ଭୁବନେଶ୍ବର : କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଆଇଏଏସ୍‌, ଆଇଏଫ୍‌ଏସ୍‌, ଆଇପିଏସ୍‌ ଏବଂ କେନ୍ଦ୍ରୀୟ ସର୍ଭିସେସ୍‌ ଗ୍ରୁପ୍‌ ‘ଏ’ ଓ ଗ୍ରୁପ୍‌ ‘ବି’ ସର୍ବଭାରତୀୟ ସେବା ବର୍ଗରେ ନିଯୁକ୍ତି ଲାଗି ସମୁଦାୟ ୭୬୧ ଜଣ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି। ବିହାରର ଶୁଭମ୍‌ କୁମାର ଚଳିତବର୍ଷ ଦେଶରେ ଟପର୍‌ ହୋଇଛନ୍ତି। ଆଇଆଇଟି ବମ୍ବେର ପୁରାତନ ଛାତ୍ର ଶୁଭମ୍‌ ଗତବର୍ଷ ମଧ୍ୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ୨୯୦ତମ ସ୍ଥାନରେ ରହିଥିଲେ। ସେହିପରି ଶୁଭମଙ୍କ ପଛକୁ ଜାଗୃତି ଅଗସ୍ତି ଦ୍ବିତୀୟ, ଅଙ୍କିତା ଜୈନ ତୃତୀୟ, ୟସ୍‌ ଜାଲୁକା ଚତୁର୍ଥ ଓ ମମତା ଯାଦବ ୫ମ ସ୍ଥାନରେ ରହିଛନ୍ତି। ଅର୍ଥାତ ପ୍ରଥମ ୫ଟି ସ୍ଥାନରେ ୩ ଜଣ ଛାତ୍ରୀ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ଜୁବିନ୍‌ ମହାପାତ୍ର ୪୬ ତମ ସ୍ଥାନରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ସମ୍ଭବତଃ ଜୁବିନ୍ ହିଁ ଓଡ଼ିଆ ପରୀକ୍ଷାର୍ଥୀ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।

Advertisment

ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ସଫଳ ହୋଇଥିବା ୭୬୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୬୨ ଜଣ ସାଧାରଣ ବର୍ଗର ହୋଇଥିବା ବେଳେ ୮୬ ଜଣ ଆର୍ଥିକ ଦୁର୍ବଳ ବର୍ଗର ହୋଇଥିବାବେଳେ ୨୨୯ ଜଣ ପଛୁଆ ବର୍ଗ, ୧୨୨ ଜଣ ଅନୁସୂଚିତ ଜାତି ଓ ୬୧ ଜଣ ଅନୁସୂଚିତ ଜନଜାତି ବର୍ଗର ରହିଛନ୍ତି। ୧୫୦ ଜଣ ରିଜର୍ଭ ତାଲିକାରେ ରହିଛନ୍ତି। ଶ୍ରେଷ୍ଠ ୨୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଜଣ ପୁରୁଷ ଓ ୧୨ ଜଣ ମହିଳା ରହିଛନ୍ତି।

ଚଳିତ ବର୍ଷ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା‌ରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଏତେଟା ଉତ୍ସାହଜନକ ହୋଇପାରି ନାହିଁ। କୃତକାର୍ଯ୍ୟ ହୋଇଥିବା ୭୬୧ ଜଣଙ୍କ ମଧ୍ୟରେ ୧୧ରୁ ଅଧିକ ଓଡ଼ିଆ ରହିଥିବା ସନ୍ଧ୍ୟା ସୁଦ୍ଧା ଜଣାପଡ଼ିଛି। ଜୁବିନ୍‌(୪୬ତମ)ଙ୍କ ବ୍ୟତୀତ ୫୨ତମ ସ୍ଥାନରେ ଆଶିଷ କୁମାର ମିଶ୍ର, ଶୁଭଙ୍କର ବଳ ୭୯ତମ, ଅଙ୍କିତ୍‌ କୁମାର ବର୍ମା ୧୮୪, ରୀନା ପ୍ରଧାନ ୧୯୪, ପୂର୍‌ବୀ ନନ୍ଦ ୨୪୪, ନବଜ୍ୟୋତି ମିଶ୍ର ୩୯୫, ବବିତାରାଣୀ ସ୍ୱାଇଁ ୪୬୪, ଅଙ୍କିତ ମିଶ୍ର ୫୨୨, ସୁଧାଂଶୁ ନାୟକ ୬୨୦, ଜିତେନ୍ଦ୍ର କୁମାର ମିଶ୍ର ୬୫୮ତମ ସ୍ଥାନରେ ରହିଛନ୍ତି। ସମ୍ପୂର୍ଣ୍ଣ ତଥ୍ୟ ଆସିଲେ କୃତକାର୍ଯ୍ୟ ହୋଇଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶା ରହିଛି।