ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ : ଜିଲ୍ଲାପାଳଙ୍କୁ ଭେଟିଲେ ନାଗରିକ କମିଟି କର୍ମକର୍ତ୍ତା

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଓ ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ସୃଷ୍ଟ ଅଚଳାବସ୍ଥା ନେଇ ସମ୍ବଲପୁର ଜିଲ୍ଲା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ରବିବାର କମିଟିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବିସ୍ତୃତ ଦାବିପତ୍ର ପ୍ରଦାନ କରିଛି। ଉକ୍ତ ଦାବିପତ୍ରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ କିଛି ଠୋସ୍‌ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚ ଅଧିକାରୀ, କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଓ ନାଗରିକ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନଙ୍କୁ ନେଇ ଏକ କମିଟି ଗଠନ କରି କେନ୍ଦ୍ର ସହ ଆଲୋଚନା ପାଇଁ ପଠାଇବାକୁ ପ୍ରସ୍ତାବ ଦିଆଯାଇଛି। ରବିବାର ନାଗରିକ କମିଟି ପକ୍ଷରୁ ଭାଗବତ ପ୍ରସାଦ ନନ୍ଦ, ପ୍ରଫୁଲ୍ଲ ହୋତା, ଦୀପକ କୁମାର ପଣ୍ଡା ଏବଂ ବୋଧରାମ ଦାଶ ଜିଲ୍ଲାପାଳଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଥିଲେ। ବର୍ତ୍ତମାନ ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟକଚେରି ତଥା ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରହିବା ପରିପ୍ରେକ୍ଷୀରେ ଜନସାଧାରଣ ଭୋଗୁଥିବା ସମସ୍ୟା ସଂପର୍କରେ ମଧ୍ୟ ସେମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଅଚଳାବସ୍ଥା ଦୂର କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର