ଧେୟ ସଂସ୍ଥାର ସିଭିଲ୍‌ ସର୍ଭିସ୍‌ କୋଚିଂ ଫେଲ୍‌: ୨୦% ଅର୍ଥ ଦେବେନି ସରକାର

ଭୁବନେଶ୍ବର : ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ୨୦୧୬ରେ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିଲେ। ଉଚ୍ଚଶିକ୍ଷା ବିଭାଗ ଅଧୀନ ୮ଟି ସରକାରୀ ବିଶ୍ବବିଦ୍ୟାଳୟରେ ସିଭିଲ୍‌ ସର୍ଭିସ୍‌ କୋଚିଂ ଆରମ୍ଭ କରିଥିଲେ। ଆଶା ରଖିଥିଲେ, ତାଲିମ ନେବା ପରେ ଓଡ଼ିଆ ପିଲାମାନେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶରେ ନାଁ କରିବେ। ହେଲେ ତାହା ସମ୍ଭବପର ହେଲା ନାହିଁ। ଅଧାରୁ ଅଣ୍ଠେଇଲା ସିଭିଲ୍‌ ସର୍ଭିସ୍‌ କୋଚିଂ ଯୋଜନା। ଯେଉଁଥିପାଇଁ ୨୦୧୯ରେ ଧେୟ ଏଜୁକେସନାଲ ସର୍ଭସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହଯୋଗରେ ଓଡ଼ିଆ ପିଲାଙ୍କୁ କୋଚିଂ ଦେବା ପାଇଁ ପୁଣିଥରେ ଅଣ୍ଟା ଭିଡ଼ିଥିଲେ ସରକାର।

ଉଚ୍ଚଶିକ୍ଷା ବିଭାଗ ଓ ‌ଧେୟ ସଂସ୍ଥା ମଧ୍ୟରେ ରାଜିନାମା ହେବା ସହ ଏ ବାବଦରେ ବର୍ଷକୁ ୬୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ମଧ୍ୟ ସ୍ଥିର ହୋଇଥିଲା। ମାତ୍ର ଏହି ଯୋଜନା ଫେଲ୍‌ ମାରିଛି। ୨୦୨୦ରେ ଏଜୁକେସନାଲ ସର୍ଭିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ବାରା ପରିଚାଳିତ କୋଚିଂ ‌ସେଣ୍ଟର୍‌ରେତାଲିମ ନେଇ ୮୨ଜଣ ପିଲା ପ୍ରିଲିମ୍‌ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ୨୦୨୦ ଅକ୍ଟୋବରରେ ଅନୁଷ୍ଠିତ ପ୍ରିଲିମ୍‌ରେ କୃତକାର୍ଯ୍ୟ ହୋଇଥିଲେ। ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପରେ ଉଚ୍ଚଶିକ୍ଷା ବିଭାଗ ଏବେ ବଡ଼ ପଦକ୍ଷେପ ନେଇଛି। ଧେୟ ଏଜୁକେସନାଲ ସର୍ଭସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଶେଷ ପର୍ଯ୍ୟାୟରେ ବାକି ଥିବା ୨୦% ଅର୍ଥ ନ ଦେବାକୁ ନିଷ୍ପତ୍ତି ନେଇଛି।
ଏନେଇ ବିଭାଗୀୟ ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି ଆଜି ଧେୟ ଏଜୁକେସନାଲ ସର୍ଭସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନିର୍ଦେଶକଙ୍କୁ ଚିଠି ଲେଖି କହିଛନ୍ତି ଯେ ୨୦୧୯ ମାର୍ଚ୍ଚ ୭ର ରାଜିନାମା ଅନୁଯାୟୀ ପ୍ରଥମ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଯଦି ୧୦% ପିଲା ପ୍ରିଲିମ୍‌ରେ କୃତକାର୍ଯ୍ୟ ହେବେ। ତେବେ ଶେଷ ପର୍ଯ୍ୟାୟ ୨୦% ଅର୍ଥ ପ୍ରଦାନ କରାଯିବ। ନ ହେଲେ ଦିଆଯିବ ନାହିଁ। ହିସାବ ଅନୁଯାୟୀ ୨୦୨୦ରେ ପ୍ରଥମ ବ୍ୟାଚ୍‌ରେ ୮୨ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ସେମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ଅର୍ଥାତ୍‌ ୮ ଜଣ ପ୍ରିଲିମ୍‌ରେ କୃତକାର୍ଯ୍ୟ ହେବା କଥା। ମାତ୍ର ତାହା ହୋଇନି। ଜଣେ ମାତ୍ର ପିଲା ପ୍ରିଲିମ୍‌ ପାସ୍‌ କରିଛନ୍ତି। ରାଜିନାମା ପାଳନ କରିବାରେ ସଂସ୍ଥା ଫେଲ୍‌ ହୋଇଥିବାରୁ ଟଙ୍କା ନ ଦେବାକୁ ସେ ଚିଠିରେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ଯେ ଯେଉଁ ଛାତ୍ରଛାତ୍ରୀଙ୍କ ବାର୍ଷିକ ଆୟ ୨ ଲକ୍ଷ ଟଙ୍କାରୁ କମ୍‌ ହୋଇଥିବ ସେହିମାନଙ୍କୁ ଏଠାରେ ମାଗଣାରେ କୋଚିଂ ଦେବାର ବ୍ୟବସ୍ଥା ହୋଇଥିଲା। ଅନ୍ୟମାନଙ୍କ ପାଇଁ ରାଜ୍ୟ ସରକାର ୭୫% କୋଚିଂ ଫି’ ଛାଡ଼ କରିଥିଲେ। ୨୦୧୯-୨୦ ବ୍ୟାଚ୍‌ରେ ୯୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ତାଲିମ ନେଇଥିଲେ। ମାତ୍ର ପରବର୍ତୀ ସମୟରେ ୮୨ ଜଣ ପ୍ରିଲିମ୍‌ ପରୀକ୍ଷାରେ ଅଂଶଗ୍ରହଣ କରି ଜଣେ ପାସ୍‌ କରିଥିଲେ।

ସମ୍ବନ୍ଧିତ ଖବର