ଏବେ ବେସାମରିକ ବିମାନ ଚଳାଚଳ ଶାଖା ବାଣିଜ୍ୟ ବିଭାଗକୁ ଆସିବ

୨୯୬ଟି ସହକାରୀ ଶ୍ରମ ଅଧିକାରୀ ପଦବି ସୃଷ୍ଟି
ଆସିବ ଓଡ଼ିଶା ଶ୍ରମ ସେବା ନିୟମ
ଜଳ ସମ୍ପଦ ବିଭାଗ ଅମଲାଙ୍କ ପାଇଁ କ୍ୟାଡର
ରାଜସ୍ବ ବିଭାଗ ଅମଲାଙ୍କ ନିଯୁକ୍ତି ନିୟମ ସଂଶୋଧନ

ଭୁବନେଶ୍ବର : ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ବେସାମରିକ ବିମାନ ଚଳାଚଳ ଶାଖାକୁ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନକୁ ଅଣାଯିବ। ଏହି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ ଆଜି ମୋହର ମାରିଛି। ଶିକ୍ଷା ଅଧିକାର ଆଇନ ଅନ୍ତର୍ଗତ ଆଦିମ ଜନାଜାତିଙ୍କ ଶିକ୍ଷା ପାଇଁ ରାଜ୍ୟରେ ଥିବା ସଂକୁଳଗ୍ରସ୍ତ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ୧୯ଟି ବିଦ୍ୟାଳୟର ଶିକ୍ଷକମାନେ ଏଣିକି ଆବାସିକ ବିଦ୍ୟାଳୟର ସୁବିଧା ପାଇବେ। ରାଜସ୍ବ ବିଭାଗ ଅଧୀନରେ ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ସହାୟକ ଓ ବରିଷ୍ଠ ସହାୟକ ଅଧିକାରୀଙ୍କ ନିଯୁକ୍ତି ପଦ୍ଧତି ଓ ସେବା ନିୟମାବଳୀରେ ସଂଶୋଧନ କରାଯାଇଛି। ଏଣିକି ସେମାନଙ୍କୁ କନିଷ୍ଠ ରାଜସ୍ବ ସହାୟକ ଓ ବରିଷ୍ଠ ରାଜସ୍ବ ସହାୟକ ଭାବେ ନିଯୁକ୍ତି ମିଳିବ। ସେହିପରି ଉପବିଭାଗ ଅଧିକାରୀଙ୍କୁ ଉପବିଭାଗ ରାଜସ୍ବ ଅଧିକାରୀ ଭାବେ ବିବେଚନା କରାଯିବ। ଜଳସମ୍ପଦ ବିଭାଗ ଅଧୀନସ୍ଥ ମୁଖ୍ୟଯନ୍ତ୍ରୀ ପ୍ରତିଷ୍ଠାନମାନଙ୍କରେ ଥିବା ପଦବିଗୁଡ଼ିକର ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ ନିୟମରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏଥିପାଇଁ ରାଜ୍ୟସ୍ତରୀୟ ୩ଟି ନୂତନ କ୍ୟାଡର ଗଠନ ହେବ। ଜିଲ୍ଲା ସ୍ତରରେ ଶ୍ରମିକଙ୍କ କଲ୍ୟାଣ ପାଇଁ ଥିବା ଗ୍ରାମୀଣ ଶ୍ରମ ନିରୀକ୍ଷକ ମୂଳ ପଦବିକୁ ଉନ୍ନୀତ କରାଯାଇ ନୂତନ ଭାବେ ସହକାରୀ ଶ୍ରମ ଅଧିକାରୀ ପଦବି ସୃଷ୍ଟି କରାଯାଇଛି। ଏଥିପାଇଁ ଓଡ଼ିଶା ଶ୍ରମ ସେବା ( ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମ, ୨୦୧୯କୁ ସରକାର ରଦ୍ଦ କରି ନୂତନ ଭାବେ ଓଡ଼ିଶା ଶ୍ରମ ସେବା ( ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମ, ୨୦୧୯ ପ୍ରଣୟନ କରିଛନ୍ତି।

କ୍ୟାବିନେଟ ନିଷ୍ପତ୍ତି ମୁତାବକ, ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ବେସାମରିକ ବିମାନ ଚଳାଚଳକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ବିଷୟକୁ ରାଜ୍ୟ ସରକାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ କାଢ଼ି ବାଣିଜ୍ୟ ପରିବହନ ବିଭାଗ ଅଧୀନକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ, ଝାରସୁଗୁଡ଼ାରେ ଦ୍ବିତୀୟ ବିମାନବନ୍ଦର ପ୍ରତିଷ୍ଠା ହେବା ପରେ ଉଡ଼ାନ ଯୋଜନାରେ ଆଉ ୩ଟି ବିମାନବନ୍ଦର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି। ସରକାର ଅର୍ଥନୈତିକ ଏବଂ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସଡ଼କ, ରେଳ ଏବଂ ବିମାନ ଚଳାଚଳ ବ୍ୟବସ୍ଥାକୁ ଗୁରୁତ୍ବ ଦେଇଛନ୍ତି। ବିମାନ ଚଳାଚଳ ସେବାକୁ ଅଧିକ ସୁସଂହତ ଓ ସମନ୍ବିତ କରିବା ଉଦ୍ଦେଶ୍ୟରେ ସମସ୍ତ ଗମନାଗମନ ପ୍ରଶାସନକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରିବାକୁ ସରକାର ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କ୍ୟାବିନେଟର ଅନ୍ୟ ନିଷ୍ପତ୍ତି ଅନୁଯାୟୀ, ଶ୍ରମିକ କଲ୍ୟାଣ ପାଇଁ ଜିଲ୍ଲା ସ୍ତରରେ ମୂଳ ପଦବିରେ ଥିବା ଗ୍ରାମୀଣ ଶ୍ରମ ନିରୀକ୍ଷକ ପଦବି ବଦଳରେ ଏଣିକି ସହକାରୀ ଶ୍ରମ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ। ଏଥିପାଇଁ ସରକାର ୨୯୬ଟି ନୂତନ ପଦବି ସୃଷ୍ଟି କରିଛନ୍ତି। ଶ୍ରମ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଥିଲେ, ଏଥିପାଇଁ ଓଡ଼ିଶା ଶ୍ରମ ସେବା ( ନିଯୁକ୍ତି ଓ ସେବା ନିୟମାବଳୀ) ନିୟମ, ୧୯୮୪କୁ ରଦ୍ଦ କରି ଓଡ଼ିଶା ଶ୍ରମ ସେବା ( ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମ, ୨୦୧୯ ପ୍ରଣୟନ କରାଯିବ। ଏହି ନୂତନ ନିୟମ ଅନୁଯାୟୀ ଓଡ଼ିଶା ଶ୍ରମ ସେବା ଅଧିକାରୀମାନଙ୍କର ନିଯୁକ୍ତି ଓ ପଦୋନ୍ନତି ପାଇଁ ପରୀକ୍ଷା କରାଯିବ। ନୂତନ ଭାବେ ଗଠନ ହୋଇଥିବା ପଦବିଗୁଡ଼ିକୁ ଓଡ଼ିଶା ଲୋକସେବା ଆୟୋଗଙ୍କ ଜରିଆରେ ନିଯୁକ୍ତି ପରୀକ୍ଷା କରାଯାଇ ପୂରଣ କରାଯିବ। ନୂତନ ନିୟମାନୁଯାୟୀ ୯୦% ପଦବିରେ ସିଧାସଳଖ ନିଯୁକ୍ତି ହେବ। ବାକି ୧୦% ବିଭାଗୀୟ ପଦୋନ୍ନତି ଦ୍ବାରା ପୂରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଲଓମାନେ ଜିଲ୍ଲା ଶ୍ରମ ଅଧିକାରୀ, ଡିଭିଜନାଲ ଲେବର କମିସନର, ଯୁଗ୍ମ ଶ୍ରମ କମିସନର ଓ ଅତିରିକ୍ତ ଶ୍ରମ କମିସନର ପଦବି ପର୍ଯ୍ୟନ୍ତ ପଦୋନ୍ନତି ପାଇପାରିବେ। ନୂତନ ପଦବି ସୃଷ୍ଟି ହେବା ଦ୍ବାରା ଶ୍ରମ ଅଧିକାରୀମାନଙ୍କ ସଂଖ୍ୟା ୫୩୯କୁ ବୃଦ୍ଧି କରାଯାଇଛି।

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ପ୍ରସ୍ତାବ ଅନୁଯାୟୀ, ଏଣିକି ୧୯ଟି ସଂକୁଳ ଜନଜାତି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ଉଚ୍ଚ ଦରମା ସହିତ ଏସ୍‌ସି-ଏସ୍‌ଟି ବିଭାଗ ପରିଚାଳିତ ଆବାସିକ ବିଦ୍ୟାଳୟର ସମସ୍ତ ସୁବିଧା ଯୋଗାଇଦିଆଯିବ। ଏ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ସୂଚନା ଦେଇ କହିଥିଲେ, ୨୦୦୮-୦୯ରେ ରାଜ୍ୟ ସରକାର ଏହି ୧୯ଟି ବିଦ୍ୟାଳୟ ନିର୍ମାଣ କରିଥିଲେ। ଯେଉଁଥିରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ସଂକୁଳଗ୍ରସ୍ତ ଜନଜାତିର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଥିଲା। ପରେ ୨୦୧୫-୧୬ରେ ରାଜ୍ୟ ସରକାର ଏସବୁ ବିଦ୍ୟାଳୟରେ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ଶିକ୍ଷା ଦେବା ପାଇଁ ବ୍ୟବସ୍ଥା କରିଥିଲେ। ଏଥିପାଇଁ କେନ୍ଦ୍ର ସରକାର ପାଣ୍ଠି ଯୋଗାଇଦେଉଥିଲେ। କିନ୍ତୁ ୨୦୧୬-୧୭ରୁ କେନ୍ଦ୍ର ସରକାର ପାଣ୍ଠି ଦେବା ବନ୍ଦ କରିଦେବା ଫଳରେ ରାଜ୍ୟ ପାଣ୍ଠିରୁ ଏସସି-ଏସଟି ବିଭାଗ ଏସବୁ ବିଦ୍ୟାଳୟର ଶିକ୍ଷକଙ୍କ ପାଇଁ ଖର୍ଚ୍ଚ କରୁଥିଲା। କ୍ୟାବିନେଟ ନିଷ୍ପତ୍ତି ମୁତାବକ ଏଣିକି ଏସବୁ ବିଦ୍ୟାଳୟର ଶିକ୍ଷକମାନଙ୍କ ତାଲିମ, ଦରମା ଓ ଅନ୍ୟାନ୍ୟ ସୁବିଧା ଆବାସିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପରି ହେବ।

ଜଳସମ୍ପଦ ବିଭାଗ ଅଧୀନସ୍ଥ ଜିଲ୍ଲା ସ୍ତରର ଅଧସ୍ତନ କର୍ମଚାରୀଙ୍କ ବଦଳି ନିୟମରେ ସରକାର ଆବଶ୍ୟକ ସଂଶୋଧନ କରିଛନ୍ତି। ଏଥିପାଇଁ ମୁଖ୍ୟଯନ୍ତ୍ରୀ, ବୃହତ ଓ ମଧ୍ୟମମ ଜଳସେଚନ ଯୋଜନାର ମଣ୍ଡଳ ଅଫିସ ଏବଂ କ୍ଷୁଦ୍ର ଜଳସେଚନ ଯୋଜନାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ୩ଟି ଲେଖାଏଁ ଗ୍ରୁପ୍-ସି କ୍ୟାଡରକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏଥି ପାଇଁ ମୁଖ୍ୟଯନ୍ତ୍ରୀ ପ୍ରତିଷ୍ଠାନ ଓ ଜିଲ୍ଲାସ୍ତରର ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏ ନେଇ ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ସୂଚନା ଦେଇ କହିଥିଲେ, ଜିଲ୍ଲା ସ୍ତରୀୟ କ୍ୟାଡର କାର୍ଯ୍ୟାଳୟଗୁଡ଼ିକ ନିର୍ଦ୍ଦିଷ୍ଟ ଯୋଜନା ଭିତ୍ତିକ ହୋଇଥିବାରୁ ଯୋଜନା ସମାପ୍ତ ହେଲାପରେ ସେଥିରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଅନ୍ୟ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ପାଇଁ ନିୟୋଜିତ କରିବାର ଆବଶ୍ୟକତା ପଡ଼ୁଛି। କିନ୍ତୁ ସରକାରଙ୍କ ପୂର୍ବ ବଦଳି ନିୟମ ଏହାର ବିରୁଦ୍ଧାଚରଣ କରୁଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ଆବଶ୍ୟକ ସଂଶୋଧନ ଆଣିଛନ୍ତି। ଏଣିକି ଅମଲାଙ୍କ ମୂଳ ପଦବିଗୁଡ଼ିକ ରାଜ୍ୟସ୍ତରୀୟ କ୍ୟାଡର ହୋଇଥିବାରୁ କର୍ମଚାରୀଙ୍କ ନିଯୁକ୍ତି ଓଡ଼ିଶା କର୍ମଚାରୀ ଚୟନ ଆୟୋଗଙ୍କ ଦ୍ବାରା କରାଯିବ। ଅନ୍ୟ ନିଷ୍ପତ୍ତି ମୁତାବକ ରାଜସ୍ବ ବିଭାଗ ଅଧୀନରେ ଜିଲ୍ଲା ସ୍ତରରେ କାର୍ଯ୍ୟରତ କନିଷ୍ଠ ସହାୟକ, ବରିଷ୍ଠ ସହାୟକ ଓ ଉପବିଭାଗ ଅଧିକାରୀଙ୍କ ପଦବିରେ ରାଜସ୍ବ ବିଭାଗ ନାମ ଯୋଡ଼ାଯିବ। ଏଣିକି କନିଷ୍ଠ ରାଜସ୍ବ ସହାୟକ, ବରିଷ୍ଠ ରାଜସ୍ବ ସହାୟକ ଓ ଉପବିଭାଗ ରାଜସ୍ବ ଅଧିକାରୀ ଭାବେ ସେମାନଙ୍କୁ ମାନ୍ୟତା ଦିଆଯିବ। ଏଥିପାଇଁ ପ୍ରଚଳିତ ( ଜିଲ୍ଲା କାର୍ଯ୍ୟାଳୟ ଏବଂ ଅଧସ୍ତନ କାର୍ଯ୍ୟାଳୟରେ କନିଷ୍ଠ ସହାୟକ, ବରିଷ୍ଠ ସହାୟକ ଓ ଉପବିଭାଗ ଅଧିକାରୀଙ୍କ ନିଯୁକ୍ତି ପଦ୍ଧତି ଓ ସେବା ) ନିୟମାବଳୀରେ ଆବଶ୍ୟକ ସଂଶୋଧନ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

ସମ୍ବନ୍ଧିତ ଖବର