ଭୁବନେଶ୍ବର : ଗୋପବନ୍ଧୁ ପ୍ରଶାସନିକ ଏକାଡେମି ପକ୍ଷରୁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସିଭିଲ୍‌ ସେବା ଦିବସ ଶୁକ୍ରବାର ଦିନ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସିଭିଲ୍‌ ସେବା ଅଧିକାରୀଙ୍କ ନିଷ୍ଠା ଓ ଅବଦାନକୁ ପ୍ରଶଂସା କରିଥିଲେ। ନାଗରିକଙ୍କ ସନ୍ତୁଷ୍ଟିକୁ ସର୍ବାଧିକ ଗୁରୁତ୍ବ ଦେଇ ବିଶେଷ କରି ସମାଜର ତଳ ସ୍ତରରେ ଥିବା ବ୍ୟକ୍ତିର ସଶକ୍ତୀକରଣକୁ ପ୍ରାଥମିକତା ଦେଇ ଦାୟିତ୍ବସମ୍ପନ୍ନ, ସାଧୁତା ଓ ନିଷ୍ଠାର ସହ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

Advertisment

ମୁଖ୍ୟମନ୍ତ୍ରୀ କହିଲେ, ଆମ ସମ୍ବିଧାନ ଅନୁଯାୟୀ ପ୍ରଶାସନିକ ବ୍ୟବସ୍ଥାର ପ୍ରାଣକେନ୍ଦ୍ର ହେଲେ ନାଗରିକ। ଆମ ସରକାରର ଲକ୍ଷ୍ୟ ହେଉଛି ନାଗରିକମାନଙ୍କ କଲ୍ୟାଣ ପାଇଁ ସ୍ବଚ୍ଛ, ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବା। ମୁଁ ‘ରୂପାନ୍ତରିତ ପ୍ରଶାସନ’ ଉପରେ ଗୁରୁତ୍ବ ଦିଏ, ଯାହାର ମୂଳ ଲକ୍ଷ୍ୟ ହେଉଛି ସମାଜ ଓ ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଆଣିବା। ଯେ କୌଣସି ପ୍ରସଙ୍ଗର ମୂଳକୁ ଯାଇ ତାହାର ସମାଧାନ କଲେ ଏହି ପରିବର୍ତ୍ତନ ଆସିପାରିବ। ଓଡ଼ିଶାରେ ସିଭିଲ୍ ସେବାର ଶୈଳୀରେ ଉନ୍ନତି ଆସିଛି। ନୂଆ ଜ୍ଞାନକୌଶଳକୁ ବ୍ୟବହାର ଅଧିକାରୀମାନଙ୍କୁ ଅଧିକ ଦାୟିତ୍ବସମ୍ପନ୍ନ, ଉତ୍ତରଦାୟୀ ଓ ଦକ୍ଷ କରିପାରିଛି। ୫-ଟି ଓ ମୋ ସରକାରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାସ୍ତବ ପରିବର୍ତ୍ତନ ଆଣିବା। ଆମ ସରକାର ଅଧିକ ନାଗରିକ-କେନ୍ଦ୍ରିକ ଓ ଫଳାଫଳ ଭିତ୍ତିକ ପ୍ରଶାସନିକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଉଛି। ସମ‌ୟୋପଯୋଗୀ ନିଷ୍ପତ୍ତି ନେବା ସହ ସେବା ‌ଯୋଗାଣ ପାଇଁ ବିଭିନ୍ନ ବିଭାଗ ଓ ଅଂଶୀଦାରଙ୍କ ମଧ୍ୟରେ ଅଧିକ ସମନ୍ବୟ ରକ୍ଷା କରାଯାଉଛି। ପରିବର୍ତ୍ତିତ ସମୟରେ ସିଭିଲ୍‌ ସେବାର ସଂସ୍କୃତି ଓ ଆଭିମୁଖ୍ୟ ଅଧିକ ନମନୀୟ, ସୃଜନଶୀଳ ଓ ଚଳଚଞ୍ଚଳ ହେବାର ଆବଶ୍ୟକତା ରହିଛି।

ଗୋପବନ୍ଧୁ ଏକାଡେମିର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମା ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଆଇଏଏସ୍‌ଅଧିକାରୀ ଅମରଜିତ ସିହ୍ନା ଯୋଗ ଦେଇଥିଲେ। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର୍‌ ଅନୁ ଗର୍ଗ, ପୁଲିସ ମହାନି‌ର୍ଦ୍ଦେଶକ ସୁନିଲ ବଂଶଲ ଓ ପିସିସିଏଫ୍‌ ଦେବୀଦତ୍ତ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।