ଅକ୍ଟୋବର ୪ରେ ସିଭିଲ ସର୍ଭିସେସ୍‌ ପରୀକ୍ଷା

ପରୀକ୍ଷା କେନ୍ଦ୍ର ସମ୍ପର୍କରେ ତଥ୍ୟ ଦେବାକୁ ପ୍ରାର୍ଥୀଙ୍କୁ ସୁଯୋଗ

ଭୁବନେଶ୍ବର : କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସ୍‌ସି) ପକ୍ଷରୁ ସିଭିଲ୍‌ ସର୍ଭିସେସ୍‌(ପ୍ରିଲିମିନାରି) ଓ ଭାରତୀୟ ବନ ସେବା ପ୍ରିଲିମିନାରି ପରୀକ୍ଷା ଆସନ୍ତା ଅକ୍ଟୋବର ୪ରେ ସାରା ଦେଶରେ ଅନୁଷ୍ଠିତ ହେବ। ନୂତନ କାର୍ଯ୍ୟକ୍ରମ ଅନୁସାରେ ଏହି ପରୀକ୍ଷା କରାଯିବ। ଏହି ଦୁଇ ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ସେମାନଙ୍କ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ତାହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ପ୍ରାର୍ଥୀଙ୍କୁ ନିଜ ନିଜର ପସନ୍ଦଯୋଗ୍ୟ କେନ୍ଦ୍ରରେ ପରୀକ୍ଷା ଦେବାର ସୁବିଧା ଦେବାକୁ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ପ୍ରାର୍ଥୀମାନେ ସଂଶୋଧିତ ପ୍ରକ୍ରିୟାରେ ନିଜ ପସନ୍ଦ ମୁତାବକ କେନ୍ଦ୍ରର ନାମ ଜଣାଇବାକୁ କୁହାଯାଇଛି।

ଯେଉଁ କେନ୍ଦ୍ରରେ ସେମାନେ ପରୀକ୍ଷା ଦେବାକୁ ସାନି ମତାମତ ଦେଇଛନ୍ତି ସେହି ସବୁ କେନ୍ଦ୍ରର ଅତିରିକ୍ତ ବା ପରିବର୍ଦ୍ଧିତ କ୍ଷମତାକୁ ବିଚାରକୁ ନେଇ ଚୂଡ଼ାନ୍ତ ହେବ। ଏହି ସଂଶୋଧିତ ମନପସନ୍ଦ ପରୀକ୍ଷା କେନ୍ଦ୍ର ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ସେମାନଙ୍କ ପ୍ରସ୍ତାବ ଅନ୍‌ଲାଇନ ‘https://upsconline.nic.in’ ରେ ଦାଖଲ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୭ରୁ ୧୩ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ଜୁଲାଇ ୨୦ରୁ ୨୪ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ପ୍ରାର୍ଥୀମାନେ ଉକ୍ତ ୱେବସାଇଟ ମାଧ୍ୟମରେ ନିଜର ମନପସନ୍ଦର ପରୀକ୍ଷା କେନ୍ଦ୍ର ସମ୍ପର୍କରେ ତଥ୍ୟ ଦେଇପାରିବେ। ‘ଫାଷ୍ଟ ଆପ୍ଲାଏ- ଫାଷ୍ଟ ଆଲଟ୍‌’ ଭିତ୍ତିରେ ଆବେଦନକାରୀଙ୍କୁ ମନପସନ୍ଦର କେନ୍ଦ୍ର ପ୍ରଦାନ କରାଯିବ। କୌଣସି ଏକ ପରୀକ୍ଷା କେନ୍ଦ୍ରର କ୍ଷମତା ପୂରଣ ହୋଇଗଲେ ସେଥିରେ ଆଉ ଅଧିକ ପ୍ରାର୍ଥୀଙ୍କୁ ନିଆଯିବ ନାହିଁ। ସିଲିଂ ବ୍ୟବସ୍ଥା ଯୋଗୁଁ କୌଣସି ଆବେଦନକାରୀ ଯଦି ନିଜର ଇଛା ମୁତାବକ ପରୀକ୍ଷା କେନ୍ଦ୍ର ନ ପାଆନ୍ତି ତେବେ ତାଙ୍କୁ ଅବଶିଷ୍ଟ କେନ୍ଦ୍ରରୁ ଗୋଟିଏ ବାଛିବାକୁ ପଡିବ।

ସମ୍ବନ୍ଧିତ ଖବର