ସିଭିଲ ସର୍ଭିସ ପରୀକ୍ଷା ଫଳ: ଚମକିଲେ ଓଡ଼ିଶାରୁ ୨୨, ସଞ୍ଜିତା ଓଡ଼ିଶା ଟପର୍
ହରିଆଣାର ପ୍ରଦୀପ ସିଂହ ସର୍ବଭାରତୀୟ ଟପର୍
ଭୁବନେଶ୍ବର: ୟୁପିଏସ୍ସି ଦ୍ବାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା-୨୦୧୯ ଫଳାଫଳ ଆଜି ପ୍ରକାଶ ପାଇଛି। ହରିଆଣାର ସୋନପତ ଜିଲ୍ଲା ବାସିନ୍ଦା ପ୍ରଦୀପ ସିଂହ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ପ୍ରଦୀପଙ୍କ ପଛକୁ ଯତିନ୍ କିଶୋର ଓ ପ୍ରତିଭା ବର୍ମା ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଶୀର୍ଷରେ ରହିଥିବା ପ୍ରଥମ ୨୬ ଜଣଙ୍କ ଭିତରେ ୧୩ ଜଣ ପୁରୁଷ ଓ ୧୩ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଜାତୀୟସ୍ତରରେ ପୁଣିଥରେ ଚମକିଛନ୍ତି ଓଡ଼ିଆ। ୟୁପିଏସ୍ସି (କେନ୍ଦ୍ରୀୟ ପ୍ରଶାସନିକ ସେବା ଆୟୋଗ) ଦ୍ବାରା ପରିଚାଳିତ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଓଡ଼ିଶାର ଯୁବକ ଯୁବତୀ ବାଜିମାତ୍ କରିଛନ୍ତି। ରୢାଙ୍କ ପାଇଥିବା ଦେଶର ମୋଟ ୮୨୯ ଜଣଙ୍କ ମଧ୍ୟରେ ୨୨ ଜଣ ଓଡ଼ିଆ ରହିଥିବା ସନ୍ଧ୍ୟା ସୁଦ୍ଧା ଜଣାପଡ଼ିଛି। ଓଡ଼ିଶାର ଜଣେ ପରୀକ୍ଷାର୍ଥୀ ଟପ୍ ଟେନ୍ ମଧ୍ୟରେ ରହି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶାର ସଞ୍ଜିତା ମହାପାତ୍ର ସର୍ବଭାରତୀୟ ସ୍ତରରେ ଦଶମ ତଥା ଓଡ଼ିଶାରେ ଟପର ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଆହୁରି ୨୦ ଜଣ ଓଡ଼ିଆ ତାଲିକାରେ ରହି ଆଇଏଏସ୍(ଇଣ୍ଡିଆନ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ୍), ଆଇଏଫ୍ଏସ୍ (ଇଣ୍ଡିଆନ୍ ଫରେନ୍ ସର୍ଭିସ୍), ଆଇପିଏସ୍ (ଇଣ୍ଡିଆନ୍ ପୁଲିସ ସର୍ଭିସ୍), ସେଣ୍ଟ୍ରାଲ୍ ସର୍ଭିସ୍ ଗ୍ରୁପ୍ ‘ଏ’ ଓ ଗ୍ରୁପ୍ ‘ବି’ରେ ନିଯୁକ୍ତି ପାଇବା ଲାଗି ମନୋନୀତ ହୋଇଛନ୍ତି।
ବିଗତ ବର୍ଷଗୁଡ଼ିକ ତୁଳନାରେ ଏଥର ଓଡ଼ିଶାର ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଉପକୂଳରୁ ଉପାନ୍ତ ହେଉ କି ଦକ୍ଷିଣରୁ ଉତ୍ତର ଓଡ଼ିଶାର ପ୍ରାୟ ଜିଲ୍ଲାର ଯୁବକ ଯୁବତୀ ଏଥର ବାଜିମାତ୍ କରିଛନ୍ତି। ପଛୁଆ ଜିଲ୍ଲା ଭାବେ ପରିଗଣିତ ହେଉଥିବା କଳାହାଣ୍ଡି, କୋରାପୁଟ, କନ୍ଧମାଳ ଜିଲ୍ଲାର ଛାତ୍ରଛାତ୍ରୀ ବି ଭଲ ରେଜଲ୍ଟ କରିଛନ୍ତି। ସଞ୍ଜିତାଙ୍କ ବ୍ୟତୀତ ଅଂଶୁମାନ ରାଜ ୧୦୭ତମ ସ୍ଥାନରେ ଥିବା ବେଳେ ଅନୁପ ଦାଶ (୧୨୦), ନବଲ୍ କୁମାର ଜୈନ୍ (୧୨୫), ରାହୁଲ ଗୋଏଲ୍ (୧୬୮), କୁମାର ବିଶ୍ବରଞ୍ଜନ (୧୮୨), ଶୈଳଜା ଦାସ (୧୯୦), ବେଦଭୂଷଣ (୧୯୫), ରାହୁଲ ମିଶ୍ର (୨୦୨), ହେମା ନାୟକ (୨୨୫), ଆରୁଷି ମିଶ୍ର (୨୨୯), ଆଶିଷ ଦାସ (୨୯୧), ଅଙ୍କିତ ଶଙ୍କର ମିଶ୍ର (୨୯୪), ସୋନାଲି ମିଶ୍ର (୩୦୦), ଦିବ୍ୟା ମିଶ୍ର (୩୧୨), ଅର୍ଘ୍ୟ ପଟ୍ଟନାୟକ (୩୬୧), ଜୁବିନ ମହାପାତ୍ର (୩୭୯), ସମୀର କୁମାର ଜେନା (୪୪୧), ମାନସ ରଞ୍ଜନ ସାହୁ (୫୬୭), ଶିବମ ମିଶ୍ର (୭୧୨), ଓମ୍ ପ୍ରସାଦ ମହାନ୍ତି (୭୧୫) ଏବଂ ବିଭୂତି ଭୂଷଣ ନାୟକ ୮୧୯ତମ ସ୍ଥାନରେ ରହିଛନ୍ତି।
ସୂଚନାଯୋଗ୍ୟ ଯେ ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୧୯ର ଲିଖିତ ପରୀକ୍ଷା ଗତବର୍ଷ ଅନୁଷ୍ଠିତ ହୋଇଥିଲା। ତେବେ ଗତ ଫେବ୍ରୁଆରିରୁ ଅଗଷ୍ଟ ମାସ ମଧ୍ୟରେ ପର୍ସନାଲିଟି ଟେଷ୍ଟ କରାଯାଇ ରେଜଲ୍ଟ ପ୍ରକାଶ କରାଯାଇଛି। ରେଜଲ୍ଟ ପ୍ରକାଶ ପାଇବାର ୧୫ ଦିନ ମଧ୍ୟରେ ‘www.upsc.gov.in’ ୱେବସାଇଟ୍ରେ ପରୀକ୍ଷାର୍ଥୀଙ୍କ ମାର୍କ ଉପଲବ୍ଧ ହେବ।
ସଞ୍ଜିତା ମହାପାତ୍ର
ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଦଶମ ସ୍ଥାନରେ ରହି ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି ସଞ୍ଜିତା ମହାପାତ୍ର। ଗତଥର ଓଏଏସ୍ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ସଞ୍ଜିତା ସିଭିଲ୍ ସର୍ଭିସ୍ ପରୀକ୍ଷାର ରୢାଙ୍କକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ସଞ୍ଜିତା କହିଛନ୍ତି ଯେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବି ବୋଲି ଭାବିଥିଲି। ତେବେ ଭଲ ରୢାଙ୍କ ଆସିବ ବୋଲି ଆଶା କରି ନ ଥିଲି। ଚଳିତଥର ଇଣ୍ଟରଭ୍ୟୁ ସମ୍ପୂର୍ଣ୍ଣ ଅଲଗା ହୋଇଥିଲା। କରୋନା ଲାଗି ହାତରେ ଗ୍ଲୋବ୍ସ, ମୁହଁରେ ମାସ୍କ ପିନ୍ଧି ପରୀକ୍ଷା ଦେବାକୁ ପଡ଼ିଥିଲା। ପରୀକ୍ଷାରେ ଓଡ଼ିଶା ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା। ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବାକୁ ହେଲେ ଧୈର୍ଯ୍ୟ ରଖିବାକୁ ପଡ଼ିବ। ଥରେ ଦୁଇ ଥର ବିଫଳ ହେଲେ ଛାଡ଼ିଦେବା ଉଚିତ୍ ନୁହେଁ। ବରଂ ବାରମ୍ବାର ପ୍ରୟାସ ଜାରି ରଖିଲେ ସଫଳତା ନିଶ୍ଚିତ ମିଳିବ। ନିଜ ବିଷୟରେ ଚିନ୍ତା କରନ୍ତୁ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ହୁଅନ୍ତୁ। ସଫଳତା ପାଇବେ।