୬,୮୯,୩୬୫ଟି ଦେୱାନୀ ଓ ଫୌଜଦାରୀ ମାମଲା ୫ବର୍ଷରୁ ଅଧିକ ପଡ଼ିଛି

ଭୁବନେଶ୍ବର : ରାଜ୍ୟର ବିଭିନ୍ନ କୋର୍ଟରେ ଏବେ ୫ବର୍ଷରୁ ଅଧିକ ୧୦ବର୍ଷରୁ କମ୍‌ ୯୩,୮୩୯ଟି ଏବଂ ୧୦ବର୍ଷରୁ ଅଧିକ ୪୧୩୬୪ଟି ଦେୱାନୀ ମାମଲା ବିଚାରାଧୀନ ଅଛି। ଏହିପରି ୧,୩୫,୨୦୩ଟି ଦେୱାନୀ ମାମଲା ୫ବର୍ଷରୁ ଅଧିକ ପୁରୁଣା। ଏଥିରେ ଖୋର୍ଦ୍ଧାରେ ସବୁଠୁ ଅଧିକ ୨୨,୨୬୧ଟି ମାମଲା ଅଛି। ସବୁଠୁ କମ୍‌ ୬୦ଟି ଦେୱାନୀ ମାମଲା ‌ମାଲକାନଗିରିରେ ଅଛି।

ସେହିପରି ୫ବର୍ଷରୁ ଅଧିକ ୧୦ବର୍ଷରୁ କମ୍ ୩,୩୨,୮୯୨ଟି ଏବଂ ୧୦ବର୍ଷରୁ ଅଧିକ ୨,୨୧,୨୭୦ଟି ଫୌଜଦାରୀ ମାମଲା ବିଚାରାଧୀନ ଅଛି। ଏହିପରି ମୋଟ୍ ୫,୫୪,୧୬୨ଟି ଫୌଜଦାରୀ ମାମଲା ବିଚାରାଧୀନ ଅଛି। ଏଥିରୁ ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଅଧିକ ୬୩,୮୨୯ଟି ଫୌଜଦାରୀ ମାମଲା ଥିବାବେଳେ ମାଲକାନଗିରିରେ ସବୁଠୁ କମ୍‌ ୧୦୪୧ଟି ଫୌଜଦାରୀ ମାମଲା ବିଚାରାଧୀନ ଅଛି।

ଏହିପରି ମୋଟ୍‌ ୬,୮୯,୩୬୫ଟି ଦେୱାନୀ ଓ ଫୌଜଦାରୀ ମାମଲା ୫ବର୍ଷରୁ ଅଧିକ ହେଲା ବିଚାରାଧୀନ ହୋଇପଡ଼ିଛି।

ଏହି ସବୁ ମାମଲାଗୁଡ଼ିକର ତ୍ବରିତ ସମାଧାନ ପାଇଁ ନିୟମିତ ଭାବେ ନୋଟିସ୍ ଏବଂ ଅନୁସ୍ମାରକ ପଠାଇବା, ପୁରୁଣା ମାମଲାଗୁଡ଼ିକୁ ଚିହ୍ନଟ କରି ଶୁଣାଣି କରିବା, ଅାବଶ୍ୟକତା ଅନୁଯାୟୀ ବିଭିନ୍ନ ମାମଲାରେ ନିୟମିତ ସାକ୍ଷ୍ୟ ଗ୍ରହଣ କରିବା ଏବଂ ମାମଲାଗୁଡ଼ିକର ନିୟମିତ ଶୁଣାଣି କରିବା ସହ ଅନ୍ୟାନ୍ୟ ବିହୀତ ପଦକ୍ଷେପ ନିଆଯାଉଛି। ଏହାବ୍ୟତୀତ ଉଚ୍ଚ ନ୍ୟାୟାଳୟରେ ଗଠିତ ହୋଇଥିବା ଷ୍ଟେଟ୍ କୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ କମିଟି ୫/୧୦ବର୍ଷର ପୁରୁଣା ମାମଲାଗୁଡ଼ିକୁ ଫଇସଲା କରିବା ପାଇଁ ସମସ୍ତ ଜିଲ୍ଲାଗୁଡ଼ିକୁ ନିୟମିତ ଭାବେ ନିର୍ଦ୍ଦେଶ ଦେଉଛନ୍ତି।

ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର