ବେସାମରିକ ପ୍ରତିରକ୍ଷା ସଂଗଠନର ପ୍ରତିଷ୍ଠା ଦିବସ: ପ୍ରତିରକ୍ଷା ସ୍ବେଚ୍ଛାସେବୀଙ୍କ ସେବା ଅତୁଳନୀୟ

ଖଣ୍ଡଗିରି : ପ୍ରାକୃତିକ ବା ମନୁଷ୍ୟକୃତ ବିପର୍ଯ୍ୟୟ ସମୟରେ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀମାନଙ୍କ ବିପନ୍ନ ଉଦ୍ଧାର କାର୍ଯ୍ୟ ଓ ସେବା ଅତୁଳନୀୟ। ପୁଲିସ, ଗୃହରକ୍ଷୀ ବାହିନୀ ଓ ଅଗ୍ନିଶମ ବାହିନୀ ସହ ମିଳିତ ଭାବେ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀମାନେ ପୀଡ଼ିତମାନଙ୍କ ଉଦ୍ଧାର କାର୍ଯ୍ୟରେ ଯେଉଁଭଳି ନିଷ୍ଠା ଓ ସାହାସିକତା ପ୍ରଦର୍ଶନ କରିଆସୁଛନ୍ତି, ତାହା ବେଶ୍ ପ୍ରଶଂସନୀୟ। ଆଜି ବରମୁଣ୍ଡାସ୍ଥିତ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ ପରିସରରେ ବେସାମରିକ ପ୍ରତିରକ୍ଷା ବାର୍ଷିକ ଉତ୍ସବ ପାଳନ ଅବସରରେ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ମହାନିର୍ଦେଶକ ସୁନୀଲ୍ ରୟ ଏହା କହିଛନ୍ତି। ବେସାମରିକ ପ୍ରତିରକ୍ଷା ସଂଗଠନର ୫୬ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ରୟ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା‌ ବେଳେ ବିଭାଗୀୟ ମହାନିରୀକ୍ଷକ ଅସିତ କୁମାର ପାଣିଗ୍ରାହୀ, ଖୋର୍ଧା ଜିଲ୍ଲାପାଳ ସୀତାଂଶୁ ଶେଖର ରାଉତ, ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, ସତ୍ୟବ୍ରତ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରିତ ବାର୍ତ୍ତାକୁ ଶ୍ରୀ ପାଣିଗ୍ରାହୀ ପାଠ କରିଥିଲେ। ପ୍ରାରମ୍ଭରେ ୨୫୦ ଜଣ ସ୍ବେଚ୍ଛାସେବୀ ଏକ ଭବ୍ୟ ପରେଡ୍‌ରେ ଅତିଥିମାନଙ୍କୁ ଅଭିବାଦନ ଜଣାଇଥିଲେ। ବିଦ୍ୟାଳୟ ସୁରକ୍ଷାକୁ ନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତାରେ ଯଦୁପୁର ମମତାଜ୍ ଅଲ୍ଲୀ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ-୨ ଓ ଡିଏମ୍‌ ସ୍କୁଲ୍‌ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସ୍ବେଚ୍ଛାସେବୀମାନେ ବିଭିନ୍ନ ବିପନ୍ନ ଉଦ୍ଧାର କାର୍ଯ୍ୟ କୌଶଳ ପ୍ରଦର୍ଶନ କରିଥିଲେ। ବୋମା ବି‌ସ୍ଫୋରଣ, ବଜ୍ରପାତ, ଦୁର୍ଘଟଣା, ଅଗ୍ନିକାଣ୍ଡ ବା ଭୂମିକମ୍ପ ଭଳି ବିପର୍ଯ୍ୟୟ ବେଳେ ବିପନ୍ନମାନଙ୍କୁ କିଭଳି ସୁଉଚ୍ଚ ଅଟ୍ଟାଳିକାରୁ ନିରାପଦରେ ଉଦ୍ଧାର କରାଯାଇପାରିବ, ତାହାର ନମୁନା ବେଶ୍ ଚିତ୍ତାକର୍ଷକ ଥିଲା। କେବଳ ଉଦ୍ଧାର କାର୍ଯ୍ୟ ନୁହେଁ, ଆହତମାନଙ୍କୁ ନେଇ କିଭଳି ନିରାପଦରେ ହସ୍ପିଟାଲରେ ଭର୍ତ୍ତି କରାଯିବ, ତାହା ଥିଲା ସେମାନଙ୍କ ପ୍ରମୁଖ ପ୍ରଦର୍ଶନ।

ସମ୍ବନ୍ଧିତ ଖବର