୍ବାଦ’। କିଛି ପାର୍କ ପରିତ୍ୟକ୍ତ ଅବସ୍ଥାରେ ଥିବା ନଜରକୁ ଆସିଛି।

ବଲାଙ୍ଗୀର ସହରରେ ମୋଟ ସାତଟି ପାର୍କ ରହିଛି। ସହରର ଦୃଦୟ ସ୍ଥଳ ଓ ପୌର ପାଳିକା ସମ୍ମୁଖରେ ଥିବା ରାଜେନ୍ଦ୍ର ପାର୍କ ଅବହେଳାର ଚରମ ସୀମାରେ ପହଞ୍ଚିଛି। ମନୋରଂଜନ ପାଇଁ ଏଠାରେ ଥିବା ଜଳ ଫୁଆରା ବହୁ ବର୍ଷ ହେଲା ଅଚଳ ହୋଇ ପଡ଼ିଛି। ଗପସପ କରି ସମୟ ବିତେଇବା ପାଇଁ ଥିବା ଘାସ ଗାଲିଚା ଏବେ ଅନାବନା ଘାସ ଆଚ୍ଛାଦିତ ହୋଇ ରହିଛି। ଗୋଲପ ବଗିଚା କଥା ନ କହିବା ଭଲ। ବଡ଼ ବଡ଼ ଘାସ ପୂରା ବଗିଚାରକୁ ମାଡ଼ି ବସିଛି। ଗଛଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଇ ନ ଥିବାରୁ କିଛି ଗଛ ମରିବାକୁ ବସିଲାଣି। ଏଠାରେ ନାମକୁ ମାତ୍ର ଶୌଚାଳୟ ରହିଛି। ଏକ ଗଛ ଡାଳ ପଡ଼ିବା ପରେ ପରିତ୍ୟକ୍ତ ହୋଇ ରହିଛି। ମରାମତି କରିବାକୁ ପୌର ପ୍ରଶାସନ ଉଚିତ ମଣି ନାହିଁ।

କରଙ୍ଗାକଟା ପାର୍କକୁ ବୋଟିଂ ପାର୍କ ମଧ୍ୟ କୁହାଯାଏ। ହେଲେ ଏଠାକୁ ପସିବାକୁ ଭୟ ମାଡ଼ୁଛି। କିଛି ବର୍ଷ ହେଲା ବିଦେଶାଗତ ପକ୍ଷୀଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଥିଲା‌। ହେଲେ ଜଳାଶୟ କୂଳେ ଥିବା ପାଦଚଲା ପଥକୁ ଉଭୟ ପଟରୁ ଅନାବନା ଘାସ ମାଡ଼ି ବସିଛି। ବର୍ତ୍ତମାନ ଏହା ସାପ, ବିଛାଙ୍କ ବାସସ୍ଥାନ ପାଲଟିଛି। ହାଟପଦାପଡ଼ା ପାର୍କର ସ୍ଥିତି କିଛି ପରିମାଣରେ ଭଲ ରହିଛି। ପଡ଼ାବାସୀଙ୍କ ସହଯୋଗ ଥିବାରୁ ବ୍ୟବହାର ଯୋଗ୍ୟ ରହିଛି। ଶିଶୁଙ୍କ ଆକର୍ଷଣର କେନ୍ଦ୍ର ବିଜୁ ପଟ୍ଟନାୟକ ଚିଲ୍‌ଡ୍ରେନ୍‌ ପାର୍କ। ଏହାରର ସମ୍ମୁଖ ଭାଗ ସଫାସୁତୁରା ହେଲେ ପଛ ପଟରେ ଏବେ ବି ଅନାବନା ଘାସ ଭରି ରହିଛି। ଫରେଷ୍ଟ ପାର୍କ ବର୍ତ୍ତମାନ ଜଙ୍ଗଲର ରୂପ ନେଇଛି। ବହୁ ଦିନ ହେଲା ବନ୍ଦ ରହିଥିବା ଯୋଗୁଁ ବାହାରୁ ଏହାର ସ୍ଥିତି ସ୍ପଷ୍ଟ ବାରି ହେଉଛି। ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏଠାରେ ଥିବା ଗଛଗୁଡ଼ିକ ବଞ୍ଚିଥିବା ଆଶା କ୍ଷୀଣ।

କୋଶଳ ନଗର ଚିଲ୍‌ଡ୍ରେନ୍‌ ପାର୍କ ଅଳ୍ପ ସ୍ଥାନରେ ନିର୍ମିତ ହୋଇଛି। ସଫା ସୁତୁରା ରହିଥିଲେ ସୁଦ୍ଧା ଏଠାରେ ସମସ୍ୟା ଅନେକ। ଗଛରେ ପାଣି ଦେବା ପାଇଁ ନା ପମ୍ପର ସୁବିଧା ଅଛି ନା ଶୌଚାଳୟ। ନଳକୂଅରୁ ପାଣି ବୋହି ଗଛରେ ପାଣି ଦେବାକୁ ପଡ଼ୁଛି। ମୁଣ୍ଡ ଉପରେ କମ ଉଚ୍ଚତାରେ ବିଦ୍ୟୁତ ତାର ଯାଇଥିବାରୁ ସବୁବେଳେ ଦୁର୍ଘଟଣାର ଆଶଙ୍କା ରହିଛି। ଅନୁଚ୍ଚ ବାଡ଼ ଥିବାରୁ ଦୁଷ୍ଟ ପିଲାମାନେ ଆସି ଗଛ ନଷ୍ଟ କରୁଥିବା କର୍ମଚାରୀଙ୍କଠାରୁ ପ୍ରକାଶ। ତିନି ମାସ ପୂର୍ବରୁ ଲୋକାର୍ପିତ ହୋଇଥିବା ସେଲଫି ଜୋନ ନାମକୁ ମାତ୍ର। ଏଠା‌ରେ ସେଲଫି ନେବାକୁ ଇଚ୍ଛା ହେଉନାହିଁ। ଘାସ ଲଗା ହୋଇଛି। ହେଲେ ପାଣି ଅଭାବରେ ମରି ପାଳ ହେଲାଣି। ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବାରୁ ଏହାର ପରିସର ଜରି ଓ ଅବର୍ଜନାରେ ଭର୍ତ୍ତି ହୋଇ ରହିଛି। ଏଠାରେ ଏଲ୍‌ଇଡି ଟିଭିରେ ବିଭିନ୍ନ ସଚେତନାତା ମୂଳକ ବାର୍ତ୍ତା ଦିଆଯାଉଛି। ହେଲେ ସାଉଣ୍ଡ ସିଷ୍ଟମ ନ ଥିବାରୁ ଲକ୍ଷ୍ୟ ସାଧନ ହେଉନାହିଁ। ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପାର୍କ ଗୁଡ଼ିକର ପୁନରୁଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର