ନୀଳଗିରି: ଚଢ଼ଉ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ଫଳରେ ଓଆଇସି ଓ ଏଏସ୍‌ଆଇଙ୍କ ସହ ୨ ଜଣ କନେଷ୍ଟବଳ ଆହତ ହୋଇଛନ୍ତି। ଏପରି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ। ସୂଚନା ଅନୁସାରେ, ଆଜି ନୀଳଗିରି ଅବକାରୀ ଓଆଇସି ଜଗନ୍ନାଥ ବେହେରା ବିଶେଷ ସୂତ୍ରରୁ ଖବର ପାଇ ଏଏସ୍‌ଆଇ ଦୁର୍ଯ୍ୟୋଧନ ବେହେରା, କନେଷ୍ଟବଳ ତପନ ମଲ୍ଲିକ ଓ ନହଣ ମୁର୍ମୁଙ୍କ ସହ ବରହମପୁର ଥାନା ଅଧୀନ ପିଠାହତା ପଞ୍ଚାୟତ ଯମୁନା ଓ ମହୁଲବଣି ଗ୍ରାମରେ ଚଢ଼ଉ କରିଥିଲେ।

Advertisment

ଜଣେ ଗିରଫ, ୫ରୁ ଅଧିକ ଫେରାର୍‌

ଯାମୁନା ଗ୍ରାମରୁ ମଦ ବ୍ୟବସାୟୀ ନିରଞ୍ଜନ ବେହେରା ଓ ଗଙ୍ଗାରାମ ସୋରେନ ଏବଂ ମହୁଲବଣି ଗ୍ରାମରୁ ରଥ ସୋରେନଙ୍କୁ ଗିରଫ କରି ଫେରୁଥିବା ବେଳେ ଟାଙ୍ଗଣା ପୋଲ ନିକଟ​ରେ ଗିରଫ ଗଙ୍ଗାରାମଙ୍କ ପତ୍ନୀ ଜୟନ୍ତୀ ସୋରେନ, ଭାଇ ଅଜୟ ସୋରେନ ଓ ବାହାଦୁର ଟୁଡୁ ଏବଂ ଗ୍ରାମର କିଛି ଲୋକ ଗିରଫ ଅଭିଯୁକ୍ତମାନଙ୍କୁ ଛଡ଼ାଇ ନେବା ପାଇଁ ଉଦ୍ୟମ କରିଥିଲେ। ଫଳରେ ଠେଲାପେଲା ସ୍ଥିତି ଉପୁଜିଥିଲା। ପରେ ଅବକାରୀ କର୍ମଚାରୀଙ୍କୁ ଠେଙ୍ଗା ଓ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିଲା। ସେହିପରି ଓଡି-୦୧-ଏୱାଇ-୦୬୨୧ ନମ୍ବର ଅବକାରୀ ଗାଡ଼ିର କାଚ ଭଙ୍ଗାଯାଇଥିଲା। ଖବର ପାଇ ବରହମପୁର ପୁଲିସ ପହଞ୍ଚି ଆହତ ଅବକାରୀ କର୍ମଚାରୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଅନ୍ୟପଟେ ଆକ୍ରମଣକାରୀଙ୍କ ମଧ୍ୟରୁ ଅଜୟ ସୋରେନଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରାୟ ୫ ଜଣ ଅଭିଯୁକ୍ତ ଫେରାର୍‌ ହୋଇଯାଇଛନ୍ତି। ଏନେଇ ବରହମପୁର ଥାନାରେ ୧୨/୨୫ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଆର୍ତ୍ତତ୍ରାଣ ସେଠୀ କହିଛନ୍ତି।